ବେଆଇନ ପାଥୋଲୋଜି କ୍ଲିନିକ୍ ଉପରେ ଚଢ଼ାଉ : ନକଲି ଡାକ୍ତରଙ୍କ ଚାହିଦା ବଢୁଥିବା ନେଇ ଜନସାଧାରଣ ଚିନ୍ତାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ରହିଥିବା ବେଆଇନ ପାଢ଼ୀ ପାଥୋଲୋଜି କ୍ଲିନିକ୍ ଉପରେ ଶୁକ୍ରବାର ସ୍ୱାସ୍ଥ୍ୟ ବିଭାଗ ପୋଲିସ ଉପସ୍ଥିତିରେ ଚଢ଼ାଉ କରି ସିଲ୍ କରିଥିବା ଜଣାପଡ଼ିଛି । ଦୀର୍ଘ ବର୍ଷରୁ ଲାଠୋର ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ବେଆଇନ ଭାବେ ଜଗମୋହନ ପାଢ଼ୀ ଏକ ବେଆଇନ ପାଥୋଲୋଜି କ୍ଲିନିକ୍ ଚଳେଇଆସୁଥିଲେ । ନିରୀହ ଲୋକଙ୍କୁ ଠକି ରକ୍ତ, ମଳ ମୂତ୍ର ପରୀକ୍ଷା ବାହାନାରେ ବେଶି ଟଙ୍କା ଆଦାୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଜିଲ୍ଲା ଅଧିକାରୀମାନଙ୍କ ସହ ମଧୁ ଚନ୍ଦ୍ରିକା କରି ଦୁଇରୁ ତିନି ବର୍ଷ ହେଲା ସେ ବେଆଇନ ଭାବେ ଲେବ୍‌ ଚଲାଉଥିବା ବେଳେ ଗ୍ରାମବାସୀ ବେଆଇନ ପାଥୋ କ୍ଲିନିକ୍ ଉପରେ ରୋକ୍‌ ଲଗାଇବା ପାଇଁ ଲାଠୋର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ମେଡିକାଲ୍‌ ଅଫିସର ଇନଚାର୍ଜ ଖପ୍ରାଖୋଲଙ୍କୁ ଅବଗତ କରିଥିଲେ । ସେ ଅନୁସାରେ ଶୁକ୍ରବାର ବଲାଙ୍ଗିର ଡିଏଚ୍‌ଏଚ୍‌ ସୁପରିଷ୍ଟେଡେଣ୍ଟ ଡାକ୍ତର ପ୍ରଭାତ କୁମାର ଦାସ ଏବଂ ଟିମ୍ ଲାଠୋର ପୋଲିସ ସହ ମିଳିତ ଚଢ଼ାଉ କରିଥିଲେ । ସମସ୍ତ ପ୍ରକାର କାଗଜ ପତ୍ର ତନଖି କଲା ପରେ କ୍ଲିନିକ୍‌କୁ ସିଲ୍ କରିଥିଲେ । କ୍ଲିନିକ୍‌ ଉପରେ ଚଢ଼ାଉ ହୋଇ ସିଲ୍ ହୋଇଥିଲେ ମଧ୍ୟ ବର୍ତ୍ତମାନ ଯାଏ କାହା ନାମରେ କୌଣସି ପ୍ରକାର କେସ୍‌ ହୋଇନାହିଁ ବୋଲି ପୋଲିସ କହିଛି । ଏତେ ବର୍ଷ ବେଆଇନ ଭାବେ ଲାଠୋର ସରକାରୀ ପ୍ରାଥମିକ କେନ୍ଦ୍ର ସମ୍ମୁଖରେ ବେଆଇନ ଭାବେ ପାଥୋଲୋଜି ଲେବ୍‌ ଖୋଲି ବିନ୍ଦାସ ରହୁଥିବା ପାଢ଼ୀ ବିରୁଦ୍ଧରେ କାହିଁକି କୌଣସି ମାମଲା ରୁଜୁ ନକରି ଖାଲିଲୋକ ଦେଖାଣିଆ ପାଥୋଲୋଜି ଲେବ୍‌କୁ ସିଲ୍‌ କରିଛି ପ୍ରଶାସନ ତାହା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକାରିତା ଉପରେ ସନ୍ଦେହ ସୃଷ୍ଟି କରୁଛି ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ଆଗାମୀ ଦିନରେ ସ୍ୱାସ୍ଥ୍ୟ ବିଭାଗ କ’ଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା । ବଣପାହାଡ ଘେରା ବଲାଙ୍ଗିର ଜିଲ୍ଲାରେ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଥିଲେ ହେଁ ଅପାଠୁୁଆ, ନକଲି ଡାକ୍ତର ତଥା କ୍ୱାକ୍‌ ଏବଂ ପାଥୋଲୋଜି ଲେବ୍‌ର ନକଲି ଚାହିଦା ବଢ଼ି ଚାଲିଛି । ଘରକୁ ଘର ବୁଲି କ୍ୱାକ୍‌ ରୋଗୀମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ପୁଣି ଟଙ୍କା ନଥିଲେ ରୋଗ ଭଲ ହେଲେ ଦେବ ଦର୍ଶାଇ ଔଷଧ, ଇଞ୍ଜେକସନ୍‌ ରୋଗୀଙ୍କୁ ଦେଉଛନ୍ତି । ଧୀରେ ଧୀରେ କ୍ୱାକ୍‌ମାନେ ଗାଁ ଗହଳି ତଥା ସହରରେ ଡାକ୍ତର ଭାବେ ନିଜର ଭଲ ପରିଚୟ ସୃଷ୍ଟି କରି ପୁଳା ପୁଳା ଟଙ୍କା ରୋଜଗାର କରୁଛନ୍ତି । ଏପଟେ ନକଲି ଡାକ୍ତର ଏବଂ ନକଲି ପାଥୋଲୋଜି ଲେବ୍‌ ଧରପଗଡ଼ କରିବାରେ ପ୍ରଶାସନ ବ୍ୟର୍ଥ ହୋଇଛି । ସରକାର ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ବୋଲି ଡିଣ୍ଡିମ୍‌ ପିଟୁଥିବାବେଳେ ଗାଁ ଗହଳି ଓ ସହର ସବୁଠି ନକଲି ଡାକ୍ତରଙ୍କୁ ରାତି ପାହିଲେ ଖୋଜାପଡୁଛି । ସ୍ୱାସ୍ଥ୍ୟ ବିଭାଗର କେଉଁଠି ନା କେଉଁଠି ତ୍ରୁଟି ନକଲି ଡାକ୍ତରଙ୍କ ଲୋକପ୍ରିୟତା ବଢ଼ାଇବାରେ ସହଯୋଗ କରୁଛି । ହେଲେ ସରକାର ଓ ପ୍ରଶାସନ ଏହାର କାରଣ ଖୋଜୁନାହାନ୍ତି । ଏଭଳିସ୍ଥଳେ ଅପାଠୁଆ ଡାକ୍ତରଙ୍କ ସ୍ୱାସ୍ଥ୍ୟସେବାରେ ରୋଗୀଙ୍କ ମୃତ୍ୟୁ ହେଉଥିଲେ ବି ଅଭିଯୋଗ ନଥିବାରୁ ଚପି ଯାଉଛି ।

Leave A Reply

Your email address will not be published.

5 × 4 =