ପିଇଓଙ୍କ ଉପରେ ପେଟ୍ରୋଲ ଢାଳି ମାରି ଦେବାକୁ ଉଦ୍ୟମ

ବଡ଼ବିଲ : ବଡ଼ବିଲରେ ଚାଞ୍ଚଲ୍ୟ । ପୌର ନିର୍ବାହୀ ଅଧିକାରୀଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ ହୋଇଛି । ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା । ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବଡ଼ବିଲ ପୌର କାର୍ଯ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି । ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ନିଜ ଚ୍ୟାମ୍ବରରେ ବସିଥିଲାବେଳେ, ବଡ଼ବିଲ ଡେଲୀ ମାର୍କେଟ ଅଞ୍ଚଳର ଅଭିଷେକ ଗୁପ୍ତା ନାମକ ଯୁବକ ତାଙ୍କ ଚ୍ୟାମ୍ବର ଭିତରେ ପଶିଥିଲେ । କିଛି କଥାବାର୍ତ୍ତା ପରେ ସେ ହଠାତ୍ ବ୍ୟାଗରେ ଲୁଚାଇ ଆଣିଥିବା ଗୋଟିଏ ପେଟ୍ରୋଲ ଭର୍ତ୍ତି ବୋତଲ ବାହାର କରି ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଉପରେ ଢ଼ାଳିଦେଇ ନିଆଁ ଲଗାଇବା ପାଇଁ ଲାଇଟର ବାହାର କରିଥିଲେ । ତେବେ ଏତିକି ବେଳେ, ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ପାଟି କରିବା ସହ ନିଜ ଚ୍ୟାମ୍ବରରୁ ଧାଇଁ ବାହାରକୁ ଚାଲି ଆସିଥିଲେ । ପାଟି ଶୁଣି କାର୍ଯ୍ୟାଳୟରେ ଥିବା ପୌର କର୍ମଚାରୀମାନେ ସେଠାକୁ ଧାଇଁ ଆସି ଅଭିଯୁକ୍ତ ଯୁବକ ଅଭିଷେକ ଗୁପ୍ତାଙ୍କୁ କାବୁ କରିନେଇଥିଲେ । ଏନେଇ ତୁରନ୍ତ ବଡ଼ବିଲ ପୋଲିସକୁ ସୂଚନା ଦିଆଯାଇଥିଲା । ସୂଚନା ପାଇ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ନିଜ ହେପାଜତକୁ ନେଇଥିଲା । ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ପକ୍ଷରୁ ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ ଦାଏର କରାଯାଇଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅଭିଯୁକ୍ତ ଅଭିଷେକଙ୍କ ମା’ ଙ୍କ କହିବା କଥା ପୁଅ ଯାହା କରିଛି ଭୁଲ କରିଛି । ତେବେ ନିଜ ଘର ସମ୍ମୁଖରେ ସରକାରୀ ଜମିରେ କିଛି ଦୋକାନ ଘର ରହିଛି । ସେଗୁଡ଼ିକର ଉଚ୍ଛେଦ ନିମନ୍ତେ ବର୍ଷ ବର୍ଷ ଧରି ପୌର କାର୍ଯ୍ୟାଳୟକୁ ଧାଇଁଥିଲେ ହେଁ କିଛି ସୁଫଳ ମିଳି ନଥିଲା । ଏପରିକି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ବି ନିରାଶ ହେବାକୁ ପଡ଼ିଥିଲା । ହାଇକୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ଅଭିଷେକ । ଏ ସମସ୍ତ ପ୍ରୟାସ ସତ୍ତ୍ୱେ ଉଚ୍ଛେଦ ନହେବାରୁ ସେ ଅଧିକାଂଶ ସମୟ ମାନସିକ ଚିନ୍ତାଗ୍ରସ୍ତରେ ରହୁଥିଲେ । ତେବେ ସେ ଏଭଳି ପଦକ୍ଷେପ ନେବେ ବୋଲି ସେ ଜାଣି ନଥିଲେ । ଏନେଇ ବଡ଼ବିଲ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।

Leave A Reply

Your email address will not be published.