ଗ୍ରାମ୍ୟ ଉନ୍ନୟନ ବିଭାଗରେ ଚାଲିଛି ହରିଲୁଟ, ସରକାରୀ ନୀତି ନିୟମକୁ ମାନୁ ନାହାନ୍ତି ଠିକାଦାର

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଗ୍ରାମ୍ୟ ନିର୍ମାଣ ଉପ ବିଭାଜନ ସ୍ଥାଣୁ ଅବସ୍ଥାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ହେଲା ଏଠାକାର ସହକାରୀ ନିର୍ବାହୀ ଯନ୍ତ୍ରୀ ପଦବୀ ଖାଲି ପଡ଼ିଥିବା ବେଳେ ଅଧିକାଂଶ ସମୟ ସ୍ଥାନୀୟ ଉପ ବିଭାଜନ କାର୍ଯ୍ୟାଳୟଟି ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ସରକାରୀସ୍ତରରେ ଠିକାଦାରଙ୍କ ସହିତ ଚୁକ୍ତି ହୋଇ କାର୍ଯ୍ୟ ଅବଧି ସରିଥିଲେ ହେଁ ଲୋଇସିଂହା ଓ ଆଗଲପୁର ବ୍ଲକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନେକ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇ ନ ଥିବାଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ତଥା ଠିକାଦାରଙ୍କ ମିଳିତ ମଧୁଚନ୍ଦ୍ରିକାରେ ସ୍ଵତନ୍ତ୍ର ମରାମତି ନାମରେ କୋଟି କୋଟି ଟଙ୍କା ବାଟ ମାରଣା ହେଉଥିବା ଅଭିଯୋଗ ହେଉଛି । ଲୋଇସିଂହା ବ୍ଲକର ଯୋଗିସର୍ଡ।ରୁ ବାଦିବାହାଲ ରାସ୍ତା, ସରଗାଡ – ବାଦିମୁଣ୍ଡା ରାସ୍ତା, ଆର୍‌ଡି ରୋଡରୁ ଭାଲୁପାଲି ରାସ୍ତା, ଡୁଙ୍ଗୁରିପାଲି – ରେଙ୍ଗାଲି ରାସ୍ତା ସମେତ ବକଟିରୁ ଡୁମେରପାଲି ଭାୟା ପଟୁଆପାଲି ରାସ୍ତା ଓ ଆରଡି ରୋଡ୍‌ରୁ ବରପଦର୍ ରାସ୍ତାର ମରାମତି କାମ ପାଇଁ ଠିକାଦାର ଲକ୍ଷ୍ମୀକାନ୍ତ ମେହେର ଗ୍ରାମ୍ୟ ଉନ୍ନୟନ ବିଭାଗ ସହିତ ଚୁକ୍ତିନାମା କରିଛନ୍ତି । ଚୁକ୍ତି ମୁତାବକ, ଗତ ତା. ୨୭/୦୯/୨୦୨୩ ରୁ କାର୍ଯ୍ୟାରମ୍ଭ ହୋଇ ତା. ୨୬/୧୦/୨୦୨୩ ମଧ୍ୟରେ କାର୍ଯ୍ୟ ଶେଷ ହେବା କଥା । ତେବେ ଅଦ୍ୟାବଧି ଏହି ରାସ୍ତା ଗୁଡ଼ିକର ମରାମତି କାମ ଆରମ୍ଭ ମଧ୍ୟ ହୋଇପାରି ନାହିଁ । ସେହିପରି ଡୁଡୁକା – କୁଟାସିଂହା ଭାୟା ରାମପୁର ବକଟି ରାସ୍ତା, ସକମା – କୁଟୁରାପାଲି ରାସ୍ତା, ଆର୍‌ଡି ରାସ୍ତାରୁ ମୁଣ୍ଡପାଲି ରାସ୍ତା, ମନହିରା- ଫାସଡ ରାସ୍ତା, ଲୋଇସିଂହା ରେଳ ଷ୍ଟେସନ ରାସ୍ତା, ଖୁଣ୍ଟଲିମୁଣ୍ଡା – ପାଣ୍ଡରିଡୁଙ୍ଗୁରି ରାସ୍ତା, ଏନ୍ଏଚ୍‌ରୁ ବକଟି ରାସ୍ତା, ଯୋଗିସର୍ଡା – ନେଗିପାଲି ରାସ୍ତା, କରକଚିଆ ଛକରୁ କୁଟୁରାପାଲି ରାସ୍ତା, ୨୬ ନଂ ଏନ୍‌ଏଚ୍‌ରୁ ନଅଗାଁ ରାସ୍ତା, ଏନ୍ଏଚ୍‌ରୁ ଘୁସୁରାମୁଣ୍ଡା ରାସ୍ତା, ଏନ୍ଏଚ୍‌ ରୁ ମାଣ୍ଡିଆପଦର ରାସ୍ତା, ଡୁଡୁକା- କୁଟାସିଂହା ଭାୟା ରାମପୁର – ବକଟି ରାସ୍ତା, ଲୋଇସିଂହାରୁ ସୂଜିଆ ରାସ୍ତା, ଆର୍‌ଡି ରାସ୍ତାରୁ ବାବୁପାଲି ରାସ୍ତା, ଆର୍‌ଡି ରାସ୍ତାରୁ କଦଳୀପାଲି ରାସ୍ତା, ହୀରାପୁରରୁ କେଉଟିପାଲି ରାସ୍ତା, ଯୋଗିସର୍ଡ଼ା – ବାଦିବାହାଲ ରାସ୍ତା, ବାଦିମୁଣ୍ଡା – ଉପରବାହାଲ ରାସ୍ତା, ଆର୍‌ଡି ରାସ୍ତାରୁ କନ୍ଦାଜୁରି ରାସ୍ତା ଗୁଡ଼ିକର ସ୍ଵତନ୍ତ୍ର ମରାମତି କାମ ପାଇଁ ବିଭିନ୍ନ ଠିକାଦାର ବିଭାଗ ସହିତ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି । ଚୁକ୍ତିନାମା ମୁତାବକ ଉପରୋକ୍ତ କାର୍ଯ୍ୟଗୁଡ଼ିକର ସମାପ୍ତି ତାରିଖ ସରିବାକୁ ବସିଥିବା ବେଳେ କାର୍ଯ୍ୟାରମ୍ଭ ମଧ୍ୟ ହୋଇପାରି ନାହିଁ । ଚୁକ୍ତି ଖିଲାପ କରିଥିବା ଠିକାଦାରଙ୍କ ଚୁକ୍ତି ବାତିଲ କରିବା ପାଇଁ ବିଭାଗୀୟ କ୍ଷେତ୍ରରେ ପଦକ୍ଷେପ ନିଆଯିବା କଥା । ତେବେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଛତ୍ରଛାୟା ତଳେ ରହୁଥିବା ଯୋଗୁଁ ଠିକାଦାରମାନେ କାହାରିକୁ ଖାତିର କରୁ ନ ଥିବା ଅଭିଯୋଗ ହେଉଛି । ଏ ନେଇ ନିର୍ବାହୀ ଯନ୍ତ୍ରୀ ନିର୍ମଳ ଜେନାଙ୍କୁ ପଚାରିବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ବଲାଙ୍ଗିର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟିଦେଇ ବିହୀତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.