ରାଜଧାନୀର କାନ୍ଥଚିତ୍ରରେ ଖଗେଶ୍ୱରଙ୍କ ସାଜ୍ଞାରେ ସଂଶୋଧନ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କେଏସ୍‌କେପି

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜଧାନୀର କାନ୍ଥରେ ଶୋଭା ପାଉଥିବା କବି ଖଗେଶ୍ୱର ଶେଠଙ୍କ ନାମ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ ଜିଲ୍ଲା ବିଜେପୁର ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ବୁଧବାର ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ସ୍ମାରକପତ୍ର ଦିଆଯାଇଛି । ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ଜ୍ୟୋତି ପ୍ରକାଶ ଭୋଇ ସ୍ମାରକପତ୍ର ଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତ୍ୱରିତ ଏହା ପ୍ରେରଣ କରାଯିବ ବୋଲିି ସେ ପ୍ରକାଶ କରିଥିବା ଜଣାପଡିଛି । ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ଶେଠ ହେଉଛନ୍ତି ସମଗ୍ର ଓଡ଼ିଶା ତଥା ବରଗଡ ମାଟିର ପରିଚୟ । ଉଭୟ ଓଡିଆ ଓ ସମ୍ବଲପୁରୀ ସାହିତ୍ୟ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି । ଏଇ ବରପୁତ୍ର ଖଗେଶ୍ୱର ଶେଠଙ୍କ ଫଟୋ ଚିତ୍ର ଭୁବନେଶ୍ଵର ସ୍ଥିତ ରାଜଭବନ ଚିକିତ୍ସାଳୟର କାନ୍ଥରେ ବିଭିନ୍ନ ପ୍ରବାଦ ପୁରୁଷଙ୍କ ଗହଣରେ ସ୍ଥାନୀତ ହୋଇଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଅର୍ପଣ କରାଯାଇଛି । କିନ୍ତୁ ଦୁଃଖର ବିଷୟ ଯେ ଉକ୍ତ ଫଟୋ ଚିତ୍ରରେ କବିଙ୍କ ନାମ ଖଗେଶ୍ୱର ସେଠୀ ଲେଖା ଯାଇଛି, ଯାହାକି ସଂଶୋଧିତ ହୋଇ ସାହିତ୍ୟ ପ୍ରାଣ କବି ଖଗେଶ୍ୱର ଶେଠ ଲେଖା ଯିବା ଉଚିତ ବୋଲି ସ୍ମାରକ ପତ୍ର ମାଧ୍ୟମରେ ଉଲ୍ଲେଖ କରାଯାଇଛି । ଏହା ସହିତ କବିଙ୍କ ଫଟୋ ଚିତ୍ର ମଧ୍ୟ ସଠିକ୍ ଭାବରେ ଅଙ୍କା ଯାଇନାହିଁ, ସେ ଦିଗରେ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି । ତେଣୁ ଓଡ଼ିଶାର ଏକ ବିଶିଷ୍ଟ ବରପୁତ୍ରଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ପୂର୍ବକ ଅତି ଶୀଘ୍ର ସଂଶୋଧନ ତଥା ଫଟୋ ଅଙ୍କନ କରିବାକୁ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ ଯୁବ ସାହିତ୍ୟିକ ଉମାକାନ୍ତ ଭୋଇ ଏହି ଫଟୋ ରାଜଧାନୀରେ ଦେଖିବା ପରେ ସାହିତ୍ୟ ସଂସଦକୁ ସୂଚନା ଦେଇଥିଲେ । ତେଣୁ ଖଗେଶ୍ୱର ସାହିତ୍ୟ କଳା ପରିଷଦ ଆହ୍ଵାନରେ ଦିଆଯାଇଥିବା ସ୍ମାରକ ପତ୍ରରେ ଖଗେଶ୍ୱର ସାହିତ୍ୟ କଳା ପରିଷଦ ପକ୍ଷରୁ ସଭାପତି ମୋହନ ସିଂ କହ୍ନେଇ, ସମ୍ପାଦକ ରାଜେଶ୍ୱର ବେହେରା, ସାମ୍ବାଦିକ ଜିତେନ୍ଦ୍ରିୟ ମେହେର, ନିରଂଜନ ତ୍ରିପାଠୀ, ଉତ୍ତାଲଗଡ ନାଟ୍ୟ ସଂସଦ ତାଲପଦର ପକ୍ଷରୁ ସୁଶାନ୍ତ ମିଶ୍ର, ହୃଦମଣି ସାହୁ, ପ୍ରକାଶ ସାହିତ୍ୟ ସଂସଦ ପଡ଼ାରୁ ଦିଲ୍ଲୀପ କୁମାର ଦେବତା, ବରିଷ୍ଠ ନାଗରିକ ସଂଘରୁ ଶେଷଦେବ ପାଣି, ପୂର୍ଣ୍ଣଚନ୍ଦ୍ର ପରିଡ଼ା, ଆଇନଜୀବୀ ଅରବିନ୍ଦ ପଧାନ, ପ୍ରଶାନ୍ତ ପଧାନ, ଗବେଷକ ଡ. ପ୍ରଦୀପ ପଧାନ, ଯୁବକର୍ମୀ ବିଜୟ ଭୋଇ, ଦୁଷ୍ମନ୍ତ ମେହେର, ପ୍ରଭାତ ରଞ୍ଜନ ସାହୁ, ଦୂର୍ବାଦଳ ବଡଗୁଛିଆ, ବୁଦ୍ଧଦେବ ମେହେର ପ୍ରମୁଖଙ୍କ ନାମ ଏହି ସ୍ମାରକ ପତ୍ରରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.

three + nine =