jayashree

ପୁଣି କଲବଲ କରିବ ତାତି

ଭୁବନେଶ୍ୱର : ଆସନ୍ତା ୧୩ ତାରିଖଠାରୁ ରାଜ୍ୟରେ ପୁଣି ବଢିବ ତାତି । ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ପୁଣି ଦିନ ତାପମାତ୍ରା ବୃଦ୍ଧି ସମ୍ଭାବନା ରହିଛି । ଏମିତିକି କିଛି ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି ବୋଲି ପାଣପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ଲାଗି ରହିଛି । ବଲାଙ୍ଗିର, ନୂଆପଡା ଏବଂ ବରଗଡ ଜିଲ୍ଲାର କିଛି ଅଞ୍ଚଳରେ ହାଲୁକା ବର୍ଷା ହୋଇଛି । ଫଳରେ ତାତିରୁ ଆଶ୍ୱସ୍ତ ହୋଇଛନ୍ତି ବଲାଙ୍ଗିରବାସୀ । ସେହିପରି ନୂଆପଡ଼ାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଛି । କୋମନା ବ୍ଲକର ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଦେଖିବାକୁ ମିଳିଛି । କୁଆପଥର ମାଡ଼ରେ ପନିପରିବା ଚାଷ ଓ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ବରଗଡ଼ ଜିଲ୍ଲାରେ କୋହଳା ପାଗ ଶହ ଲାଗି ଝିପିଝିପି ବର୍ଷା ହୋଇଛି । ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡଘଡି ସହ ବର୍ଷା ଜାରି କରିଛି ପାଣିପାଗ ବିଭାଗ । ଆଜି ପାଇଁ ୧୧ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେଇଭଳି ଆସନ୍ତା ୧୧ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ୧୧ ତାରିଖରୁ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Leave A Reply

Your email address will not be published.