ବିଧାୟକଙ୍କ ଦେଓଗାଁ ଗସ୍ତ : ଚାଷୀ ଆନ୍ଦୋଳନରେ ସାମିଲ ହେଲେ ନରସିଂହ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତକୁ ଗସ୍ତ କରି ମୁଣ୍ଡପଲା ଛକ ଠାରେ କେନ୍ଦ୍ର କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଆନ୍ଦୋଳନରତ ଚାଷୀଙ୍କୁ ଶ୍ରୀ ମିଶ୍ର ସମର୍ଥନ ଜଣାଇବା ସହ କେନ୍ଦ୍ରର କଳା କୃଷି ଆଇନ ଫେର‌ସ୍ତ ନହେଲେ ଏହା ଆଗାମୀ ଦିନରେ କିପରି ଚାଷୀ ସମାଜ ତଥା ଦେଶର କୃଷି କେନ୍ଦ୍ରିକ ଅର୍ଥନୀତିକୁ ବର୍‌ବାଦ୍‌ କରିଦେବ ସେ ଉପରେ ଚାଷୀଙ୍କୁ ସଚେତନ କରିଥିଲେ । ସେ କହିଥିଲେ, କେନ୍ଦ୍ରର କଳା କୃଷି ଆଇନ ଚାଷୀ ତଥା ଜନସାଧାରଣଙ୍କ ହିତ ପାଇଁ ନୁହେଁ, ଏହା କେବଳ ଦେଶର ମୁଷ୍ଟିମେୟ ପୁଞ୍ଜିପତି କଂପାନୀ ମାଲିକଙ୍କ ହିତ ପାଇଁ ଉଦ୍ଦିଷ୍ଟ । ଏହି ଆଇନକୁ କେନ୍ଦ୍ର ସରକାର ସମ୍ପୁର୍ଣ୍ଣ ଭାବେ ଫେରାଇ ନ ନେବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଦେଶବ୍ୟାପୀ ଚାଲିଥିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ପରେ ଆମ୍‌ଦହନ ଏବଂ ରତାଖଣ୍ଡି ଠାରେ ସାଧାରଣ ଜନତାଙ୍କୁ ଭେଟି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ୟ୍ୟ ତଥା ଲୋକଙ୍କ ଚାହିଦା ମୁତାବକ ଆଗାମୀ ଦିନରେ ଏହି ଅଂଚଳରେ କରିବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଆଲୋଚନା କରିଥିଲେ । ବିଶେଷ କରି ଜଳ ସେଚନ, ବାର୍ଦ୍ଧକ୍ୟ ଭତ୍ତା, ଇନ୍ଦିରା ଆବାସ ଯେମିତି ଯୋଗ୍ୟ ଲୋକମାନେ ପାଇ ପାରିବେ ତାର ଉପରେ ସଭାରେ ଆଲୋଚନା କରାଯାଇଥିଲା । ସେଠାରେ ଥିବା ପୋଖରୀର ଜଳଧାରଣ କ୍ଷମତା ବଢାଇବା ପାଇଁ ନିଜ ବିଧାୟକ ପାଣ୍ଠିରୁ ଅର୍ଥ ମଞ୍ଜୁର କରିବେ ବୋଲି ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ । ଆଜିର ଏହି ଗସ୍ତ କାର୍ୟ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ବ୍ୟତିତ ଜିଲ୍ଲା ସେବାଦଳ ମୁଖ୍ୟ ଅସୀତ ମିଶ୍ର, ସାଧୁ ନାଏକ, ଅନନ୍ତ ଚୈାହାନ, ପ୍ରଫୁଲ୍ଲ ଦାଶ, ପପୁ ପାତ୍ର, ହିମାଂଶୁ ଗଡତ୍ୟା, କୁନା ସାହୁ, ମାଣିକ ପାତ୍ର, ସମିର ସାହୁ, ପ୍ରଶାନ୍ତ ରଣା, ବରିଷ୍ଠ ନାଗରିକ ସୂର୍ୟ୍ୟମଣି ସାହୁ, ସାହେବ ରଣା, ପ୍ରଦୀପ ପଣ୍ଡା, ସତ୍ୟ କାଲସାଏ, ଆନନ୍ତ ଚୈାହାନ, ହିମାଂଶୁ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.