ବଲାଙ୍ଗିର, (କେପିଏନ୍ଏସ୍) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଦର୍ଶନ ବିଭାଗ ଦ୍ଵାରା ଭଗବତ ଗୀତା ଜୀବନ ପରିଚାଳନାର ଏକ ଉତ୍ସ ଶୀର୍ଷକକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ରୂପେ ଗୀତା ପରିବାର ପୁନେର ମୁଖ୍ୟ ପ୍ରଶିକ୍ଷଣ ଇଂ. କେ. କେ. ଆର, ପାତ୍ର, ମୁଖ୍ୟ ଅତିଥି ରୂପେ କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ର, ସ୍ନାକତୋତ୍ତର ପରିଷଦ ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟ ସହଯୋଗୀ ପ୍ରାଧ୍ୟାପକ ରାଜ କିଶୋର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଦର୍ଶନ ବିଭାଗ ପକ୍ଷରୁ ସହକାରୀ ପ୍ରାଧ୍ୟାପିକା ଡ଼. ପଙ୍କଜିନୀ ମୂଲିଆ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ସହକାରୀ ପ୍ରାଧ୍ୟାପକ ବଂଶୀଧର ଦୀପ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ଡ଼. କେ. କେ. ଆର, ପାତ୍ର, ବିଷୟ ବସ୍ତୁ – ଭଗବତ ଗୀତା; ଜୀବନ ପରିଚାଳନାର ଏକ ଉତ୍ସ ଉପରେ ଆଲୋକପାତ କରି ଭାରତ କିଭଳି ଭାବରେ ଏକ ବିଶ୍ୱଗୁରୁ ନୁହେଁ ବରଂ ଏକ ବିଶ୍ଵ ଗୌରବର ଉତ୍ସ ହୋଇପାରିବ ଓ ଯୁବ ପିଢ଼ିଙ୍କ ଜୀବନ ଏବଂ ଦର୍ଶନରେ ଭଗବତ ଗୀତା କିଭଳି, କିପରି, କାହିଁକି ଗୁରୁତ୍ଵପୁର୍ଣ୍ଣ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ପ୍ରଫେସର ଉମା ବଲ୍ଲଭ ମହାପାତ୍ର ଭଗବତ ଗୀତାର କର୍ମଯୋଗ ଉପରେ ଗୁରୁତ୍ଵ ଦେଇ କର୍ମ ମାଧ୍ୟମରେ ଜୀବନ ପରିଚାଳନା କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ । ଏହି ଆଲୋଚନାଚକ୍ରକୁ ରାଜୀବ ଲୋଚନ ଦାସ ସଂଯୋଜନା କରିଥିବାବେଳେ ସହକାରୀ ପ୍ରାଧ୍ୟାପକ ଜାଭିୟର ଖେସ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ଅଧ୍ୟାପକ ଚିତ୍ତରଂଜନ ପରିଡ଼ା ସହଯୋଗ କରିଥିଲେ । ଦର୍ଶନ ବିଭାଗର ଛାତ୍ରଛାତ୍ରୀମାନେ ଆଲୋଚନାଚକ୍ରରେ ଭାଗ ନେବା ସହ ଅନ୍ୟାନ୍ୟ ବିଭାଗର ପ୍ରାଧ୍ୟାପକ, ପ୍ରଧ୍ୟାପିକା, ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନେ ଅନେକ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।
Prev Post
Next Post