ଲୋୟର ସୁକତେଲର ଶ୍ରେୟ ବୁଡି ଅଂଚଳ ବିସ୍ତାପିତଙ୍କୁ ଦେଲେ ଶ୍ରେୟ

  • ବିସ୍ତାପିତଙ୍କ ତ୍ୟାଗ ବିନା ପ୍ରକଳ୍ପ ଅସମ୍ଭବ ଥିଲା : ନରସିଂହ
  • ଅଧାପନ୍ତରିଆ ପ୍ରକଳ୍ପ “ନାହିିଁ ମାମୁଁଠାରୁ କଣା ମାମୁଁ ଭଲ” : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୨୩ ବର୍ଷ ପରେ ଆଜି ଲୋୟର ସୁକତେଲ ପ୍ରକଳ୍ପ ତରବରିଆ ଭାବେ ଲୋକାର୍ପଣ କରାଯାଉଛି । ଏହି ଅଧାପନ୍ତରିଆ ପ୍ରକଳ୍ପ ଉଦ୍‌ଘାଟନ ଲୋକେ ଆଶା କରି ନ ଥିଲେ କିନ୍ତୁ କାହିଁକି କେଜାଣି ମୁଖ୍ୟମନ୍ତ୍ରୀ ଆସି ଏହି ପ୍ରକଳ୍ପକୁ ଆଜି ଲୋକାର୍ପଣ କଲେ । ସେ ଯାହା ବି ହେଉ ନାହିିଁ ମାମୁଁଠାରୁ କଣା ମାମୁଁ ଭଲ ବୋଲି ଆଜି ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପକୁ ଅସମ୍ପୂର୍ଣ୍ଣ ଦର୍ଶାଇ କ୍ଷୋଭର ସହ ନିଜ ବକ୍ତବ୍ୟରେ କହିଛନ୍ତି । ଏ ଅବସରରେ ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରକଳ୍ପ ଅଧା ଥିଲେ ବି ଆମେ ନିଶ୍ଚିତ ଭାବରେ ଆଶା କରିବା ଆଗାମୀ ବର୍ଷା ଋତୁରେ ଆମର ଚାଷୀଙ୍କ ଜମିକୁ ପହଞ୍ଚିବ । ଆଜି ଏହି ପ୍ରକଳ୍ପ ଲୋକାର୍ପଣକୁ ନେଇ ସେ କହିଥିଲେ ଯେ, ଏହା କେବଳ ସମ୍ଭବ ହୋଇଛି ବୁଡି ଅଂଚଳର ଜନସାଧାରଣ, ବିସ୍ଥାପିତଙ୍କର ତ୍ୟାଗ ଓ ବଳିଦାନ ଯୋଗୁଁ । ସେମାନେ ଏ ଅଂଚଳର ଅଭିବୃଦ୍ଧି ପାଇଁ ନିଜର ସ୍ୱାର୍ଥ, ଗାଁ, ଜଙ୍ଗଲ, ଜମି, ଗ୍ରାମଦେବୀ, ମନ୍ଦିର ସର୍ବୋପରି ପ୍ରିୟ ଭିଟାମାଟିକୁ ଛାଡି ଅନ୍ୟ ଅଂଚଳକୁ ବିସ୍ଥାପିତ ହୋଇଛନ୍ତି । ଇତିହାସରେ ଏମାନଙ୍କର ନାଁ ଓ ତାଙ୍କର ତ୍ୟାଗ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ମୁଁ ତାଙ୍କୁ ତାଙ୍କ ତ୍ୟାଗ ପାଇଁ କୋଟି କୋଟି ନମସ୍କାର କରୁଛିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାର୍ପଣ ହୋଇଥିବା ଏହି ପ୍ରକଳ୍ପର ଲୋକାର୍ପଣ ସଭାରେ ସେ ସ୍ଥାନୀୟ ରାଜନେତାଙ୍କୁ ମଧ୍ୟ କଟାକ୍ଷ କରିଥିଲେ । ଏହି ମର୍ମରେ ସେ କହିଥିଲେ ଯେଉଁମାନେ ଗତ ୨୩ ବର୍ଷରେ ଥରଟିଏ ମଧ୍ୟ କୌଣସି ଗାଁକୁ ଯାଇ ବିସ୍ଥାପିତଙ୍କ ସମସ୍ୟା କଣ ବୁଝି ନାହାନ୍ତି ଆଜି ସେମାନେ ପ୍ରକଳ୍ପକୁ ନେଇ ଆତ୍ମ ଡିମ୍‌ଡିମ୍‌ ପିଟୁଛନ୍ତି । ଓଲଟା ଏହି ଶାସକ ଦଳର ନେତାମାନେ ଗଡଶଙ୍କର ଡୁଙ୍ଗୁରିପାଲିଠାରେ ଜଗନ୍ନାଥ ମହାପ୍ରଭୁଙ୍କ ବିଗ୍ରହକୁ ଧରି ପ୍ରକଳ୍ପ କେବେବି କରେଇ ଦେବୁ ନାହିଁ ବୋଲି ଶପଥ ନେଇଥିଲେ । ଲୋକ ସେମାନଙ୍କୁ ଠିକ୍‌ ଭାବରେ ଚିହ୍ନୁଛନ୍ତି ଓ ଆଗାମୀ ପିଢି ଏମାନଙ୍କ ପ୍ରତି ସତର୍କ ରୁହନ୍ତୁ ବୋଲି ଉପସ୍ଥିତ ଜନସାଧାରଣଙ୍କୁ କହିଥିଲେ । ଲୋକାର୍ପଣ ଉତ୍ସବରେ ସେ ବିସ୍ଥାପିତଙ୍କ ବାକି ରହିଯାଇଥିବା କ୍ଷତିପୁରଣ ଓ ଥଇଥାନ କଲୋନିରେ ବିଭାଗ ପକ୍ଷରୁ ମୌଳିକ ସୁବିଧା ଠିକ୍‌ ହିସାବରେ ବିସ୍ଥାପିତଙ୍କ ମିଳୁନାହିଁ ବୋଲି କହିବା ସହ ଲୋକାର୍ପଣ ପରେ ଏ ସବୁକୁ ନେଇ ପ୍ରଶାସନ ଓ ସରକାର ଚୁପ ନ ରହିବା ପାଇଁ କହିଥିଲେ । ଯେତେ ଶୀଘ୍ର ହେବ ବିସ୍ଥାପିତଙ୍କ ବାକିଆ ପାଉଣା ଓ ଥଇଥାନ କଲୋନିରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏବଂ ସେ ଏହା ମଧ୍ୟ କହିଥିଲେ ଯେ ଆଜି ପର୍ଯ୍ୟନ୍ତ ଯାହା କିଛି ବି ଥଇଥାନ କ୍ଷତିପୁରଣକୁ ନେଇ ଅଭିଯୋଗ, ଆପତ୍ତି ତାଙ୍କ ପାଖକୁ ଆସିଛି ସେ ନିଜେ ଗାଁ ଗାଁ ବୁଲି ସେ ସବୁ ପରିକ୍ଷା ଓ ସଂଗ୍ରହ କରିବା ପରେ ପ୍ରଶାସନ ସହିତ ଆଲୋଚନା କରି ତାର ସମାଧାନ କରାଇଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ବୁଡି ଅଂଚଳର ବିସ୍ଥାପିତଙ୍କ ଶେଷ ଧାଡିରେ ଥିବା ଜଣେ ଲୋକଙ୍କ ଯେପର୍ଯ୍ୟନ୍ତ ତା ନ୍ୟାର୍ଯ୍ୟ ହକ୍‌ ପାଇ ନାହିଁ ସେ ପର୍ଯ୍ୟନ୍ତ ବିସ୍ଥାପିତ ଓ ବୁଡି ଅଂଚଳ ଲୋକଙ୍କ ପାଇଁ ତାଙ୍କ ଲଢେଇ ଜାରି ରହିବ ବୋଲି ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ କହିଥିଲେ ।

Leave A Reply

Your email address will not be published.