ମାଲକାନଗିରି ବିମାନ ବନ୍ଦର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

  • ରୂପାନ୍ତର ପଥେ ମାଲକାନଗିରି
  • ଆକାଶପଥରେ ଯୋଡି ହେଲା ମାଲକାନଗିରି
  • ୨୩୩ ଏକର ପରିବ୍ୟାପ୍ତ ଅଞ୍ଚଳରେ ରନୱେ ନିର୍ମିତ, ୭୦ କୋଟି ଟଙ୍କା ଖର୍ଚ୍ଚ
  • ମାଲକାନଗିରି ଜିଲ୍ଲାରେ ସପ୍ତଧାରା ନଦୀରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
  • ଖର୍ଚ୍ଚ ହେବ ୪,୦୦୦ କୋଟି ଟଙ୍କା, ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା
  • ମାର୍ଚ୍ଚ ମାସରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ମାଲାକାନଗିରି ଗସ୍ତ ସମୟରେ
    ଜନସାଧାରଣଙ୍କଠାରୁ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ

ଭୁବନେଶ୍ୱର : ରୂପାନ୍ତର ଯାତ୍ରାରେ ଆଉ ଏକ ପାଦ ଆଗେଇଲା ମାଲକାନଗିରି । ଆକାଶପଥରେ ଯୋଡି ହୋଇ ଇତିହାସ ରଚିଲା ମାଲକାନଗିରି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ ଏକ ବିମାନ ବନ୍ଦର ଉଦ୍‌ଘାଟନ କରିଛନ୍ତି । ଏହା ଦ୍ୱାରା ମାଲକାନଗିରି ସ୍ୱପ୍ନ ପୂରଣ ହୋଇଛି । ମାଲକାନଗିରି ଆକାଶପଥ ମାନଚିତ୍ରରେ ସ୍ଥାନିତ ହୋଇଛି । ଏହା ଦ୍ୱାରା ମାଲକାନଗିରି ଜିଲ୍ଲା ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗ, ପର୍ଯ୍ୟଟନ ଓ ବାଣିଜ୍ୟ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ ପୂର୍ବରୁ କୋରାପୁଟର ଜୟପୁର, କଳାହାଣ୍ଡିର ଉତ୍‌କେଲା, ରାଉରକେଲା, ଗଞ୍ଜାମର ରଙ୍ଗେଇଲୁଣ୍ଡାରେ ବିମାନ ବନ୍ଦର ସ୍ଥାପନ କରାଯାଇଛି । ଏହା ପରେ ଆଜି ମାଲକାନଗିରିକୁ ମଧ୍ୟ ଆକାଶପଥରେ ସଂଯୋଗ କରାଯିବାପରେ ସାରା ରାଜ୍ୟର ଦୂରବର୍ତ୍ତୀ ଅଞ୍ଚଳ ଗୁଡିକରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଓଡିଶାରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ । ମାଲକାନଗିରି ବିମାନବନ୍ଦର ୨୩୩ ଏକର ଅଞ୍ଚଳରେ ପରିବ୍ୟାପ୍ତ ଏବଂ ଏଥିରେ ୧୬୨୦ ମିଟର ଦୀର୍ଘ୍ୟ ଓ ୩୦ ମିଟର ପ୍ରସ୍ଥ ବିଶିଷ୍ଟ ଏକ ରନୱେ ନିର୍ମାଣ କରାଯାଇଛି । ଏଥିପାଇଁ ୭୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଉଦ୍‌ଘାଟନ ସମୟରେ ମୁଖମନ୍ତ୍ରୀଙ୍କ ସହିତ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଆଜି ମାଲକାନଗିରି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏଥି ପାଇଁ ୪୦୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ସୂଚନାଯୋଗ୍ୟ ଯେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଗତ ମାର୍ଚ୍ଚ ୨୮ ତାରିଖରେ ମାଲକାନଗିରି ଜିଲ୍ଲା ଗସ୍ତ କରି ସ୍ଥାନୀୟ ଜନସାଧାରଣଙ୍କ ସହିତ ସପ୍ତଧାରା ନଦୀରେ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବା ସମ୍ପର୍କରେ ଆଲୋଚନା କରିଥିଲେ । ଲୋକଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେଇ ପ୍ରାୟ ୪୦୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଗୋବିନ୍ଦପାଲି ସମନ୍ଵିତ ଜଳସେଚନ ପ୍ରକଳ୍ପର ଡ଼ିପିଆର୍‌ ପ୍ରସ୍ତୁତ କରାଯାଇ ବୈଷୟିକ ପରାମର୍ଶଦାତା କମିଟିର ଅନୁମୋଦନ ନିମନ୍ତେ କେନ୍ଦ୍ରୀୟ ଜଳ ଆୟୋଗକୁ ପ୍ରେରଣ କରାଯାଇଅଛି । ଏହି ପ୍ରକଳ୍ପ ଅଧୀନରେ ସପ୍ତଧାରା ଓ ଗରିଆଠାରେ ଦୁଇଗୋଟି ଡ୍ୟାମ, ଏକ ସଂଯୋଗୀକରଣ ଟନେଲ ଓ ଭୂତଳ ପାଇପଲାଇନ ଦ୍ଵାରା ଜଳସେଚନର ବ୍ୟବସ୍ଥା ରହିଛି । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରି ଜିଲ୍ଲାର ଚାରିଗୋଟି ବ୍ଲକ ଯଥା – ମାଲକାନଗିରି, ମାଥିଲି, ଖଇରିପୁଟ ଓ କୋରକୁଣ୍ଡାରେ ଅତିରିକ୍ତ ୯୨,୮୧୫ ଏକର ଚାଷ ଜମିରେ ଜଳସେଚନର ସୁବିଧା ସୃଷ୍ଟି କରାଯିବା ସହିତ ୧.୫୦ ଲକ୍ଷ ସ୍ଥାନୀୟ ଜନସାଧାରଣଙ୍କୁ ପାନୀୟଜଳ ଯୋଗାଣ କରାଯାଇପାରିବ । ଆସନ୍ତା ଜୁଲାଇ ମାସ ସୁଦ୍ଧା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି ।

Leave A Reply

Your email address will not be published.