ବ୍ରହ୍ମପୁରରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଗୌରବମୟ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡେପୁଟି କଲେକ୍ଟର କସ୍ତୁରୀ ସ୍ୱାଇଁ ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ଘ ୪.୩୦ମି଼ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ବ୍ରହ୍ମପୁର ସହରରେ ରାମଧୂନ ପରିବେଷଣ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୭ ଘଣ୍ଟାରେ ପତାକା ଉତ୍ତୋଳନ କରିବେ । ସକାଳ ଘ ୮.୩୦ମି଼ ସମୟରେ ସ୍ଥାନୀୟ ଖୋଲିକୋଟ ବିଶ୍ଵବିଦ୍ୟାଳୟ ଷ୍ଟାଡିୟମଠାରେ ଆନୁଷ୍ଠାନିକ ଭାବେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ୟାରେଡ୍ ଅଭ୍ୟାସ ନିମନ୍ତେ ଆସନ୍ତା ୨୨ ଓ ୨୩ ତାରିଖ ଅପରାହ୍ନ ୩ଘଣ୍ଟା ଏବଂ ୨୪ ତାରିଖ ସକାଳ ୮ଘଣ୍ଟା ସମୟରେ ଅଭ୍ୟାସ କରାଯିବା ନିମନ୍ତେ ସ୍ଥିର କରାଯାଇଛି । ଚଳିତ ଜାନୁଆରୀ ୧୨,୧୩ ଓ ୧୪ ତାରିଖରେ ବ୍ରହ୍ମପୁର ମହାନଗରର କୋର୍ଟପେଟାଠାରେ ଥିବା ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ କୋର୍ଟପେଟାଠାରେ ଚିତ୍ରାଙ୍କନ, ବକ୍ତୃତା ଓ ରଚନା ପ୍ରତିଯୋଗିତା ସକାଳ ୮ ଘଣ୍ଟା ସମୟରେ ଆୟୋଜିତ ହେବ । ଏହି ବୈଠକକୁ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା ପରିଚାଳନା କରିଥିବା ବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗର କର୍ମଚାରୀ ଲୋକନାଥ ଶତପଥୀ, ରବୀନ୍ଦ୍ର ସାହୁ ଓ ମମତା ମହାନ୍ତି ସହଯୋଗ କରିଥିଲେ ।

Leave A Reply

Your email address will not be published.