centurian jitm

ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚମ୍ପଆନସିପ୍‌ ଉଦ୍‌ଯାପିତ

nschool
  • ପୁରୁଷ ଏକକ ପାରସ, ମହିଳାରେ ସ୍ମୃତି ଚମ୍ପିଆନ
  • ପୁରୁଷ ଡବଲ୍ସରେ ଅଭିନାଶ ଓ ଆୟୁଷ, ମହିଳାରେ ପ୍ରଗତି,ବିଶାଖା ଚମ୍ପିଆନ
  • ମିଶ୍ରିତ ଯୁଗଳରେ ଅଭିନାଶ ଓ ଶ୍ରେୟା ଚମ୍ପିଆନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚମ୍ପିଆନସିପ୍‌ର ବୁଧବାର ଉଦ୍‌ଯାପିତ ହୋଇଯାଇଛି । ସଂଘର୍ଷପୂର୍ଣ୍ଣ ଫାଇନାଲ ଖେଳର ପୁରୁଷ ସିଙ୍ଗଲ୍ସର ଭୁବନେଶ୍ୱର ଖୋର୍ଦ୍ଧାର ପାରସ ମାଥୁର ସମ୍ବଲପୁରର ତହସିବ ଖାନଙ୍କୁ ୧୪/୨୧, ୨୧୧୪ ଓ ୨୧/୧୪ରେ ପରାସ୍ତ କରି ୨୦୨୩ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସରେ କଟକର ସ୍ମୃତି ସ୍ୱାଇଁ ଭୁବନେଶ୍ୱରର ହର୍ଷିତା ରାଉତଙ୍କୁ ୧୯/୨୧,୨୧/୧୧ ଓ ୨୧/୧୭ ପଏଣ୍ଟରେ ପରାଜିତ କରି ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ସେହିପରି ପୁରୁଷ ଡବଲ୍ସରେ ଅବିନାଶ ମହାନ୍ତି ଓ ଆୟୁଷ ପଟ୍ଟନାୟକଙ୍କ ଯୋଡ଼ି ସିଧାସଲଖ ୨୧/୧୮, ୨୧/୧୫ ପଏଣ୍ଟରେ ଅମ୍ଲାନ କେଶରୀ ଗଡ଼ନାୟକ ଓ ତନ୍ମୟ କୁମାର ସାହୁଙ୍କୁ ପରାସ୍ତ କରି ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ମହିଳା ଡବଲ୍ସର ଫାଇନାଲ ଖେଳରେ ବିଶାଖା ଟପ୍ପୋ ଓ ପ୍ରଗତି ପରିଡ଼ାଙ୍କ ଯୋଡ଼ି ହର୍ଷିତା ରାଉତ ଓ ସ୍ମୃତି ସ୍ୱାଇଁଙ୍କୁ ସିଧାସଳଖ ୨୨/୨୦ ଓ ୨୧/୧୬ ପଏଣ୍ଟରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ମିଶ୍ରିତ ଯୁଗଳ ଫାଇନାଲ ଖେଳରେ ଅଭିନାଶ ମହାନ୍ତି ଓ ଶ୍ରେୟା ବିଶ୍ୱାଳଙ୍କ ଯୋଡ଼ି ଆୟୁଷ ଦାଶ ଓ ପୂର୍ବା ପ୍ରତ୍ୟାଶା ପଣ୍ଡାଙ୍କ ଯୋଡ଼ିକୁ ସିଧାସଲଖ ୨୧/୬ ଓ ୨୧/୧୯ ପଏଣ୍ଟରେ ହରାଇ ଏ ବର୍ଷର ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି । ଫାଇନାଲ ଖେଳ ପରେ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗଦେଇ ଖେଳାଳିମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ଆମ ବ୍ୟାଡ଼ମିଣ୍ଟନ ଭିତ୍ତିଭୂମି କେବଳ ଆମ ଜିଲା ନୁହଁ ସାରା ରାଜ୍ୟ ତଥା ସାରା ଦେଶର ଖେଳାଳିଙ୍କୁ ସେବା ଯୋଗାଇ ପାରିଥିବାରୁ ବଲାଙ୍ଗିରବାସୀ ଗର୍ବିତ ବୋଲି ସେ କହିଥିଲେ । ଆଗାମୀ ଦିନରେ ଏହି ପିଆର ହାଇସ୍କୁଲ ଇଣ୍ଡୋର ଷ୍ଟାଡିୟମ ଆହୁରି ଉଚ୍ଚତର ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାର ଦକ୍ଷତା ରଖିଛି ବୋଲି କହିିଥିଲେ । ଫାଇନାଲ ଖେଳ ପରେ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ସାଙ୍ଗଠାନିକ ସମ୍ପାଦକ ସୁରୁଲାଲ ମଟାରୀ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ୧୬ ଜଣ ରେଫରୀ ଓ ଟେକ୍ନିକାଲ ଅଫିସିଆଲ ଖେଳ ପରିଚାଳନା ପାଇଁ ଯୋଗ ଦେଇଥିଲେ । ଚିଫ ରେଫରୀ ବିଜୟ କୁମାର ବାଗ ସମସ୍ତ ଖେଳକୁ ପରିଚାଳନା କରିଥିଲେ । ପ୍ରତିଯୋଗିତା ଆୟୋଜନରେ ଜିଲା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ଘନଶ୍ୟାମ ମିଶ୍ର, ବୁଲୁ ବେହେରା, ସୁଶାନ୍ତ ମହାନ୍ତି, ଅଭିଜିତ ମିଶ୍ର, ସରୋଜ ସୁନା, କାସିମ ଇକବାଲ, ସଂଜୀବ ସାହାଣୀ, ସୁଧିର ପଣ୍ଡା, ସଂଯୋଜକ ଶୁଭ୍ରାଂଶୁ ପଣ୍ଡା, ଅନନ୍ତ ବେହେରା, ମାନସ ମହାନ୍ତି, କବିରାଜ ଠାକୁର, କାହ୍ନୁ ଲାଲ, ସୁରେନ୍ଦ୍ର ନେପାଲ, ଚନ୍ଦନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!