ରାଜ୍ୟ ଓ ଜିଲ୍ଲା କ୍ରୀଡା ସଙ୍ଘମାନଙ୍କ ବାର୍ଷିକ ଅନୁଦାନ ରାଶି ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି : ସ୍ୱତନ୍ତ୍ର ଅନୁଦାନ ରାଶି ଧାର୍ଯ୍ୟ ସୀମା ଉଚ୍ଛେଦ

ଭୁବନେଶ୍ୱର : ରାଜ୍ୟ କ୍ରୀଡା ସଙ୍ଘ ଏବଂ ଜିଲ୍ଲା କ୍ରୀଡା ସଙ୍ଘମାନଙ୍କ ଅନୁଦାନ ରାଶିକୁ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ ବୃଦ୍ଧି କରାଯାଇଛି । ଏହା ୨୦୨୩-୨୪ ବର୍ଷଠାରୁ ଲାଗୁ ହେବ । ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ‘କ’ ବର୍ଗ ଯଥା ଆଥ୍‌ଲେଟିକ୍ସ, ହକି, ଭାରୋତ୍ତୋଳନ, ତୀରନ୍ଦାଜୀ, ଫୁଟବଲ, କ୍ରିକେଟ, ବ୍ୟାଡ଼ମିନଟ ଆଦି ରାଜ୍ୟ କ୍ରୀଡା ସଙ୍ଘ ଲାଗି ବାର୍ଷିକ ଅନୁଦାନ ରାଶି ୬ ଲକ୍ଷ ଟଙ୍କାରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିଭଳି ‘ଖ’ ବର୍ଗ ଯଥା ବାସ୍କେଟ୍‌ବଲ୍‌, ବକ୍ସି, ଚେସ, ସାଇକେଲିଂ, ଜିମ୍‌ନାଷ୍ଟିକ୍ସ, ଜୁଡୋ, କାବାଡ଼ି, ଖୋ-ଖୋ, କରାଟେ-ଡୋ, ସ୍ୱିମିଙ୍ଗ ଟେନିସ, ଟେବୁଲ ଟେନିସ, ଟାଇକୋଣ୍ଡୋ, ଭଲ୍ଲିବଲ୍‌, କୁସ୍ତି ଏବଂ ରଗବି ରାଜ୍ୟ କ୍ରୀଡା ସଙ୍ଘ ଲାଗି ଅନୁଦାନ ରାଶିକୁ ୪ ଲକ୍ଷରୁ ୮ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ‘ଗ’ ବର୍ଗ ଯଥା କାଇକିଂ- କାନୋଇଂ, ହ୍ୟାଣ୍ଡ ବଲ୍‌, ରାଇଫଳ ସୁଟିଂ, ରୋଇଂ,ସିପକ ଟାକରେ, ସଫ୍ଟ ବଲ, ଉସୁ, ୟେଚିଂ (ସେଲିଂ) ଏବଂ ଫେନସିଂ କ୍ରୀଡାର ରାଜ୍ୟ କ୍ରୀଡା ସଙ୍ଘ ଲାଗି ଅନୁଦାନ ରାଶି ୧.୫ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ‘ଘ’ ବର୍ଗ ଯଥା ବଲ୍‌ ବ୍ୟାଡ଼ମିଣ୍ଟନ, ବଡ଼ି ବିଲଡିଂ, ରୋଲର ସ୍କେଟିଂ, ନେଟ ବଲ୍‌, ଟେନି କଏଟ, ପାୱାର ଥ୍ରୋ, ଥ୍ରୋ ବଲ ଏବଂ ପିଡବ୍ଲୁଡି କ୍ରୀଡା ରାଜ୍ୟ କ୍ରୀଡା ସଙ୍ଘ ଲାଗି ଅନୁଦାନକୁ ୩ ଲକ୍ଷ କରାଯାଇଛି । ସେହିପରି ୨୦ଟି ବ୍ଲକ ଥିବା ଜିଲ୍ଲାର କ୍ରୀଡା ସଙ୍ଘ ଲାଗି ଅନୁଦାନ ରାଶିକୁ ୨ ଲକ୍ଷରୁ ୪ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ୧୫ରୁ ୨୦ ବ୍ଲକଥିବା ଜିଲ୍ଲା କ୍ରୀଡା ସଙ୍ଘର ଅନୁଦାନ ରାଶି ୧.୫ ଲକ୍ଷ ଟଙ୍କାରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧୦ରୁ ୧୪ ବ୍ଲକ ଥିବା ଜିଲ୍ଲା କ୍ରୀଡା ସଙ୍ଘର ଅନୁଦାନ ରାଶିକୁ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୧୦ରୁ କମ୍‌ ବ୍ଲକ ଥିବା ଜିଲ୍ଲା କ୍ରୀଡା ସଙ୍ଘର ଅନୁଦାନ ରାଶିକୁ ୭୫ ହଜାର ଟଙ୍କାରୁ ୧.୫୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥି ସହିତ ରାଜ୍ୟ କ୍ରୀଡା ତାଲିକା ବାହାରେ ଥିବା ଅନ୍ୟ କ୍ରୀଡା ଯେଉଁମାନେ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ଥିବେ ସଭିଙ୍କୁ ‘ଘ’ ବର୍ଗ ଅନୁସାରେ ବାର୍ଷିକ ୩ ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦନ କରାଯିବ । ଏହା ବ୍ୟତୀତ କ୍ରୀଡା ସଙ୍ଘ ଗୁଡ଼ିକ ଲାଗି ଥିବା ସ୍ୱତନ୍ତ୍ର ଅନୁଦାନ ରାଶିର ଧାର୍ଯ୍ୟ ସୀମାକୁ କ୍ରୀଡା ବିଭାଗ ପକ୍ଷରୁ ଉଚ୍ଛେଦ କରାଯାଇଛି । ଆବଶ୍ୟକତାକୁ ଉପଲବ୍ଧି କରି ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଅନୁଦାନ ରାଶି ସ୍ଥିର କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ଫଳରେ କ୍ରୀଡା ସଂଘ ଗୁଡି଼କ ପୂର୍ବ ଅପେକ୍ଷା ଅଧିକ ସହାୟତା ରାଶି ପାଇ ପାରିବେ । ଏଠାରେ ସୂଚନାଯୋଗ୍ୟ କି ୫-ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ଗସ୍ତରେ ଯାଇ ଲୋକଙ୍କ ଅଭିଯୋଗ ସଂଗ୍ରହ ସମୟରେ କ୍ରୀଡା ସଂଗଠନମାନେ ଅନୁଦାନ ବୃଦ୍ଧି ପାଇଁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.