ହରିରାଜପୁର ପଞ୍ଚୁଦୋଳ ମେଳଣ ମଞ୍ଚରେ ଆଧ୍ୟାତ୍ମିକ ସାହିତ୍ୟ ଆସର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଓଡିଶା ପ୍ରସିଦ୍ଧ ହରିରାଜପୁର ପଞ୍ଚୁଦୋଳ ମେଳଣ ତଥା ଶ୍ରୀ ଶ୍ରୀ ପଶ୍ଚିମଶମ୍ଭୁ ସୋମନାଥ ଦେବଙ୍କ ଜମାଣ ଉତ୍ସବର ଚତୁର୍ଥ ଦିବସରେ ନିମାଇଁ ସାହିତ୍ୟ ସଂସଦ ପକ୍ଷରୁ ବର୍ଣ୍ଣାଢ୍ୟ ଆଧ୍ୟାତ୍ମିକ ସାହିତ୍ୟ ମହୋତ୍ସବ -୨୦୨୪ ମଙ୍ଗଳବାର ଅପରାହ୍ନରେ ହରିରାଜପୁର ମେଳଣ ମଞ୍ଚରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସାହିତ୍ୟ ସଂସଦର ସମ୍ପାଦକ ତଥା ଶିକ୍ଷାବିତ୍‌ ମାନସ ରଞ୍ଜନ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବ ପରିଚାଳନା ପରିଷଦର ସଭାପତି ପ୍ରସନ୍ନ କୁମାର ମହାରଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଧ୍ୟତ୍ମିକ ସାହିତ୍ୟ ମହୋତ୍ସବରେ ଡ. ଚନ୍ଦ୍ରଶେଖର ଦାଶ ମୂଖ୍ୟ ଅତିଥି ରୂପେ ଆସନ ଅଳଙ୍କୃତ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଡ଼. ବିଦ୍ୟୁତପ୍ରଭା ମିଶ୍ର ଓ ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଲୋହିତ କୁମାର ମହାପାତ୍ର ଯୋଗ ଦେଇଥିଲେ । ହରିରାଜପୁର ମେଳନ ଉତ୍ସବର ମହାତ୍ମା ବିଷୟରେ ଅତିଥିମାନେ ଉଦ୍‌ବୋଧନ ଦେଇଥିଲେ । ଓଡିଶାର ବିଭିନ୍ନ ଅଂଚଳରୁ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ କବି କବୟିତ୍ରୀ ଯୋଗ ଦେଇ ସ୍ୱରଚିତ ଆଧ୍ୟତ୍ମିକ କବିତା ପାଠ କରିଥିଲେ । ସାରସ୍ୱତ ସାଧିକା ଚମକ ଚାନ୍ଦିନୀ ଦାଶ ଓ ସନ୍ଧ୍ୟା ପୃଷ୍ଟି କବିତା ସଂଯୋଜନା କରିଥିଲେ । ମହୋତ୍ସବ ମଂଚ ତରଫରୁ ଉପସ୍ଥିତ ଥିବା ସମସ୍ତ କବି କବୟିତ୍ରୀମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପ୍ରତିଭା ୭ ଜଣ କବୟିତ୍ରୀଙ୍କୁ ନିମାଇଁ ସାହିତ୍ୟ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମେଳଣ ପରିଚାଳନା ପରିଷଦର କର୍ମକର୍ତ୍ତା ପପୁ ମହାରଥୀ, ଦୀପିକ ମହାରଥୀ ଓ ନିମାଇଁ ସାହିତ୍ୟ ସଂସଦର ବିଶ୍ୱରଂଜନ ମହାନ୍ତି, ଦାଶରଥି ମହାନ୍ତି, ବାଉରୀବନ୍ଧୁ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.