ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାସ୍ତରୀୟ ସଂସାଧନ ସଭ୍ୟଙ୍କ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣ ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଅତିଥି ଭାବରେ ଯୋଗଦେଇ ସୂଚନା, ଶିକ୍ଷା, ଯୋଗାଯୋଗ କାର୍ଯ୍ୟକ୍ରମ ଆଧାରରେ ଲୋକକଳାର ପ୍ରୟୋଗ କିପରି କରାଯିବ ତାହାର ତାଲିମ ପ୍ରଦାନ କରାଯାଇଥିଲା । ଏହା ଦ୍ୱାରା ଲୋକକଳା, କଳାକାର ତଥା କଳା ମାଧ୍ୟମରେ ସରକାରୀ ଯୋଜନା ସଂପର୍କରେ ସଚେତନ ହେଉଥିବା ଜନତାଙ୍କ ପାଇଁ ସୁନ୍ଦର ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ସେ କହିଥିଲେ । ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି ସୁଦାମ ବିଶି, ବଙ୍ଗୋମୁଣ୍ଡା ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ରେଣୁରଂଜନ ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମଞ୍ଚାସୀନ ଥିଲେ । ସୂଚନା, ଶିକ୍ଷା, ଯୋଗାଯୋଗ ଆଧାରରେ ଲୋକ କଳା ପରିବେଷଣ କରି ଲୋକଙ୍କୁ କେମିତି ଅବଗତ କରିହେବ ସେ ବିଷୟରେ ଆଲୋଚନା କରିଥିଲେ । କଳାକାରମାନେ ଶେଷରେ ଲୋକ କଳା ପରିବେଷଣ କରିଥିଲେ । ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ କଳାକାରମାନେ କିପରି ପହଞ୍ଚେଇବେ ସେ ବିଷୟରେ କାର୍ଯ୍ୟକ୍ରମରେ ବିଶେଷ ଆଲୋଚନା ହୋଇଥିଲା । ସନ୍ଦୀପ କୁମାର କୁଅଁର ସଭାକୁ ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ସାହୁ କଳାକାରମାନଙ୍କର କାର୍ଯ୍ୟକ୍ରମ ପରିବେଷଣ, ସୂଚନା ଓ ବିଭିନ୍ନ ବ୍ୟବସ୍ଥା ସଂପର୍କରେ ବୁଝାଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ତାଲିମ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।