ବିଭିନ୍ନ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଘେରିଲେ ନାରାୟଣ କଲୋନୀ ବାସିନ୍ଦା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାରାୟଣ କଲୋନୀ ବାସିନ୍ଦା ବୁଧବାର ଦିନ ବିଭିନ୍ନ ସମସ୍ୟା ନେଇ ପୁଇଁତଲା ବ୍ଲକ କାର୍ଯ୍ୟାଳୟ ଘେରାଉ କରିଛନ୍ତି । କଲୋନୀ ବାସିନ୍ଦା ବିଭିନ୍ନ ନାରା ଦେଇ ବ୍ଲକ କାର୍ଯ୍ୟାଳୟକୁ ତାଲା ଦେବା ସହ ସେଠାରେ ଧାରଣା ଦେଇଥିଲେ । ପରେ ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ଘଟଣାସ୍ଥଳକୁ ପହଞ୍ଚି ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ପ୍ରତିଶୃତି ଦେବା ପରେ କଲୋନୀବାସିନ୍ଦା ଧାରଣାରୁ ଓହରି ଥିଲେ । ପ୍ରକାଶ ଯେ, ଦୀର୍ଘ ଦିନ ହେବ ନାରାୟଣ କଲୋନୀ ଅବ୍ୟବସ୍ଥା ଘେରରେ ରହିଛି । ଦୁଇ ଦଶନ୍ଧି ତଳେ ସେମାନଙ୍କୁ ଦିଆଯାଇଥିବା ଘର ଏବେ ଭାଙ୍ଗିବାକୁ ବସିଲାଣି । ବାରମ୍ବାର ଗୁହାରି ସତ୍ୱେ କଲୋନୀବାସିନ୍ଦାଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ପାରୁନାହିଁ । ଏପଟେ ପ୍ରତିବର୍ଷ ଛାତ ଢାଙ୍କିବାକୁ ପଲିିଥିନ ଖଣ୍ଡିଏ ଦେଇ କାମ ସାରି ଦିଆଯାଉଛି । କଲୋନୀରେ ଷ୍ଟ୍ରିଟଲାଇଟର ବ୍ୟବସ୍ଥା ଥିବା ସତ୍ୱେ ଲାଇଟଗୁଡିକ ଜଳୁ ନାହିଁ । ଜଳ ଯୋଗାଣ ବ୍ୟବସ୍ଥା ଥିବା ସତ୍ୱେ ପ୍ରାୟତଃ କଲୋନୀ ବାସିନ୍ଦା ପାଣି ପାଇଁ ଡହକ ବିକଳ ହେଉଛନ୍ତି । ସେହିପରି କମ୍ୟୁନିଟି ସେଣ୍ଟର, ସ୍ୱାସ୍ଥ୍ୟ ଓ ଶିକ୍ଷା ଚିର ସମସ୍ୟା ହୋଇ ରହିଛି । ଆହୁରି କଲୋନୀର ଚୈତନ ପୁଟେଲ, ଉଦ୍ଧବ ଭୋଇ ଓ ରଇବାରି ସାହଙ୍କୁ ଏଯାଏଁ ପଟ୍ଟାପାର୍ଚ୍ଚା ମିଳିପାରି ନାହିଁ । ଫଳରେ ସେମାନେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହୋଇ ପାରୁ ନାହାନ୍ତି ବୋଲି କଲୋନୀ ବାସୀନ୍ଦା ଅଭିଯୋଗ କରିଛନ୍ତି । ବୁଧବାର ଦିନ ସକାଳୁ ଏସବୁ ଦାବି ନେଇ କଲୋନୀ ବାସିନ୍ଦା ବ୍ଲକ ଘେରାଉ କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ବ୍ଲକ ଅଧ୍ୟକ୍ଷ ଘଟଣାସ୍ଥଳକୁ ପହଞ୍ଚି ସମସ୍ତ ସମସ୍ୟାର ସମାଧାନ କରିବା ନେଇ ପ୍ରତିଶୃତି ଦେବା ପରେ କଲୋନୀ ବାସିନ୍ଦା ଧାରଣାରୁ ଓହରି ଥିଲେ ।

Leave A Reply

Your email address will not be published.