ଲମତାପୁଟରେ ୪ ଡିଗ୍ରୀ ତଳକୁ ଖସିଲା ତାପମାତ୍ରା

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟର ବିଭିନ୍ନ ଜାଗାରେ ତୁଷାର ପାତ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ସବୁ ସ୍ଥାନରେ ତୁଷାର ପାତ ହୋଇଛି । ଲମତାପୁଟରେ ତାପମାତ୍ରା ୪ ଡିଗ୍ରୀ ତଳକୁ ଖସିଛି । ଏପିରିକି ବିଭିନ୍ନ ସ୍ଥାନରେ କୁହୁଡ଼ିର ଆସ୍ତରଣ ମଧ୍ୟ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ୪ ଦିନ ହେଲାଣି ଲମତାପୁଟ ଅଞ୍ଚଳରେ ଶୀତର ପ୍ରକୋପ ବଢିବା ଆରମ୍ଭ ହୋଇଛି । ସଂଧ୍ୟା ୭ଟା ପରେ ରାସ୍ତା ଘାଟ ଶୁନ୍‌ଶାନ୍‌ ହୋଇଯାଉଛି । ଗ୍ରାମାଞ୍ଚଳରେ ଅନେକ ଲୋକେ ଶୀତ ଲାଗି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଦିନରେ ତାପମାତ୍ରା ୧୫ରୁ ୨୦ ଡିଗ୍ରୀ ରହୁଥିବା ବେଳେ ରାତିରେ ଏହା ୪ ଡିଗ୍ରୀ ତଳକୁ ଖସିଯାଉଛି । ଶୀତ ସହ ଘନକୁହୁଡ଼ି ସାରା ଅଞ୍ଚଳକୁ ଢାଙ୍କି ରହିଛି । ଦିନ ୧୧ଟା ନହେବା ଯାଏଁ କୁହୁଡି ଛାଡୁନାହିଁ । ଯାହାଫଳରେ ଗାଡି ମଟର ଯାତାୟତରେ ବହୁ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି । ସେପଟେ ଶୀତକୁ ଛଡ଼ାଇବା ପାଇଁ ଲୋକେ ନିଆଁ ଲଗାଇ ବସୁଥିବା ବେଳେ ଚା’ ଦୋକାନରେ ଲୋକଙ୍କ ଭିଡ ଜମୁଛି । ଏହାସହିତ ପଡିଆରେ ବ୍ୟାୟାମ କରି ଶୀତ ଛଡାଉଛନ୍ତି ଲୋକେ । ତେବେ ଆଗକୁ ଆହୁରି ଶୀତ ବଢିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.