ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡିଆଠାରେ ଚାଲିଥିବା ୩୭ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ରଜନୀରେ ପହଂଚିଛି । ଧନୁଯାତ୍ରା ପାଇଁ ବଙ୍ଗୋମୁଣ୍ଡା ପାଲଟିଛି ମଥୁରାନଗରୀ ଓ ଗୋହିରାପଦର ପାଲଟିଛି ଗୋପପୁର । ହାତୀ ପିଠିରେ ବସି କଂସ ମହାରାଜ ମୁକ୍ତାକାଶ ରଙ୍ଗମଂଚକୁ ପାତ୍ର, ମନ୍ତ୍ରୀଙ୍କ ସହ ପହଞ୍ଚିଥିଲେ । ମହୋତ୍ସବର ଦ୍ୱିତୀୟ ରଜନୀରେ ରାଜକୀୟ ଅତିଥି ଭାବେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଲା ବେହେରା, ବ୍ରହ୍ମପୁର ସ୍ଥିତ ସ୍ୱଶକ୍ତି ଜାଗରଣ ସେବା ସଂସ୍ଥାର ପ୍ରତିଷ୍ଠାତା ଟି କ୍ରିଷ୍ଣା ପାତ୍ର, ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ସିନ୍ଧେକେଲା ସମିତି ସଭ୍ୟ ଭୋଲାନାଥ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇ ବଙ୍ଗୋମୁଣ୍ଡା ଖେଳପଡିଆରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟାର କିପରି ଭାବେ ସମାଧାନ ହେବା ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆମ୍ବେଦକର ଛକଠାରେ ଏକ ଶୌଚାଳୟ ନିର୍ମାଣ ଦାବୀ କରାଯାଇଥିଲା । ଏହି ଉତ୍ସବକୁ ଦୀର୍ଘ ୩୭ ବର୍ଷ ଧରି ବଂଚାଇ ରଖିଛନ୍ତି ସେଥିପାଇଁ ଅତିଥିମାନେ ଆୟୋଜକ କମିଟିକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏହି ଅବସରରେ ବଙ୍ଗୋମୁଣ୍ଡା ବ୍ଲକ ସଦରର ପ୍ରଥମ ମହିଳା ଆଇନଜୀବୀ ସୁଶ୍ରୀ ଅଙ୍କିତା ଅଗ୍ରୱାଲଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଡଃ ନାରାୟଣ ମିଶ୍ର ସଭାକୁ ସଂଯୋଜନା କରିଥିଲେ । ଏହି ରଙ୍ଗମଂଚରେ ସତ୍ୟ ମହିମା ସଂସ୍କୃତ ବିଦ୍ୟାପୀଠ ଖଇରା, ମା’ କରମ୍ସାନି ଡ୍ୟାନ୍ସ ଗୃପ ବୁରୋମାଲ, ଢୋଲମହୁରୀ ବଲାଙ୍ଗିର, ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ପୌରାଣିକ ନାଟ୍ୟବସ୍ତୁ ଆଧାରିତ କୃଷ୍ଣ ଜନ୍ମ, ବିଜୁଳି କନ୍ୟାଙ୍କ ଶୂନ୍ୟବାଣୀ, ପୁତୁନାକୁ ଆହ୍ୱାନ ଓ ପ୍ରେରଣ ଆଦି ନାଟ୍ୟାଭିନୟ ପରିବେଷିତ ହୋଇଥିଲା । ଧନୁଯାତ୍ରା ମହୋତ୍ସବ ଉପଲକ୍ଷେ ଲୋକଶକ୍ତି ଅନୁଷ୍ଠାନ ପକ୍ଷରୁ ପୁଷ୍ଟିକର ଖାଦ୍ୟ ମେଳା ମଧ୍ୟ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି । ମାଣ୍ଡିଆ, ଗୁର୍ଜି, ବାଜରା, କୋଦୋ ଆଦି ଖାଦ୍ୟ ଶସ୍ୟରେ ପ୍ରସ୍ତୁତ ସାମଗ୍ରୀ ବିତରଣ ସହ ବିକ୍ରି କରାଯାଉଛି । ଲୋକଶକ୍ତି ଅନୁଷ୍ଠାନର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ । ଧନୁଯାତ୍ରା ମହୋତ୍ସବ କମିଟିର ଅଧ୍ୟକ୍ଷ ତୁଲସୀରାମ ହଂସ, ଉପାଧ୍ୟକ୍ଷ ଆନନ୍ଦ ଅଗ୍ରୱାଲ, ସଭାପତି ସୁଦାମ ସିନ୍ଦୁର, କାର୍ଯ୍ୟକାରୀ ସଭାପତି ସନ୍ତୋଷ ତ୍ରିପାଠୀ, ସାଧାରଣ ସମ୍ପାଦକ ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ଅମିତ ଥନାପତି, ପିଆର୍ଓ ତ୍ରିନାଥ ବାରିକ, ପ୍ରଚାର ପ୍ରସାର ସମ୍ପାଦକ ହୁଲେଶ୍ୱର ହଂସ, ଦୀପକ ଯାଦବ, କୋଷାଧ୍ୟକ୍ଷ ରୁପେଶ ଜୈନ ପ୍ରମୁଖଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟମାନେ ସହଯୋଗ କରିିଥିଲେ । ବହୁ ସଂଖ୍ୟାରେ ଦର୍ଶକମାନେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଉପଭୋଗ କରିଥିଲେ । ଶାନ୍ତି ଶୃଙ୍ଖଳା ପାଇଁ କଣ୍ଟାବାଞ୍ଜି ଏସ୍ଡିପିଓଙ୍କ ନେତୃତ୍ୱରେ ପୋଲିସ ମୁତୟନ ହୋଇଛି ।