ବଲାଙ୍ଗିର, (କେପିଏନ୍ଏସ୍) : ସାଗରତଳଗୋଠ ଛକଠାରେ ଗତ ୭ ଦିନ ହେଲା ଚାଲିଥିବା ମେଣ୍ଡା ବାରପାହାଡ ମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ଏଥିରେ ୫ମ ସଂଧ୍ୟାରେ ମୁଖ୍ୟ ଅତିଥି ଭାବରେ ସୋନପୁର ବିଧାୟକ ତଥା ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଝାରୀ ଯୋଗଦେଇଥିଲେ । ସେ ମହୋତ୍ସବରେ ଉଦ୍ବୋଧନ ଦେଇ କହିଛନ୍ତି ଯେ, ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପରୁ ନିକଟସ୍ଥ ପୁଆ, ଜରାଜାରିଂ ଓ ଶିବତଳା ପଞ୍ଚାୟତର ୧୭ଟି ଗ୍ରାମକୁ ଜଳସେଚିତ କରାଯିବ । କିନ୍ତୁ ଉପରପଟେ ଥିବା ରାଣିସର୍ଡା, ମେଣ୍ଡା, ଦେଓଳପଦର ଓ ପାଇକବାହାଲ ପଞ୍ଚାୟତର ଚାଷୀମାନଙ୍କ ପାଇଁ ପୁଆ-ଦେଉଳପଦର ମଝିରେ ସୁକତେଲ ନଦୀରେ ଏକ ଭୂତଳ ଜଳସଂରକ୍ଷଣ କେନ୍ଦ୍ର(ଆଇଏସ୍ଏସ୍) ନିର୍ମାଣ କରାଯିବାକୁ ପ୍ରସ୍ତାବ କରାଯାଉଛି । ସେଠାରୁ ମେଗା ଉଠାଜଳସେଚନ ଜରିଆରେ ଚାଷୀଙ୍କ ଜମିକୁ ଜଳସେଚିତ କରାଯାଇ ପାରିବ । ଏହି ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ଦେବାକୁ ପଦ୍ମପୁର ଇନଭେଷ୍ଟିଗେସନ ଡିଭିଜନକୁ ଦାୟିତ୍ୱ ଦିଆଯାଇଛି । ଚଳିତବର୍ଷ ସୋନପୁର ମହାନଦୀରେ ଦୁଇଟି ବଡବଡ ଜଳ ପ୍ରକଳ୍ପ ହାତକୁ ନିଆଯାଇଛି । ସେହିପରି ଅନେକ ଗୁଡିଏ ବିକାଶମୂଳକ କାମ ମଧ୍ୟ କରାଯାଇଛି ବୋଲି ମନ୍ତ୍ରୀ ନିରଂଜନ ପୂଝାରୀ କହିଥିଲେ । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଶ୍ରୀ ପୂଜାହାରୀଙ୍କ ସହିତ ତରଭା ବ୍ଲକ ଅଧ୍ୟକ୍ଷ ସରୋଜକୁମାର କମ୍ପ ଯୋଗଦେଇଥିଲେ । ଶ୍ରୀ କମ୍ପ ତାଙ୍କ ବକ୍ତବ୍ୟରେ ଅଞ୍ଚଳରେ କରାଯାଇଥିବା ବିକାଶମୂଳକ କାମ ବିଷୟରେ କହିବା ସହିତ ଲୋକଙ୍କ ଦାବୀମୁତାବକ ମନ୍ତ୍ରୀ ଦେବୀ ବାରପାହାଡଙ୍କ ପୀଠକୁ ଇକୋଟୁରିଜମରେ ସାମିଲ କରାଇ ୨୯ଲକ୍ଷ ଟଙ୍କା ମଞ୍ଜୁର କରାଇଛନ୍ତି ବୋଲି କହିଥିଲେ । ଏହି ଅବସରରେ ବଲାଙ୍ଗିର ଫଟକରାର ମଞ୍ଚକଳାକାର ଅନୀଲ ନାୟକ ଓ ଟିମଙ୍କ ଦ୍ୱାରା କଂସଦରବାର କରାଯାଇ ଦର୍ଶକଙ୍କ ମନୋରଂଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆୟୋଜକ କମିଟିର ରାଜେନ୍ଦ୍ର ପଣ୍ଡା, ବିଭୁତିଭୂଷଣ ଝାଙ୍କର, ନାଥ ସା, ରାଜେନ୍ଦ୍ର ଝାଙ୍କର, ଦେବେନ୍ଦ୍ର ପର୍ଦ୍ଧିଆ, ନକୁଳ କର୍ଣ୍ଣ, ଭାଗିରଥି ସାହୁ, ଚକ୍ରଧର ସା, ପୁଆ ସମିତିସଭ୍ୟ ହେମନ୍ତ ମାଝୀ, ରାଣିସର୍ଡା ସରପଞ୍ଚ ପ୍ରମୁଖଙ୍କ ସମେତ ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ରହିଥିଲେ ।