ଜଏଁତରା ନୂଆଁପଡ଼ା ଗ୍ରାମରେ ମହିଳା ବିକୁଛନ୍ତି ବେଆଇନ ମଦ : ଦୁଇ ମହିଳାଙ୍କ ବିରୁଦ୍ଧରେ ଗ୍ରାମବାସୀ ଥାନାର ଦ୍ୱାରସ୍ଥ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଉପାନ୍ତ ଚଲ୍‌କି ପଞ୍ଚାୟତ ଜଏଁତରା (ନୂଆଁପଡ଼ା)ଗ୍ରାମରେ ଗ୍ରାମବାସୀଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଦୁଇଜଣ ମହିଳା ବେଆଇନ୍ ମଦ ବିକ୍ରି କରୁଥିବାରୁ ଏହାକୁ ବନ୍ଦ କରିବା ପାଇଁ ଗ୍ରାମବାସୀ ଗୁରୁବାର ମୁରିବାହାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଗ୍ରାମର ଦିଗସନ ଭୋଇ ଓ ଅନ୍ୟମାନଙ୍କ ଲିଖିତ ଅଭିଯୋଗ ମୁତାବକ ତାଙ୍କ ଗ୍ରାମ ଏକ ଗରିବ ଗାଁ ହୋଇଥିବା ବେଳେ ଲୋକେ ଚାଷବାସ ଓ କୁଲିମଜୁରୀ କରି ଚଳିଥାନ୍ତି । ଗାଁର ସମସ୍ତ ଲୋକଙ୍କ ନିଷ୍ପତ୍ତି କ୍ରମେ ଗାଁରେ ବେଆଇନ ମଦ ବିକ୍ରିକୁ ସଂପୂର୍ଣ୍ଣ ଭାବେ ବାରଣ କରି ବନ୍ଦ କରାଯାଇଛି । କିନ୍ତୁ ଗ୍ରାମବାସୀଙ୍କ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଗ୍ରାମର ଦୁଇ ମହିଳା ପ୍ରେମ ମାଝୀ ଓ ବନିତା ମାଝୀ ନିକଟସ୍ଥ ଝରବାହାଲି ଗ୍ରାମରେ ଥିବା ଦେଶୀ ମଦଭାଟିରୁ ମଦ ଆଣି ଗାଁରେ ବେଆଇନ୍ ଭାବେ ଖୁଲମ୍‌ଖୋଲ୍ଲା ବିକ୍ରି କରୁଛନ୍ତି । ଫଳରେ ଗାଁର ଗରିବ ଲୋକେ ବେଆଇନ ଅପମିଶ୍ରିତ ମଦ ପିଇ ନିଜେ ଖର୍ଚ୍ଚାନ୍ତ ହେବା ସହ ଗାଁରେ ମଦ ପିଇ ବୁଲାବୁଲି କରି ଗାଁର ମହିଳା, ଝିଅ, ବୋହୂଙ୍କୁ ଗାଳିଗୁଲଜ କରୁଥିବାରୁ ସେମାନେ ଘରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଉଭୟ ମହିଳାଙ୍କୁ ଗ୍ରାମବାସୀ ବାରମ୍ବାର କହିଲେ ମଧ୍ୟ ସେମାନେ କର୍ଣ୍ଣପାତ କରୁନଥିବା ବେଳେ ଓଲଟି ଧମକଚମକ ଦେଇ ଆମେ ମଦ ବିକିବୁ ତୁମେ ଆମର କିଛି କରିପାରିବ ନାହିଁ, ତୁମର ଯଦି ସତ୍ ସାହସ ଅଛି ତାହେଲେ ଆମ ଦୁଜଜଣଙ୍କ ନାଁରେ କେଶ କର ବୋଲି ଧମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଝରବାହାଲି ମଦଭାଟିର ଦଲାଲମାନେ ଭାଟିରୁ ପ୍ରତିଦିନ ଅପମିଶ୍ରିତ ମଦ ଆଣି ଉଭୟ ମହିଳାଙ୍କୁ ଦେଇଥାନ୍ତି । ଗାଁରେ ଏହି ବେଆଇନ ମଦ ବିକ୍ରି କରୁଥିବା ଦୁଇ ମହିଳାଙ୍କ ମଦ ବିକ୍ରିକୁ ସଂପୂର୍ଣ୍ଣ ଭାବେ ବନ୍ଦ ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଓ ଗାଁକୁ ମଦମୁକ୍ତ ପାଇଁ ଗ୍ରାମବାସୀ ଥାନାର ଦ୍ବାରସ୍ଥ ହୋଇ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଚଲ୍‌କୀ ପଞ୍ଚାୟତ ସମିତି ସଭ୍ୟ ଦିଲ୍ଲୀପ ଭୋଇଙ୍କ ନେତୃତ୍ବରେ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ, ନୀଳକଣ୍ଠ ପ୍ରଧାନି, ରାଜୁ ମାଝୀ, ଚନ୍ଦ୍ରମଣି ପ୍ରଧାନୀ, ମାୟାଧର ଜାନୀ, ଶିବରାମ ପଟ୍ଟନାୟକ, ବିଦ୍ୟାଧର ଭୋଇ, ଦିଲୁ ପଟ୍ଟନାୟକ, ଏକା ପରାଭୂଏ, ରାମ ପରାଭୁଏ ଓ କରୁଣାକର ପଟ୍ଟନାୟକଙ୍କ ସହ ଗ୍ରାମର ଶତାଧିକ ବ୍ୟକ୍ତି ଥାନାରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ଗ୍ରହଣ କରି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ବେଆଇନ୍ ମଦ ବିକ୍ରି ସମ୍ପର୍କରେ ଚଢାଉ କରାଯିବ, ଅବକାରୀ ବିଭାଗକୁ ମଧ୍ୟ ଜଣାନ୍ତୁ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!