ଡୁଙ୍ଗୁରିପାଲିଠାରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ବ୍ଲକସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଡୁଙ୍ଗୁରିପାଲି ଖେଳ ପଡିଆରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ବ୍ଲକସ୍ତରୀୟ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ବିଭିନ୍ନ ବିଦ୍ୟାଳୟ ରୁ ୧୦୦ରୁ ଅଧିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ତଥା ତାଙ୍କ ଅଭିଭାବକମାନେ ଯୋଗଦାନ କରିଥିଲେ । ଏଥିରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ବଟକୃଷ୍ଣ ପାଢୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କ୍ରୀଡା ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ମାନସିକ ତଥା ଶାରୀରିକ ବିକାଶ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ ଯୋଗଦେଇ ଭିନ୍ନକ୍ଷମମାନେ ଭିନ୍ନ ରୂପରେ ସକ୍ଷମ ବୋଲି ମତପ୍ରକାଶ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ରୂପେ ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଶାଖୁ ପଧାନ ଯୋଗଦେଇଥିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ଗୁଣକୁ ଚିହ୍ନିବା ପାଇଁ ଅଭିଭାବକମାନଙ୍କୁ ଅନୁରୋଧ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ତଥା ଗୀତ ଓ ନାଚ ପ୍ରତିଯୋଗିତାମାନ କରାଯାଇଥିଲା । ବ୍ଲକର ସମସ୍ତ କ୍ରୀଡା ଶିକ୍ଷକମାନେ ଯୋଗଦେଇ କ୍ରୀଡା ପ୍ରତିଯୋଗିତାମାନ କରାଇ ଥିଲେ । ଶେଷରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବରିଷ୍ଟ ଗୋଷ୍ଠୀ ସମ୍ବଳ ଶିକ୍ଷକ ମନୋଜ କୁମାର ସାହୁ ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସମ୍ବଳ ଶିକ୍ଷକ ସୀତାରାମ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ସହାୟକ ଲୋଚନ ସାହୁ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଗଣ ତଥା ସିଆର୍‌ସିସିମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମଟି ସମସ୍ତଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସଫଳ ହୋଇଥିଲା ।

Leave A Reply

Your email address will not be published.