ବଲାଙ୍ଗିର, (କେପିଏନ୍ଏସ୍) : ମଠଖାଇ ମହୋତ୍ସବରେ ଦୁଲୁକୁଛି କୋଶଳ କଳା ମଣ୍ଡଳ ମଂଚ । ଆଜି ତୃତୀୟ ସଂଧ୍ୟାରେ ପ୍ରଥମେ ବରପାଲି ଭାରତୀ ନୃତ୍ୟ କଳା ପରିଷଦର କଳାକାରମାନେ ଘୁଡ଼ୁକା ନୃତ୍ୟ ଏବଂ ନିଚୁଆପଡ଼ା ଉତ୍ତରସାହି ଛଉ ନୃତ୍ୟ ପ୍ରତିଷ୍ଠାନର କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିଛନ୍ତି । ଏହା ପରେ ପରେ ଆରମ୍ଭ ହୋଇଛି ସାଂସ୍କୃତିକ ସଭା । ଏଥିରେ ମଂଚାସୀନ ଥିଲେ କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର କୁଳପତି କମଲଜିତ ସିଂ, ବଲାଙ୍ଗିର ଡିଏଫ୍ଓ ନୀତିଶ କୁମାର ଏବଂ ମଠଖାଇ ମହୋତ୍ସବ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର । ଆଜିର ମଂଚକୁ ନାଟ୍ୟ ନିର୍ଦ୍ଦେଶକ ଦିବଙ୍ଗତ ହରିହର ମିଶ୍ରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥିବା ବେଳେ ପୁରୁଖା କ୍ରୀଡ଼ାବିଦ୍ ତଥା ଦଶନ୍ଧି ଧରି ଓଡ଼ିଶା ଭଲିବଲ ଦଳର ନେତୃତ୍ୱ ନେଇଥିବା ଅନୁପ ସାହୁଙ୍କୁ ମଠଖାଇ ସମ୍ମାନ ପ୍ରଦାନ କରାଯାଇଛି । ସାଂସ୍କୃତିକ ସଭା ପରେ ଆରମ୍ଭ ହୋଇଛି କୋଶଲୀ ନାଟକ ‘ତୋର୍ ପାର୍କେ ମୋର୍ ପାହା’ । ପଦମ୍ପୁର ଅବର୍ଣ୍ଣିଗୁଁଡ଼ା ନାଟ୍ୟ ସଂସଦର କଳାକାରମାନେ ଏହି ନାଟକ ପରିବେଷଣ କରିଛନ୍ତି । ରଚନା ଓ ନିର୍ଦ୍ଦେଶନା ଅଶୋକ ବହିଦାର । ସୂଚନାଯୋଗ୍ୟ ଯେ, ମଠଖାଇ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟ ପରିସରରେ ‘ଆମେ ନାଟ୍ କାଏଁ ଯେ କର୍ମା’ ଶୀର୍ଷକରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିବା ବେଳେ ଏଥିରେ ସନାତନ ଠାକୁର, କେଶରଂଜନ ପଧାନ ଓ କୌତୁକ ପନ୍ଦର ଆଲୋଚକ ଭାବେ ଯୋଗ ଦେଇଥିଲେ । ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ ସୁଧାଂଶୁ ପଟ୍ଟନାୟକ ।
Next Post