- ପର୍ଯ୍ୟଟକ ରାଜନେତା ପ୍ରତି ସତର୍କ ରୁହନ୍ତୁ ଜନସାଧାରଣ : ସମରେନ୍ଦ୍ର
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବାସୀ ଜାଣିବା ଦରକାର ବଲାଙ୍ଗିରରେ ଦୀର୍ଘ ୨୦ ବର୍ଷରୁ ଅଧିକହେବ ବିଜେଡି ଦଳର ନେତୃତ୍ୱରେ ପୌର ପରିଷଦ ଚାଲିଛି କିନ୍ତୁ ପୌରାଞ୍ଚଳରେ ସମସ୍ୟାର ସମାଧାନ ପରିବର୍ତ୍ତେ ଲୋକେ ଦିନକୁ ଦିନ ପୌର ପରିଷଦର ଦୁର୍ନୀତି ଯୋଗୁଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ନେତାମାନେ ସବୁ କ୍ଷମତାରେ ଥାଇ ମଧ୍ୟ ଅଧିକାଂଶ ସମୟ ନିର୍ବାଚନ ମଣ୍ଡଳୀରେ ଅନୁପସ୍ଥିତ ରହି ବଲାଙ୍ଗିରର ବିକାଶ ପରିବର୍ତ୍ତେ ବିନାଶ କରିଛନ୍ତି । ଏଣୁ ଏପରି ପର୍ଯ୍ୟଟକ ରାଜନେତାଙ୍କୁ ଆଗାମୀ ଦିନରେ ବଲାଙ୍ଗିର ବାସୀ ଉଚିତ ଜବାବ ଦିଅନ୍ତୁ ବୋଲି ସହରରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଲୋକଙ୍କ ସମସ୍ୟା ଶୁଣିବା ଅବସରରେ ଏ ଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ ସମାନ୍ତବାଦୀ ଶକ୍ତି ଯେତେ ଚେଷ୍ଟା କଲେ ବି ବଲାଙ୍ଗିରର ବିକାଶ ପ୍ରକ୍ରିୟାକୁ ଅଟକାଇ ପାରିବେ ନାହିଁ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋକଙ୍କ ପ୍ରତ୍ୟେକ ସମସ୍ୟାକୁ ଉଚିତ ଢଙ୍ଗରେ ନିଶ୍ଚିତ ସମାଧାନ କରାଯିବ ବୋଲି କହିବା ସହ ଭିତ୍ତି ପ୍ରସ୍ତର ଦିଆ ଯାଇଥିବା ପ୍ରକଳ୍ପ ଗୁଡିକର ନିର୍ମାଣ ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପୂର୍ଣ୍ଣ କରିବା ପାଇଁ ଲୋକଙ୍କ ସହଯୋଗ କାମନା କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ପରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୮, ୧୯,୧୪ରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଶହ ୱାର୍ଡ ନମ୍ବର ୧୬,୧୮ ରେ ବିଧାୟକ ପାଣ୍ଠିରୁ ପ୍ରକଳ୍ପ ନିର୍ମାଣର ବ୍ୟବସ୍ଥା କରାହୋଇଛି । କାର୍ଯ୍ୟକ୍ରମ ଗୁଡିକୁ ନଗର କଂଗ୍ରେସ ସଭାପତି ବୁଲୁଦାନୀ, ଜିଲ୍ଲା ଉପସଭାପତି ସଂତକ ବହିଦାର, ମାନସ ମହାନ୍ତି, ଆନ୍ତ ବେହେରା, ସୌମ୍ୟଦୀପ ସରାଫ, ପବିତ୍ର ବେହେରା ଅଜୟ ବାଲି, ଅଙ୍କିତ ସାହୁ, ନାସିର ଖାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା ।