ବ୍ରହ୍ମପୁର, (କେପିଏନ୍ଏସ୍) : ବିଏମ୍ସି ପରିଚାଳିତ ଟାଉନ୍ ହଲ ଭଡ଼ା ହ୍ରାସ ଦାବୀରେ ପ୍ରଗତିଶୀଳ ଉକ୍ରଳ ସମାଜ ଶୁକ୍ରବାର ପ୍ରତିବାଦ କରି ଏବଂ କମିଶନରଙ୍କୁ ଦାବୀପତ୍ର ପ୍ରଦାନ କରିଛି । ସେମାନଙ୍କ ଅଭିଯୋଗ ସାଧାରଣ ଜନତାଙ୍କ ନିମନ୍ତେ ସଭା, ସମିତି, ସାହିତ୍ୟ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଏହା ଉଦ୍ଦିଷ୍ଟ । ମାତ୍ର ଏହାର ଭଡ଼ା ୧୫,୦୦୦ ଟଙ୍କା ରହିଥିବାରୁ ଏଠାରେ କାର୍ଯ୍ୟକ୍ରମ କରିବା ବ୍ୟୟ ସାପେକ୍ଷ ହେଉଛି । ଭୁବନେଶ୍ୱରଠାରେ ବିଭିନ୍ନ ସଭାମଣ୍ଡପର ଭଡ଼ା ୫୦୦୦ ରହିଥିବା ବେଳେ ବ୍ରହ୍ମପୁରରେ ଟାଉନ୍ ହଲ୍ ଭଡ଼ା ୧୫,୦୦୦ ଟଙ୍କା ନିଆଯାଉଛି । ବ୍ରହ୍ମପୁର ସହରର ପାଞ୍ଚଲକ୍ଷ ଲୋକଙ୍କୁ ଏହା ପ୍ରତାରଣା ବୋଲି ଅଭିଯୋଗ କରାଯାଇଛି । ତେଣୁ ସାମାଜିକ, ସାହିତ୍ୟିକ, ସଂସ୍କୃତିକ ଓ ବିଭିନ୍ନ ଅନୁଷ୍ଠାନ ଓ ନିମନ୍ତେ ଭଡ଼ା ପାଞ୍ଚହଜାର ଟଙ୍କାକୁ ହ୍ରାସ କରାଯାଉ ବୋଲି ଉକ୍ରଳ ସମାଜର ରାଜ୍ୟ ସଂପାଦକ ସରୋଜ ପଟ୍ଟନାୟକ, ଶ୍ରମିକ ନେତା ତଥା ବରିଷ୍ଠ ସାମ୍ବାଦିକ ରବି ରଥ, ଅଧିବକ୍ତା ଗୌରୀ ଶଙ୍କର ପଟ୍ଟନାୟକ, ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଗୀତା ବାଚସ୍ପତି, ପଦ୍ମଚରଣ ଦାସ, ପରିବେଶବିତ୍ ସରିତା ପଣ୍ଡା, ଗଞ୍ଜାମ ବିକାଶ ମଞ୍ଚର ସଭାପତି ରାଜେନ୍ଦ୍ର ପଣ୍ଡା, ବରଗଛ ସୁରକ୍ଷା କର୍ମୀ ଲୋକନାଥ ପରିଡ଼ା, ଚିତ୍ତରଞ୍ଜନ ପଣ୍ଡା, ସାମ୍ବାଦିକ ସୁବ୍ରତ ରଥ, ବାସୁଦେବ ସାହୁକାର, ପ୍ରମୋଦ ମିଶ୍ର, ସମାଜସେବୀ ଜଗଦାନନ୍ଦ ଦାଶ, ଡି. କେଶବ ରାଓ, ଅଜିତ ପଣ୍ଡା, ଉମା ନାୟକ, ବନମାଳି ପାତ୍ର, ଲକ୍ଷ୍ମୀ ଚରଣ ବେହେରା, ଡ଼ା. ରାମହରି ଖଣ୍ଡୁଆଳ, ଧନଞ୍ଜୟ ବିଷୋୟୀ, ଆଡ଼ଭୋକେଟ ଶିବ ପ୍ରସାଦ ମିଶ୍ର, ସୁରେନ୍ଦ୍ର ନାଥ ରାଉତ, ଶିବ ପ୍ରସାଦ ମିଶ୍ର, ସ୍ନେହାଶୁ ପାଢ଼ୀ, ଶିକ୍ଷକ ନେତା ଅଶୋକ କୁମାର ଦଳେଇ ସମେତ ବହୁ ସଦସ୍ୟ କମିଶନରଙ୍କୁ ଭେଟି ଦାବୀ ଜଣାଇଥିଲେ । ଏ ସମ୍ପର୍କରେ ଶ୍ରମିକ ନେତା ତଥା ସାମ୍ବାଦିକ ଶ୍ରୀ ରଥ ତାଙ୍କ ଭାଷଣରେ ବ୍ରହ୍ମପୁର ମହାନଗର ନିଗମ ସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ କରିବା ଦିଗରେ ବିଫଳ ହୋଇଛି । ଖଲିକୋଟ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଏହି ଟାଉନ ହଲ ନିର୍ମାଣ କହିଥିଲେ । ଟାଉନ ହଲ ସୌନ୍ଦର୍ଯ୍ୟକରଣ କରାଯିବା ପୂର୍ବରୁ ଏହି ହଲର ଭଡ଼ା ମାତ୍ର ୩୦୦ ଟଙ୍କା ଥିଲା । ଏ କଥା ବୋଧେ ମେୟର କିମ୍ବା କମିଶନରଙ୍କ ଜ୍ଞାତସାରରେ ନଥିବ । କିନ୍ତୁ ହଠାତ୍ ୧୫୦୦୦ ଟଙ୍କା ଭଡ଼ା କରାଯିବା ଘଟଣା ବ୍ରହ୍ମପୁରବାସୀଙ୍କ ଉପରେ ଜିଜିଆ କର ବୋଲି କହିଥିଲେ ।