ବଲାଙ୍ଗିର ଛାଡ଼ିଲେ ଆୟକର ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲଗାତାର ଆଇଟି ବିଭାଗୀୟ ଅଧିକାରୀଙ୍କ ୬ ଦିନର ଘନଘୋର ଚଢ଼ାଉ ପରେ ଆଜି ସପ୍ତମ ଦିନରେ ଆଇଟି ଟିମ୍‌ ବଲାଙ୍ଗିର ଛାଡ଼ିଥିବା ଜଣାପଡ଼ିଛି । ବଲାଙ୍ଗିର ସୁଦ୍‌ପଡ଼ା ମଦଭାଟିରୁ ପାଖାପାଖି ୩ ଶହ କୋଟି ଗଦା ଗଦା ଟଙ୍କା ଆଇଟି ବିଭାଗ ଅଧିକାରୀମାନେ ଜବତ୍‌ କରିବା ପରେ ସାରା ଦେଶରେ ଏହି ଘଟଣା ଚାଂଚଲ୍ୟ ସୃଷ୍ଟି କରିଥିଲା । ବଲାଙ୍ଗୀର ସୁଡ଼ପଡା ମଦଭାଟି ପାଲଟି ଯାଇଥିଲା ଆୟକର ବିଭାଗର ଅସ୍ଥାୟୀ ଅଫିସ୍‌ । ଭାଟି ମ୍ୟାନେଜର ଓ କର୍ମଚାରୀମାନଙ୍କୁ ତୁହାକୁ ତୁହା ଜେରା କରି ତଦନ୍ତ ଚଳାଇଥିଲା ଇନ୍‌କମ୍‌ ଟେକ୍ସ ବିଭାଗ । ଅନ୍ୟପଟେ ମଦଭାଟିରୁ ଜବତ୍‌ ହୋଇଥିବା ଟଙ୍କା ଗତକାଲି ଚାଲାଣ୍‌ କାଟି ସରକାରୀ ହେପାଜତ୍‌ରେ ଡିପୋଜିଟ୍‌ ହେବା ପରେ ଆଜି ପୂର୍ବାହ୍ନ ୧୦ରେ ବଲାଙ୍ଗିର କ୍ଲବ୍‌ପଡ଼ାରେ ଥିବା ମଦ ମାଲିକଙ୍କ ଅଫିସ୍‌ରୁ ତଦନ୍ତ ସାରି ଆୟକର ବିଭାଗ ବଲାଙ୍ଗିର ଛାଡ଼ିଥିବା କୁହାଯାଉଛି । ସୁଦ୍‌ପଡ଼ା ମଦଭାଟି ଉପରେ ଅତର୍କିତ ଚଢ଼ାଉ କରି ପ୍ରାୟ ୩ ଶହ କୋଟିରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଛି ଆଇଟି ବିଭାଗ । ଏବେ ମଦ ଟଙ୍କା ରଖିବାକୁ ବଲାଙ୍ଗିର ଷ୍ଟେଟ୍‌ ବ୍ୟାଙ୍କ୍‌ ମେନ୍‌ ବ୍ରାଞ୍ଚରେ ଜାଗା ହେଉ ନଥିବା ଭଳି ଅବସ୍ଥା ସୃଷ୍ଟି ହୋଇଥିବା ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.