jayashree

୫-ଟି ସ୍କୁଲ ରୂପାନ୍ତରଣର ୪ର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ଯାଜପୁର ଜିଲ୍ଲାର ୮୭ଟି ସ୍କୁଲ ଲୋକାର୍ପିତ

  • ୪ଟି ପର୍ଯ୍ୟାୟରେ ସମୁଦାୟ ୮୬୮୧ଟି ସ୍କୁଲର ଲୋକାର୍ପଣ
  • ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗ ପିଲାଙ୍କୁ ଯୁଗୋପଯୋଗୀ କରିପାରିଛି,
  • ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ : ମୁଖ୍ୟମନ୍ତ୍ରୀ
  • ୫-ଟି ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବା ପାଇଁ ସାହାସ ଦେଇଛନ୍ତି, ଏଥିପାଇଁ ସୁଯୋଗ ସୃଷ୍ଟି କରିଛନ୍ତି, ଏସବୁ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି, ନିଜର ଭାବି ଭଲଭାବେ ରକ୍ଷଣାବେକ୍ଷଣ ପାଇଁ ଅନୁରୋଧ କଲେ ୫-ଟି ଅଧ୍ୟକ୍ଷ
  • ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ କ୍ଷେତ୍ରରେ ଜଣେ ଅନୁଭବି ଓ ଦରଦି ମଣିଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନାଁ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ : ମନ୍ତ୍ରୀ ଓ ବିଧାୟକଗଣ
  • ୫-ଟି ରୂପାନ୍ତରଣ ଯୋଗୁ ଆମ ବିଦ୍ୟାଳୟର ପରିବେଶ ଓ ଶିକ୍ଷା ଭିତ୍ତିଭୂମି ସଂପୂର୍ଣ୍ଣ ଭିନ୍ନ ପରିଲକ୍ଷିତ ହେଉଛି : ଛାତ୍ରୀ

ଭୁବନେଶ୍ୱର : ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ଚତୁର୍ଥ ପର୍ଯ୍ୟାୟର ଅନ୍ତିମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ୮୭ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ ତିନୋଟି ପର୍ଯ୍ୟାୟରେ ରାଜ୍ୟରେ ସ୍କୁଲ ରୂପାନ୍ତରିତ ହୋଇଛି । ଚତୁର୍ଥ ପର୍ଯ୍ୟାୟରେ ସମୁଦାୟ ୧୭୯୪ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା । ଏହି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୮୬୮୧ଟି ସ୍କୁଲ ରୂପାନ୍ତରିତ ହେଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଜିଲ୍ଲାର ବିଧାୟକ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ରୂପାନ୍ତରିତ ସ୍କୁଲରେ ପିଲାଙ୍କ ସଫଳ ଭବିଷ୍ୟତ ପାଇଁ ସବୁ ସୁଯୋଗ ରହିଛି । ପିଲାମାନେ ଆଗାମୀ ଦିନରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶାର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଏବେ ଓଡିଶାରେ ରୂପାନ୍ତରର ଯୁଗ ଚାଲିଛି । ଶିକ୍ଷା ହିଁ ଆମ ସମାଜର ସାମୁହିକ ଚିନ୍ତାଧାରକୁ ଉଚ୍ଚସ୍ତରକୁ ନେଇଥାଏ । ସ୍କୁଲ ରୂପାନ୍ତର ଓଡିଆ ଜାତିରେ ନୂଆ ଜାଗରଣର ମାର୍ଗ ପ୍ରଶସ୍ତ କରିଛି ବୋଲି ସେ କହିଥିଲେ । ସ୍କୁଲ କଲେଜଠାରୁ ଆରମ୍ଭ କରି ହସ୍‌ପିଟାଲ, ପର୍ଯ୍ୟଟନ କ୍ଷେତ୍ର, ମଠ ମନ୍ଦିର, ପଞ୍ଚାୟତ, ଗାଁ ସବୁଠାରେ ରୂପାନ୍ତର କାର୍ଯ୍ୟ ଚାଲିଛି । ଏକ ନୂଆ ଓଡିଶା, ସଶକ୍ତ ଓଡିଶା ଗଠନ ପାଇଁ ଏହି ରୂପାନ୍ତର ରାସ୍ତା ପ୍ରସ୍ତୁତ କରୁଛି । ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଯେ ଏସବୁ ରୂପାନ୍ତର କାର୍ଯ୍ୟକ୍ରମ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଓ ଶ୍ରେଷ୍ଠ ହେଉଛି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ । ସ୍କୁଲରୁ ହିଁ ଗୋଟିଏ ଜାତିର ଭବିଷ୍ୟତ ନିର୍ମାଣ ହୋଇଥାଏ । ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ୫ଟିର ଗୁରୁତ୍ଵ ବୁଝାଇ ଥିଲେ । ସେ କହିଥିଲେ ଯେ ପିଲାମାନେ ନିଜ ଜୀବନରେ ଏହାକୁ ପ୍ରୟୋଗ କଲେ ନିଶ୍ଚୟ ସଫଳ ହେବେ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ୫ଟି ଉପକ୍ରମରେ ଏହି ରୂପାନ୍ତର କାର୍ଯ୍ୟକ୍ରମରେ ତୁମ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର, ଅତ୍ୟାଧୁନିକ ଲାବୋରେଟେରୀର ବ୍ୟବସ୍ଥା କରାଯାଇଛି । ଏହା ହେଉଛି ଟେକ୍ନୋଲୋଜିର ପ୍ରୟୋଗ । ସେହିଭଳି ଟିମ୍‌ୱାର୍କ ଜରିଆରେ ସମସ୍ତେ ମିଳିମିଶି କାମ କରୁଛନ୍ତି । ସମସ୍ତଙ୍କ ସହ ଆଲୋଚନା କରି ସବୁ କାମ ସ୍ୱଚ୍ଛତାର ସହ କରାଯାଉଛି । ଏହିସବୁର ଉପଯୋଗରେ ତୁମ ସ୍କୁଲମାନଙ୍କରେ ଆସିଛି ରୂପାନ୍ତର । ଯାହାକୁ ତୁମେ ଏବେ ଦେଖୁଛ ଓ ଅନୁଭବ କରୁଛ । ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗ ପିଲାଙ୍କୁ ଯୁଗୋପଯୋଗୀ କରିପାରିଛି, ରୂପାନ୍ତରିତ ସ୍କୁଲର ପିଲା ଜୀବନର ସବୁ କ୍ଷେତ୍ରରେ ସଫଳ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପିଲାମାନଙ୍କ ଭବିଷ୍ୟତ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ସରକାରୀ ସ୍କୁଲର ପିଲାମାନଙ୍କ ପାଇଁ ମେଡିକାଲ ଓ ଇଂଜିନିଅରିଂ କଲେଜରେ ୧୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି । ସରକାରୀ ସ୍କୁଲ ମାନଙ୍କରେ ପିଲାମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ବହୁ ଉନ୍ନତି ଆସିଛି । ଏବେ ସରକାରୀ ସ୍କୁଲରେ ପାଠ ପଢିବା ପାଇଁ ପିଲା ଓ ଅଭିଭାବକ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହେଉଛି । ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଆହ୍ୱାନ ଦେଇ କହିଥିଲେ ଯେ ତୁମେମାନେ ତୁମ ଜୀବନରେ ୫ଟି ନୀତିର ପ୍ରୟୋଗ କର । ଏହା ତୁମମାନଙ୍କ ପାଇଁ ସଫଳତା ଆଣିଦେବ । ତୁମେମାନେ ନୂଆ ନୂଆ ବୈଷୟିକ ଜ୍ଞାନକୌଶଳ ବିଷୟରେ ଜାଣିବାକୁ ଚେଷ୍ଟା କର । ମିଳିମିଶି କାମ କର । ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଟିମ୍‌ ୱାର୍କର ବିଶେଷ ଭୂମିକା ରହିଛି । ସ୍ୱଚ୍ଛତା ଓ ସାଧୁତା ହେଉଛି ମଣିଷ ଜୀବନର ଶ୍ରେଷ୍ଠ ଗୁଣ । ଜୀବନର ସବୁ କ୍ଷେତ୍ରରେ ସାଧୁତା ଅବଲମ୍ବନ କରିବାକୁ ଚେଷ୍ଟା କର । ସମୟ ହେଉଛି ତୁମ ମାନଙ୍କ ପାଇଁ ସବୁଠାରୁ ମୂଲ୍ୟବାନ । ସମୟକୁ ନଷ୍ଟ ନ କରି ତାର ଉପଯୋଗ କର । ଏହି ଚାରୋଟି ନୀତିକୁ ଅନୁସରଣ କଲେ ଜୀବନରେ ସଫଳତା ହାସଲ କରି ରୂପାନ୍ତର ଆସିବ । କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଯୋଗୁ ଯାଜପୁରର କୋଣ ଅନୁକୋଣରେ ରହୁଥିବା ସାଧାରଣ ମଣିଷ ତାର ପିଲାର ଭଲ ପାଠପଢିବା ଚିନ୍ତାରୁ ମୁକ୍ତ ହୋଇଛି । ଗୋଟିଏ ସାଧାରଣ ଗରିବ ପିଲା ଆଜି ଭଲ ପାଠ ପଢିବା ପାଇଁ ଆଉ ସହରକୁ ଯିବାକୁ ପଡିବ ନାହିଁ । ଘର ପାଖରେ ମୁଖ୍ୟମନ୍ତ୍ରୀ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ୫ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି ଓଡିଶାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ରୂପାନ୍ତର ଆସିଛି ବୋଲି ସେ କହିଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ବିଜ୍ଞାନ ଓ ବୈଷୟିକ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ ଯେ ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ମାଗଣାରେ ବହି, ମଧ୍ୟାହ୍ନ ଭୋଜନ ଓ ପୋଷାକ ଦିଆଯାଉଛି ଯାହା ଅନ୍ୟ ରାଜ୍ୟରେ ପ୍ରାୟତଃ ଦେଖାଯାଉ ନାହିଁ । କେବଳ ପିଲାମାନଙ୍କ ପ୍ରତି ନୁହେଁ, ସମାଜର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇ ଜଣେ ଅନୁଭବି ଓ ଦରଦି ମଣିଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ନାଁ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ଉତ୍ତମ ଶିକ୍ଷା ଦାନ ପାଇଁ ସବୁ ବ୍ୟବସ୍ଥା କରିଛନ୍ତି । ଉତ୍ତମ ଶିକ୍ଷାଦାନ ଦେଇ ଭଲ ମଣିଷ ତିଆରି କରିବା ପାଇଁ ଶିକ୍ଷକମାନଙ୍କୁ ଏହି ଅବସରରେ ସେମାନେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ କହିଲେ ଯେ ୫ଟି ରୂପାନ୍ତରଣ ସରକାରୀ ସ୍କୁଲଗୁଡିକର ଗୁରୁତ୍ୱ ବୃଦ୍ଧି କରିଛି । ଯାଜପୁରର ୮୭ଟି ବିଦ୍ୟାଳୟ ସହିତ ରାଜ୍ୟର ୩୦ଟି ଜିଲ୍ଲାରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଶେଷ ହୋଇଛି । ୨୦୨୧ ଫେବୃଆରୀ ମାସରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହା ଏକ କାର୍ଯ୍ୟକ୍ରମ ମଧ୍ୟରେ ସୀମିତ ନ ରହି ଏକ ଆନ୍ଦୋଳନରେ ପରିଣତ ହୋଇଥିଲା । ସମସ୍ତଙ୍କ ସହଯୋଗରେ ରାଜ୍ୟର ୮୬୮୧ଟି ସ୍କୁଲ ରୂପାନ୍ତରଣ ହୋଇଛି । ଏଗୁଡିକ ଆପଣମାନଙ୍କ ସମ୍ପତ୍ତି । ଏହାକୁ ନିଜର ସମ୍ପତ୍ତି ବୋଲି ଭାବି ଏହାର ରକ୍ଷଣାବେକ୍ଷଣ ଆପଣମାନେ କରିବେ । ପିଲାମାନଙ୍କୁ ଏହି ରୂପାନ୍ତରିତ ସ୍କୁଲରେ ଭଲ ପାଠ ପଢି ଉଜ୍ଜଳ ଭବିଷ୍ୟତ ଗଢିବା ପାଇଁ ପରାମର୍ଶ ଦେଇଥିଲେ । ୫ଟି ସ୍କୁଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ବଡ ବଡ ସ୍ୱପ୍ନ ଦେଖିବା ପାଇଁ ସାହାସ ଦେଇଛନ୍ତି । ଏଥିପାଇଁ ସୁଯୋଗ ସୃଷ୍ଟି କରିଛନ୍ତି । ଏସବୁ ହେଉଛି ରାଜ୍ୟବାସୀଙ୍କ ସମ୍ପତ୍ତି । ସ୍କୁଲମାନଙ୍କରେ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗକୁ ନିଜର ଭାବି ଭଲଭାବେ ରକ୍ଷଣାବେକ୍ଷଣ କରିବା ପାଇଁ ସେ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥାର ରୂପାନ୍ତରଣ ହେଉଛି, ନୂଆ ଓଡିଶା ଗଠନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ । ୫ଟିର ଉପଯୋଗରେ ଏହି ଦୁଇଟି ଯାକ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସି ଆଜି ଓଡିଶା ଏକ ଉଦାହରଣୀୟ ସ୍ଥାନରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀଙ୍କର ଏହି ଯୁଗାନ୍ତକାରୀ ପଦକ୍ଷପ ଯୋଗୁଁ ଆଜି ସବୁ ସ୍କୁଲର ରୂପାନ୍ତରଣ ହୋଇଛି । ସରକାରୀ ସ୍କୁଲରେ ଘରୋଇ ସ୍କୁଲର ବାତାବରଣ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀଙ୍କର ଏହି ପ୍ରଚେଷ୍ଟା ବଳରେ ରାଜ୍ୟର ପିଲାମାନେ ଶିକ୍ଷା ମାଧ୍ୟମରେ ନିଶ୍ଚୟ ସଶକ୍ତ ହେବେ ବୋଲି ସେ କହିଥିଲେ । ୫ଟି ସ୍କୁଲ ରୂପାନ୍ତର ସଂପର୍କରେ ଯାଜପୁର ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ସାଇକ୍ରିଷ୍ଣା ପଣ୍ଡା ତାଙ୍କ ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ୫ଟି ରୂପାନ୍ତରଣ ଯୋଗୁ ଆଜି ଆମ ବିଦ୍ୟାଳୟର ପରିବେଶ ଓ ଶିକ୍ଷା ଭିତ୍ତିଭୂମି ସଂପୂର୍ଣ୍ଣ ଭିନ୍ନ ପରିଲକ୍ଷିତ ହେଉଛି । ଏହାକୁ ପ୍ରତ୍ୟକ୍ଷ ଭାବେ ନ ଦେଖିଲେ କେହି ବିଶ୍ୱାସ କରିବେ ନାହିଁ । ସ୍କୁଲର ନୂଆ ପରିବେଶରେ ଆମକୁ ପାଠ ପଢିବା ପାଇଁ ବହୁତ ଭଲ ଲାଗୁଛି ଏବଂ ଭବିଷ୍ୟତରେ ଜଣେ ଡାକ୍ତର ହେବେ ବୋଲି କହି ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ୱଥୀ ଏସ୍‌ ଧନ୍ୟବାଦ ଅର୍ପଣ କରିଥିଲେଏବଂ ବିଭାଗୀୟ ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.