jayashree

ମୁରିବାହାଲ ବ୍ଲକ ସଦର ମହକୁମାରେ ସୁଧୁରୁନି ସବୁଦିନିଆ ରାସ୍ତା ସମସ୍ୟା : ବନବାହାଲର ଯୁବକମାନେ ଶ୍ରମଦାନ କରି ତିଆରି କଲେ ଗାଁକୁ ସବୁଦିନିଆ ରାସ୍ତା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ବର୍ଷ ବର୍ଷ ଧରି ସବୁଦିନିଆ ରାସ୍ତା ସମସ୍ୟା ଲାଗି ରହିଛି । ଦୀର୍ଘ ଦିନ ପୂର୍ବରୁ ହୋଇଥିବା ଗେଟି, ପଥର, ଆବଡାଖାବଡା ରାସ୍ତାଗୁଡିକରେ ଯିବା ଆସିବା କରିବାକୁ ହଜାର ହଜାର ଲୋକେ ବାଧ୍ୟ ହେଉଛନ୍ତି । ସରକାରୀ ପ୍ରଶାସନିକ ଉଦାସୀନତା, ରାଜନୈତିକ ଇଛାଶକ୍ତିର ଅଭାବ, ଦାୟିତ୍ଵ ହୀନତା, ବେସରକାରୀ ଜମି ଓ ଜଙ୍ଗଲ ସମସ୍ୟା ଯୋଗୁଁ ବ୍ଲକ ମୁଖ୍ୟାଳୟର ସବୁଦିନିଆ ରାସ୍ତା ସମସ୍ୟା କେବେ ମଧ୍ୟ ସୁଧୁରି ପାରୁନଥିବା ଅଭିଯୋଗ ହୋଇଛି । ବ୍ଲକ ସଦର ମହାକୁମା ଭଳି ଏହାର ମାତ୍ରକିଛି ଦୂରରେ ଥିବା ସଦର ପଞ୍ଚାୟତ ବନବାହାଲ ଗ୍ରାମର ଗ୍ରାମବାସୀ ଦୀର୍ଘ ବର୍ଷ ଧରି ସ୍ଥାୟୀ ରାସ୍ତା ଭଳି ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ଆଦିବାସୀ ବହୁଳ ଗ୍ରାମମାନଙ୍କର ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ମାତ୍ର ବନବାହାଲ ଭଳି ଏକ ବଡ ଆଦିବାସୀ ବହୁଳ ଗ୍ରାମ କିନ୍ତୁ ଏହି ସବୁଦିନିଆ ରାସ୍ତା ସୁବିଧାରୁ ଚିରଦିନ ଧରି ସଂପୂର୍ଣ୍ଣ ବଞ୍ଚିତ ହୋଇ ରହିଛି । ଗ୍ରାମବାସୀ ଏ ବିଷୟରେ ସ୍ଥାନୀୟ ସରପଞ୍ଚ, ବ୍ଲକ ଅଧ୍ୟକ୍ଷଙ୍କଠାରୁ ବିଧାୟକ, ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଅନେକ ରାଜନେତା ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କଠାରୁ ୫ଟି ସଚିବଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ଅନେକ ଥର ବାରମ୍ବାର ଲିଖିତ ଦାବୀ ଅନୁରୋଧ ସତ୍ତ୍ୱେ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ସ୍ଥାୟୀ ରାସ୍ତାଟିଏ ହୋଇପାରିନାହିଁ । ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗୁନଥିବାରୁ ଶେଷରେ ବାଧ୍ୟ ହୋଇ ଗ୍ରାମର ସ୍ୱେଚ୍ଛାସେବୀ ଯୁବକମାନେ ରବିବାର ମୁରିବାହାଲରୁ ବନବାହାଲ ଗ୍ରାମ ପର୍ଯ୍ୟନ୍ତ ରାସ୍ତାରେ ମାଟି, ମୋରମ ପକାଇ ରାସ୍ତା ମରାମତି କରି ନିଜ ରାସ୍ତା ନିଜେ ତିଆରି କରିଛନ୍ତି । ଗ୍ରାମର ସ୍ଵେଚ୍ଛାସେବୀ ଯୁବକ ଗୋପାଳ ଭୋଇଙ୍କ ନେତୃତ୍ବରେ ଗ୍ରାମର ଭରତ ଦାସ, ରାଜୀବ କୁଅଁର, ସୁଧୀର ବେହେରା, ସୁରୁଚନ ଭୋଇ, ଶ୍ରୀଧର ଧରୂଆ, ସୁବୋଧ ବେହେରା, ମଧୁସୂଦନ ଧରୂଆ, ପ୍ରକାଶ ସେଠୀ, ସୁଶାନ୍ତ ମାଝୀ, ସନ୍ତୋଷ ମାଝୀ, ପ୍ରହଲ୍ଲାଦ ବେହେରା, ଛବି ବାରିକ, ଗିରିଧାରୀ ମଲ୍ଲିକ, ତୁଳସୀ ସାହୁ, କିଶୋର ବାଗ, ହରିବନ୍ଧୁ ବାଗ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ । ଗ୍ରାମର ସ୍ଵେଚ୍ଛାସେବୀ ଯୁବକମାନଙ୍କ ଏଭଳି କାମକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରୁଛନ୍ତି । ଏହି ଗ୍ରାମଦେଇ ବିଭିନ୍ନ ଗାଆଁର ଲୋକେ ଯିବା ଆସିବା କରୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଏକ ସବୁଦିନିଆ ରାସ୍ତା ତିଆରି କରିବା ପାଇଁ ଅଞ୍ଚଳବାସୀ ଦୃଢ଼ ଦାବୀ କରିଛନ୍ତି ।

Leave A Reply

Your email address will not be published.