ପାରାଦ୍ୱୀପ ବନ୍ଦରରେ ରାଜ୍ୟର ପ୍ରଥମ ସ୍ମାର୍ଟ ପ୍ରିପେଡ୍‌ ଏନର୍ଜି ମିଟର୍‌ର ଶୁଭାରମ୍ଭ

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ରାଜ୍ୟରେ ପ୍ରଥମ ଥର ପାଇଁ ପାରାଦ୍ୱୀପ ବନ୍ଦରରେ ସ୍ମାର୍ଟ ପ୍ରିପେଡ୍‌ ଏନର୍ଜି ମିଟରର ଶୁଭାରମ୍ଭ ହୋଇଛି । ସବୁଜ ବନ୍ଦର ପଦକ୍ଷେପର ଅଂଶବିଶେଷ ଓ ସ୍ଥାନୀୟ ବିପିସିଏଲ୍‌ ଆଉଟ୍‌ଲେଟ୍‌ରେ ସ୍ଥାପିତ ଏହି ତିନି ପର୍ୟ୍ୟାୟ ଭିତ୍ତିକ ସ୍ମାର୍ଟ ମିଟରକୁ ସୋମବାର ଦିନ ପ୍ରଥମେ ରିଚାର୍ଜ କରି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଏହି ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ, ସିଏମ୍‌ଇ ସରୋଜ କୁମାର ଦାସ ତଥା ପୂର୍ବତ୍ତନ ଟ୍ରଷ୍ଟି ଅନ୍ତର୍ୟ୍ୟାମୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜୟପୁରର ଗ୍ରାମ୍‌ ପାୱାର ସଂସ୍ଥା ଦ୍ୱାରା ବନ୍ଦରରେ ଏହି ସ୍ମାର୍ଟ ମିଟର ପ୍ରକଳ୍ପ କାର୍ୟ୍ୟକାରୀ କରାଯିବ । ଏହି ସ୍ମାର୍ଟ ମିଟର ଯୋଗୁଁ ବନ୍ଦର ବିଦ୍ୟୁତ୍‌ ଉପଭୋକ୍ତାମାନେ ବିଦ୍ୟୁତ୍‌ ବ୍ୟବସ୍ଥାରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅନୁଭବ କରିବେ । ଏହାଛଡା ପ୍ରକୃତ ବିଦ୍ୟୁତ ବ୍ୟବହାର ଉପରେ ନଜର ରଖିବା, ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ପେମେଣ୍ଟ କରି ସ୍ମାର୍ଟ ମିଟରକୁ ରିଚାର୍ଜ କରିବା, ବିଲ ଦେୟର ବିବରଣୀ ସର୍ବଦା ମୋବାଇଲ୍‌ ଆପ୍‌ ଜରିଆରେ ପାଇବାକୁ ଗ୍ରାହକ ସକ୍ଷମ ହେବେ । ସ୍ମାର୍ଟ ମିଟର ଗୁଡିକ ମିଟର ରିଡିଙ୍ଗ୍‌, ବିଲିଙ୍ଗ ଓ ବିଲ୍‌ ବଣ୍ଟନରେ ହେଉଥିବା ଖର୍ଚ୍ଚକୁ ମଧ୍ୟ ହ୍ରାସ କରିବ । ବିଦ୍ୟୁତ୍‌ ବ୍ୟବହାରକାରୀଙ୍କ ଆବଶ୍ୟକୀୟ ବିଦ୍ୟୁତ୍‌ ଚାହିଦାକୁ ଲକ୍ଷ୍ୟ କରି ଏହା ଅପେକ୍ଷାକୃତ ଉତ୍ତମ ଭାବେ ବିଦ୍ୟୁତ୍‌ ଯୋଗାଣକୁ ନିୟନ୍ତ୍ରଣ କରିବ ବୋଲି ବନ୍ଦର ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରୁ ପ୍ରକାଶ ।

Leave A Reply

Your email address will not be published.

error: Content is protected !!