ସଡ଼କ ଦୁର୍ଘଟଣାରେ ଜୀବନ ହାନୀ ଜାତି ଓ ସମାଜ ପାଇଁ ଅପୂରଣୀୟ କ୍ଷତି : ଜିଲ୍ଲାପାଳ

  • ସହରରେ ସୁବ୍ୟବସ୍ଥିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ପଦକ୍ଷେପ
  • ସଚେତନ ନାଗରିକ ଓ ପ୍ରଶାସନର ମିଳିତ ବୈଠକ
  • ଅତିଶୀଘ୍ର ସମ୍ବେଦନଶୀଳ ଗହଳି ଛକ ଗୁଡିକରେ ବ୍ୟବସ୍ଥିତ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଲେ ଜିଲ୍ଲାପାଳ ଶ୍ରୀ ରାୟ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସାରା ରାଜ୍ୟ ତଥା ଜିଲ୍ଲା ଗୁଡିକରେ ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଜିଲ୍ଲା ପରିବହନ ବିଭାଗ ଓ ପ୍ରଶାସନ ତରଫରୁ ଉପରୋକ୍ତ ଦିନ ଗୁଡିକରେ ସଡ଼କ ସୁରକ୍ଷା ନିମିତ୍ତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇ ଜନସାଧାରଣଙ୍କୁ ଗାଡି ଚଳାଚଳ ନିମନ୍ତେ ବ୍ୟବସ୍ଥିତ ଆଇନ, ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ସଚେତନତା କରାଯାଉଛି । ଆଜି ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସଚେତନ ନାଗରିକ ଓ ପ୍ରଶାସନର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶେଷ ଭାବେ ଜିଲ୍ଲା ଗଠନ ପରେ ପରେ ସୋନପୁର ସହରର ଆଶାତିତ ବୃଦ୍ଧି ସହ କ୍ରମ ବର୍ଦ୍ଧିତ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସହରରେ ଥିବା ବିଭିନ୍ନ ସମ୍ବେଦନଶୀଳ ତଥା ଗହଳି ଛକ ଓ ଗହଳି ପୂର୍ଣ୍ଣ ବଜାର ଅଂଚଳ ଗୁଡିକର ମୁଖ୍ୟ ରାସ୍ତା ଗୁଡିକରେ ବ୍ୟବସ୍ଥିତ ଟ୍ରାଫିକ ନିୟନ୍ତ୍ରଣର ବନ୍ଦୋବସ୍ତ ସହ ଜନସାଧାରଣଙ୍କ ଚଳପ୍ରଚଳକୁ ସୁଗମ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ସହରର ବ୍ଲକ ଛକ, ବୁଢାରଜା ଛକରେ ସ୍ଵ ନିୟନ୍ତ୍ରଣ ଗୋଳେଇ ଛକ ପାଇଁ ଆବଶ୍ୟକ ଭିତ୍ତି ଭୂମି ପ୍ରସ୍ତୁତି ସହ ନିର୍ମାଣ ଉପରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ତତ ସହ ସହରର ଅନ୍ୟ ସମସ୍ତ ସମ୍ବେଦନଶୀଳ ପତଭାଡ଼ି ସ୍ଥିତ ଛକ, ଆମ୍ବେଦକର ଛକ, ନଳିନୀ ଛକ, କୁଞ୍ଜ ହୋଟେଲ ଛକ ପ୍ରଭୁତି ଗୁଡିକରେ ମଧ୍ୟ ଅନୁରୂପ ପଦକ୍ଷେପ ପାଇଁ ଗୁରୁତ୍ୱାରୋପ କରାଯାଇଛି । ସହର ମଧ୍ୟରେ ରହିଥିବା ମୁଖ୍ୟ ରାସ୍ତାରେ ଚାଲୁ ରହିଥିବା ପାଦ ଚଲା ରାସ୍ତାର କାର୍ଯ୍ୟକୁ ଅତିଶୀଘ୍ର ସମାପନ କରିବାକୁ ଜିଲ୍ଲାପାଳ ଉପସ୍ଥିତ ସମ୍ପୃକ୍ତ ପୌର ପରିଷଦ ଅଧିକାରୀ, ଏନ୍‌ଏଚ୍‌ ଯନ୍ତ୍ରୀ, ପି ଡବ୍ଲୁ ଡି ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଛନ୍ତି । ପୁନଶ୍ଚ ସହରର ମୁଖ୍ୟ ରାସ୍ତା ସହ ବଜାର ଅଞ୍ଚଳରେ ଯାନ ବାହନ ପାର୍କିଙ୍ଗ ନିମନ୍ତେ ଆବଶ୍ୟକ ସ୍ଥାନ ନିରୂପଣ ଏବଂ ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର ଯାଇଥିବା ମୁଖ୍ୟ ଏନ ଏଚ ବିଭାଗ ଅଧିନସ୍ତ ରାସ୍ତା, ପିଡବ୍ଲୁଡି ରାସ୍ତା ଗୁଡିକୁ ସଂଯୋଗ କରୁଥିବା ରାସ୍ତା ଗୁଡିକରେ ହମ୍ସ ଏବଂ ସ୍ପୀଡ଼ ବ୍ରେକର ଲଗାଇବା ଓ ରାସ୍ତା ଗୁଡିକରେ ଥିବା ସମ୍ବେଦନଶୀଳ ସ୍ଥାନ ପ୍ରଭୃତିରେ ରାସ୍ତା ସାଇନେଜ, ରେଡ଼ିଅମ ଲଗାଇବାକୁ ନିର୍ଦେଶ ଦେଇଛନ୍ତି । ବୈଠକରେ ଟ୍ରାଫିକ ଆଇନର କଡାକଡି ଅନୁପାଳନ ସହ ଅମାନିଆଙ୍କୁ ଧାର୍ଯ୍ୟ ଜୋରିମାନା କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ବିଶେଷ ଭାବେ ନାବାଳକଙ୍କୁ ଗାଡିଚାଳନା ପାଇଁ ପ୍ରୋତ୍ସାହିତ ନ କରିବାକୁ ଜିଲ୍ଲାପାଳ ସମସ୍ତ ଅଭିବାବକଙ୍କୁ ଅନୁରୋଧ କରିଛନ୍ତି । ଯେଉଁମାନେ ଏହାର ଖିଲାପ କରିବେ ଗାଡି ଜବତ ହେବା ସହ ଅଭିଭାବକଙ୍କଠାରୁ ଜୋରିମାନା ଅର୍ଥ ଆଦାୟ କରାଯିବ । ଯେକୌଣସି ଜୀବନ ହେଉଛି ଆମ ପାଇଁ ମୂଲ୍ୟବାନ, ଜୀବନ ହାନୀ ଜାତି, ସମାଜ ପାଇଁ ଅପୂରଣୀୟ କ୍ଷତି । ଏଣୁ ସହରର ଜନସଂଖ୍ୟା ତଥା ଆୟତନର ଅହେତୁକ ବୃଦ୍ଧି ହେତୁ ଟ୍ରାଫିକ ନିୟନ୍ତ୍ରଣ ଓ ଗାଡି ଚାଳନା ଉପରେ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ । ଏହି ପରିପ୍ରେକ୍ଷୀରେ ସହର ଭିତରକୁ ସକାଳ ୭ ଘଣ୍ଟାରୁ ୧୧ ଘଣ୍ଟା ଓ ଅପରାହ୍ନ ୪ ଘଣ୍ଟାରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯ୍ୟନ୍ତ ଭାରି ଯାନ ଚଳା ଚଳ କରାଯିବା ଉପରେ ବିଶେଷ ଆଲୋଚନା ହୋଇ ଉପରୋକ୍ତ ସମୟ ଅବଧି ମଧ୍ୟରେ ଗାଡି ପ୍ରବେଶକୁ ନିଷେଧ କରାଯିବା ପାଇଁ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅଦ୍ୟ ବୈଠକରେ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ, ପୂର୍ବତନ ଅଧ୍ୟକ୍ଷ ପୌରପରିଷଦ ସୋନପୁର ପ୍ରକାଶ ଚନ୍ଦ୍ର ସାହୁ, ସଚେତନ ନାଗରିକ ମଣ୍ଡଳୀ, ସ୍ବେଛାସେବୀ ଅନୁଷ୍ଠାନ, ପିଡବ୍ଲୁ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତ, ପୌରପରିଷଦ ନିର୍ବାହୀ ଅଧିକାରୀ, ଏମ୍‌ଭିଆଇ, ଏନ୍‌ଏଚ୍‌ ଯନ୍ତ୍ରୀ ତଥା ସାମ୍ବାଦିକ ବୃନ୍ଦ ପ୍ରଭୁତି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.