jayashree

ଆୟୁର୍ବେଦିକ କଲେଜ ଓ ହସପିଟାଲର ବାର୍ଷିକ ଉତ୍ସବରେ ନରସିଂହ

  • କଲେଜକୁ କବିରାଜ ଚତୁର୍ଭୁଜ ରାଏଗୁରୁଙ୍କ ନାମରେ ନାମିତ କରାଯାଉ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁରାଣ କାଳରୁ ଆୟୁର୍ବେଦ ପ୍ରତି ଲୋକଙ୍କ ବହୁତ ଆସ୍ଥା ଓ ବିଶ୍ୱାସ ଅଛ । ଦେଶରେ ଚିକିତ୍ସା କ୍ଷେତ୍ରରେ ଆଧୁନିକ ବୈଷୟିକ କୌଶଳ ଉପଯୋଗ ହେବା ପୂର୍ବରୁ କବିରାଜମାନେ ହିଁ ବିଶେଷ କରି ଚିକିତ୍ସା କ୍ଷେତ୍ରକୁ ସମ୍ଭାଳି ରଖିଥିଲେ । ସେ ସମୟରେ ଏପରି କବିରାଜମାନେ ଥିଲେ ଯେଉଁମାନେ କି ଅନେକ ରୋଗୀଙ୍କୁ ଦୁରାରୋଗରୁ ମୁକ୍ତି ଦେଇପାରୁଥିଲେ ସେପରି କବିରାଜ ଜଣେ ଥିଲେ ଅବିଭକ୍ତ ବଲାଙ୍ଗିର ଜିଲ୍ଲା ସୋନପୁରର କବିରାଜ ଚତୁର୍ଭୁଜ ରାଏଗୁର । ସେପରି କବିରାଜ ଓ ତାଙ୍କ ଚିକିତ୍ସା ପଦ୍ଧତି ପ୍ରାୟତଃ ବିରଳ । ଆୟୁର୍ବେଦ ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନ ଅବର୍ଣ୍ଣନୀୟ ଓ ଅତୁଳନୀୟ । ତେଣୁ ମୁଁ ନିଶ୍ଚିତ ଭାବରେ ପ୍ରସ୍ତାବ ଦେବି ଯେ ଏହି ସରକାରୀ ଆୟୁର୍ବେଦିକ କଲେଜ ଓ ହସପିଟାଲକୁ ତାଙ୍କ ନାଁରେ ନାମିତ କରାଯାଉ ବୋଲି ଅନୁଷ୍ଠାନର ବାର୍ଷିକ ଉତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କର ଅନୁଭୂତି ଅଛି କବିରାଜ ରାଏଗୁରୁ ସମ୍ବିଧାନ ପ୍ରଣେତା ସଦସ୍ୟ ଥିବା ତାଙ୍କ ପିତା ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କୁ ପରିବାର ଲୋକେ ଆଉ ଜୀବିତ ରହିବେ ନାହିଁ ଭାବି ବାଲିଶଯ୍ୟାରେ ସୁଆଇ ସାରିଥିଲେ କିନ୍ତୁ ଏହି କବିରାଜ ଚତୁର୍ଭୁଜ ରାଏଗୁରୁ ହିଁ ତାଙ୍କର ଆୟୁର୍ବେଦିକ ଚିକିତ୍ସା ବଳରେ ତାଙ୍କୁ ପୁଣି ସୁସ୍ଥତା ପ୍ରଦାନ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ଅଖିଳ ଚନ୍ଦ୍ର ହୋତା ଯୋଗଦେଇ ଡାକ୍ତରମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ ପାଇଁ ବ୍ରତି ହେବାକୁ କହିଥିଲେ । ଛାତ୍ର ସଂସଦ ସଂପାଦକ ବୁଲୁ ମେହେର ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଛାତ୍ର ସଂସଦ ସଭାପତି ସତ୍ୟମ ଚନ୍ଦ୍ରାକର କଲେଜର ବିଭିନ୍ନ ସମସ୍ୟା ଉପରେ ଅତିଥିମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏ ଅବସରରେ ଡାକ୍ତର ସୁଶିଲ କୁମାର ମେହେର ସ୍ମୃତି କମିଟି ତରଫରୁ ଡା. ବୈଶାଳି ଦାନି ଓ ଡା. ଇପ୍‌ସିତା ସାହୁଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଥିଲା । ସଞ୍ଜିବନୀ ସେବା ସଂଗଠନ ତରଫରୁ ଡା. ସନ୍ତୋଷ ଧଳ ଓ ଡା. ପ୍ରତ୍ୟୁଷ ମହାପାତ୍ରଙ୍କୁ ଦତ୍ତାତ୍ରେୟ ସମ୍ମାନ ଓ ଡା. ବୈଶାଳି ଦାନି, ଡା. ସୌମ୍ୟରଂଜନ ଜେନାଙ୍କୁ ଅଗ୍ନିବେଶ ସମ୍ମାନ ପ୍ରଦାନ କରାଯାଇଥିଲା । ଛାତ୍ର ସଂସଦର ଉପଦେଷ୍ଟା ଶୁଶାନ୍ତ ମେହେର ଧନ୍ୟବାଦ ପ୍ରଦାନ ପରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.