ସଫଳତାର ସହ ଲୋଇସିଂହା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ଷ୍ଟାଡିୟମ୍‌ଠାରେ ସ୍ଥାନୀୟ ପଞ୍ଚାୟତ ସମିତି ଆନୁକୁଲ୍ୟରେ ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ନୂଆ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମର ବ୍ଲକସ୍ତରୀୟ କ୍ରୀଡା ମହୋତ୍ସବର ଉଦ୍‌ଯାପନୀ ସମାରୋହ ଆଡମ୍ବର ସହକାରେ ସମାପିତ ହୋଇଯାଇଛି । ଏଥିରେ କ୍ରିକେଟ, ଫୁଟବଲ, ଭଲିବଲ, କବାଡି, ଖୋ-ଖୋ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ଉଦ୍‌ଯାପନୀ ଦିବସରେ ଅନୁଷ୍ଠିତ କ୍ରିକେଟ ଖେଳରେ ତଲିଉଡ଼ାର ଦଳ ଚାମ୍ପିୟନ ହୋଇଥିବା ବେଳେ ଫୁଟବଲରେ ଲୋଇସିଂହାର ବୁଢାଦେଓ ଫୁଟବଲ ଦଳ, କବାଡିରେ ମା’ ଦୁର୍ଗା କବାଡି ଦଳ, ଭଲିବଲରେ କୁଶଙ୍ଗ ଦଳ ଚାମ୍ପିୟନ ହୋଇଥିଲା । ଲୋଇସିଂହା ବିଡ଼ିଓ ଯୁଧିଷ୍ଠିର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ସମାରୋହରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷ ଯତୀନ୍ଦ୍ର ପଟେଲ, ଜିଲ୍ଲା ପରିଷଦ ସଭ୍ୟା ଲିଲିମା ବେହେରା, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ବିଜେଡ଼ି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା, ରମାକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଉଭୟ ବିଜେତା ଓ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ । ପରେ ସ୍ଥାନୀୟ ସୁରସଙ୍ଗମର କଳାକାରମାନଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ରସରକେଲି, ମାଏଲାଜଡ଼ ନୃତ୍ୟ ଦର୍ଶକଙ୍କୁ ମୁଗ୍ଧ କରିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଏବିଡ଼ିଓ ବିଜୟ କୁମାର ହୋତା, ଜିପିଇଓ କିଶୋର ମାନସିଂ ପରିଚାଳନା କରିଥିବା ବେଳେ ବ୍ଲକ ଯୋଗାଣ ଅଧିକାରୀ ସୌମ୍ୟରଞ୍ଜନ ମହାନନ୍ଦ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

error: Content is protected !!