ଦୁର୍ଘଟଣା ପରେ ନିଜ ଛୁଆଙ୍କୁ ଜଗିଛି ମା’ କୁକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସେ ମଣିଷ ହେଉ କି ପଶୁପକ୍ଷୀ, ମା’ ମନ ସବୁ ବେଳେ ନିଜ ଛୁଆ ପାଇଁ ବିଚଳିତ । ନିଜ ଛୁଆର କଷ୍ଟ କେବେ ବି କୌଣସି ମା’ ଦେଖିପାରେ ନାହିଁ । ମା’ର ମମତା ଅମୃତ ତୁଲ୍ୟ । ନିଜ ଛୁଆ ଉପରେ ଯେତେବେଳେ ବିପଦ ଆସେ ନିଜକୁ ଖାତିର୍‌ ନ କରି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଏ ଜଣେ ମା’ । ଆଜି ଏପରି ଏକ କଥା ଆମେ ଆପଣଙ୍କୁ କହିବୁ ଯେଉଁ କଥା ଶୁଣି ଆପଣଙ୍କ ମନ ବି ବିଚଳିତ ହୋଇଯିବ । ଏକ ଅସହାୟ ମା’ ଜୀବନ ହାରିଥିବା ନିଜ ଛୁଆଁଙ୍କୁ ପାଖରେ ବସି ଦେଖୁଛି । କେତେ ବେଳେ କେମିତି ପାଖକୁ ଆସୁଛି, ଶୁଙ୍ଘୁଛି ଉଠାଇବା ପାଇଁ ଚେଷ୍ଟା କରୁଛି ହେଲେ ସେ ବା କରିବ କ’ଣ ? ସେ ମଧ୍ୟ ଅସହାୟ କୁକୁରଟିଏ । ନିଜ ଛୁଆଙ୍କୁ ବଞ୍ଚାଇ ନପାରି ଦୁଃଖରେ ବସି ସେମାନଙ୍କୁ ସେମିତି ଜଗିଛି । ଗତକାଲି ବଲାଙ୍ଗିର ସହରର ସରକାରୀ ଆଇଟିଆଇ ନିକଟସ୍ଥ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ଏକ କରୁଣ ଦୃଶ୍ୟ । କୌଣସି ଏକ ଅଜଣା ଗାଡ଼ି ଏକା ସାଙ୍ଗରେ ଦୁଇଟି କୁକୁର ଛୁଆଙ୍କ ଉପରେ ଚଢି ଯାଇଥିବା ବେଳେ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ଛୁଆଙ୍କ ମୃତ୍ୟୁ ପରେ ମା’ କୁକୁର ମୃତ ଛୁଆଙ୍କ ପାଖରେ ଜଗି ବସିଛି । ସତରେ ମା’ର ମମତା ଠୁ ବଳି ଆଉ କିଛି ନାହିଁ ।

Leave A Reply

Your email address will not be published.