- “ମୁଁ ବି ହେବି ନବୀନ ଓଡିଶାର ସାରଥୀ” କାର୍ଯ୍ୟକ୍ରମରେ ଗୁରୁମନ୍ତ୍ରଦେଲେ ରାଜ୍ୟନେତୃବୃନ୍ଦ
ବଲାଙ୍ଗିର, (କେପିଏନ୍ଏସ୍) : ବିଜେଡି ଦଳର ବଲାଙ୍ଗିର ଜିଲ୍ଲାର ଯୁବ ଓ ଛାତ୍ର ସଂଗଠନକୁ ଆହୁରି ଚଳଚଞ୍ଚଳ କରିବାକୁ ରାଜ୍ୟ ନେତୃବୃନ୍ଦ ପଦକ୍ଷେପ ନେଇଛନ୍ତି । ଗତକାଲି ସ୍ଥାନୀୟ ପେଲେସଲାଇନ ମୀନା ଟେଣ୍ଟ ହାଉସଠାରେ ବିଜେଡି ଦଳର “ମୁଁ ବି ହେବି ନବୀନଙ୍କ ସାରଥୀ”କାର୍ଯ୍ୟକ୍ରମରେ ରାଜ୍ୟସ୍ତରରୁ ଆସିଥିବା ନେତୃବୃନ୍ଦ ଯୁବ ଓ ଛାତ୍ରସଂଗଠନର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ତେବେ ବଲାଙ୍ଗିରରେ ଯୁବ ଓ ଛାତ୍ର ସଂଗଠନ ସାମାନ୍ୟ ଦୁର୍ବଳ ହୋଇପଡିଥିବାରୁ ରାଜ୍ୟ ନେତୃବୃନ୍ଦ ଅସନ୍ତୋଷ ମଧ୍ୟ ବ୍ୟକ୍ତ କରିଛନ୍ତି ଓ ସଂଗଠନକୁ ମଜବୁତ କରିବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ନବୀନ ଲହର ଚାଲିଥିବା ବେଳେ ବିଜେଡି ଆସନ୍ତା ୨୦୨୪ର ସାଧାରଣ ନିର୍ବାଚନ ଜିଣି ରେକର୍ଡ ସୃଷ୍ଟି କରିବ ବୋଲି ନେତାଗଣ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେଥିପାଇଁ ଯୁବକ ଓ ଛାତ୍ରମାନେ ତାଙ୍କ ସ୍ତରରେ ସଂଗଠିତ ହୋଇ ବଲାଙ୍ଗିର ଜିଲ୍ଲାର ୫ଟି ବିଧାନସଭା କ୍ଷେତ୍ର ସହିତ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଜିତାଇବାକୁ କହିଥିଲେ ।
ବଲାଙ୍ଗିର ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜୁ-ଯୁବଛାତ୍ର ବ୍ୟାପାର ରାଜ୍ୟ ସାଧାରଣ ସଂପାଦକ ପ୍ରଣବ ବଳବନ୍ତରାୟ, ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ, ରାଜ୍ୟ ବିଜୁ ଛାତ୍ର ସଭାପତି ଦେବୀରଂଜନ ତ୍ରୀପାଠୀ, ଟିଟିଲାଗଡ ବିଧାୟିକା ତଥା ରାଜ୍ୟ ଜଳ ସଂମ୍ପଦ ଓ ପରିବହନମନ୍ତ୍ରୀ ଟୁକୁନୀ ସାହୁ, ରାଜ୍ୟସଭା ସାଂସଦ ନିରଂଜନ ବିଶି, ପାଟଣାଗଡ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ସରୋଜ ମେହେର, ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ, କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ହାଜିମହମ୍ମଦ ଆୟୁବ ଖାନ, ଜିଲ୍ଲା ପରିଷଦର ସଭାପତି ଦେବକୀ ସାହୁ, ଗତଥର ବିଜେଡି ପ୍ରାର୍ଥୀ ଥିବା ଅଜୟ ଦାସ, ଯୁବନେତା ଅର୍କେଶ ନାରାୟଣ ସିଂହଦେଓ, ରାଜ୍ୟ ବିଜେଡିର ସଂପାଦକ ଅଜିତ ଯୋଷୀ, ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ବଲାଙ୍ଗିର ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ଜିଲ୍ଲା ମହିଳା ସଭାନେତ୍ରୀ ଦମୟନ୍ତୀ ବାଗ ପ୍ରମୁଖ ଯୋଗଦେଇ ଯୁବକ ଓ ଛାତ୍ର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟତଃ ଆମ ଓଡିଶା-ନବୀନ ଓଡିଶା ଯୋଜନା, ୫ଟି ଯୋଜନାରେ ସ୍କୁଲ କଲେଜରେ ହେଉଥିବା ରୂପାନ୍ତରିକରଣ, କଲେଜ ସ୍ତରରେ କ୍ରୀଡାର ବିକାଶ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମଗୁଡିକ ବିଷୟରେ ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖକୁ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ତେବେ ରାଜ୍ୟ ନେତୃବୃନ୍ଦ ବଲାଙ୍ଗିରର ଯୁବ ଓ ଛାତ୍ର ସଂଗଠନକୁ ନେଇ ନିରୁତ୍ସାହିତ ହୋଇଥିବା ବେଳେ ଏହାକୁ କାଉଣ୍ଟର କରି ମନ୍ତ୍ରୀ ଟୁକୁନୀ ସାହୁ ବଲାଙ୍ଗିର ଜିଲ୍ଲାରେ ନବୀନ ସରକାର ଅମଳରେ କରାଯାଇଥିବା ଅନେକଗୁଡିଏ ଜଳସେଚନ ପ୍ରକଳ୍ପ ଓ ବିକାଶମୂଳକ ପ୍ରକଳ୍ପ ଯୋଗୁଁ ଯୁବ ଓ ଛାତ୍ରମାନେ ଉତ୍ସାହିତ ଥିବା କହିଥିଲେ । ସେହିପରି ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ଏଣିକି ଯୁବକ ଓ ଛାତ୍ରମାନେ ଫେସବୁକ, ଟ୍ୱିଟର, ଇଷ୍ଟାଗ୍ରାମ, ୱାଟ୍ସଆପ ଜରିଆରେ ନବୀନ ସରକାରଙ୍କ ଜନହିତକାରୀ ଯୋଜନାଗୁଡିକୁ ଲୋକଙ୍କ ପାଖକୁ ପହଞ୍ଚାଇବା ଓ ବିରୋଧୀ ଦଳର ଲୋକଙ୍କ ମିଥ୍ୟାପ୍ରଚାରକୁ କାଉଣ୍ଟର କରିବାକୁ ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠନେତା ତଥା ବିଡିସିସି ବ୍ୟାଙ୍କର ପୂର୍ବତନ ସଭାପତି ଲକ୍ଷ୍ମଣ କୁମାର ମେହେର, ସୁଶୀଳ ଚାନ୍ଦ, କଳାହାଣ୍ଡିର ଯୁବନେତା ଚିରାଗ ସିଂଦେଓ, ବଲାଙ୍ଗିର ଛାତ୍ର ବିଜେଡି ସଭାପତି ସୁମନ ନନ୍ଦ, ଗୁଞ୍ଜ ଖାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୁଲାବ ବାଗ, ଆମ ଓଡିଶା କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସାଗର ସଂଗମ ଶତପଥି, କେନ୍ଦୁପତ୍ର କର୍ମଚାରୀ ସଂଘର ଶିବାନନ୍ଦ ପରିଚ୍ଛା ପ୍ରମୁଖଙ୍କ ସହିତ ୫ଶହରୁ ଅଧିକ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।