ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚୁକ ବ୍ରତ ଉପଲକ୍ଷେ ଆଧ୍ୟାତ୍ମିକ ପ୍ରବଚନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚୁକ ବ୍ରତ ଉପଲକ୍ଷେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ୟକ୍ରମ କୋଏଲ ନଗର ଏନ୍‌ଏସି ମାର୍କେଟ ନିକଟସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଓ ବାବା ଆଖଣ୍ଡଳମଣି ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ଡଃ କୃପାସିନ୍ଧୁ ମିଶ୍ର ପ୍ରବଚକ ଭାବେ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ତତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଶ୍ରୀକ୍ଷେତ୍ର ସଂସ୍କୃତି ମାନବୀୟ ସଂସ୍କୃତି ବୋଲି କହିବା ସହ ଜଗନ୍ନାଥଙ୍କ ସଂସ୍କୃତିକୁ ବୁଝି ନିଜକୁ ସେଥିରେ ସମର୍ପିତ ଓ ଆତ୍ମସ୍ଥ କରିପାରିଲେ ଜୀବନ ସାର୍ଥକ ହୋଇଥାଏ । ଜଗନ୍ନାଥ ହେଉଛନ୍ତି ପୂର୍ଣ୍ଣବ୍ରହ୍ମ । ସେ ହେଉଛନ୍ତି ସମଗ୍ର ଜଗତର ପ୍ରତିଫଳନ । ଶ୍ରୀକ୍ଷେତ୍ରରେ ଜଗନ୍ନାଥ ସଂସ୍କୃତି କେବେ ହୀନମନ୍ୟତା ରଖେ ନାହିଁ । ଏହି ଅବସରରେ ଆଇଜିଏଚ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବିରଞ୍ଚି କୁମାର ହୋତା କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ, ଆଲୋକ ରଂଜନ ମଲ୍ଲିକ, ଶର୍ମିଷ୍ଠା କବିଶତପଥୀ, ଡ଼ଃ ସନାତନ ପ୍ରଧାନ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଚନ୍ଦ୍ର ଶେଖର ଶତପଥୀ, ରାମକୃଷ୍ଣ ତ୍ରିପାଠୀ, ବିନୟ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ସେହିପରି ଦ୍ବିତୀୟ ଓ ତୃତୀୟ ଦିନ ଋଷି ପରମ୍ପରା ପ୍ରବର୍ତ୍ତକ ଓ ପରିବ୍ରାଜକ ଡ଼ଃ ସୁଦର୍ଶନ ଦେବ ଆଚାର୍ଯ୍ୟ ବେଦ ଓ ଶ୍ରୀଜଗନ୍ନାଥଙ୍କ ତତ୍ୱ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ବେଦରୁ ମନୁସ୍ତୁତି ତିଆରି ହୋଇଥିଲା । ଯଜ୍ଞ କଲେ ଯେତିକି ପୂଣ୍ୟ ମିଳେ, ଘୁଷୁରୀ ପାଳନ କଲେ ସେତିକି ପୂଣ୍ୟ ମିଳେ । ସେହିପରି ଶରୀରର ଆଧାର ଆହାର, ବିଶ୍ରାମ ଓ ସଞ୍ଜମ ତଥା ଚା’ର ତିନୋଟି ବିଷ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରିଥିଲେ । ତୃତୀୟ ଦିନରେ ଜଗନ୍ନାଥଙ୍କ ସଂସ୍କୃତି, ତତ୍ୱ, ଆସ୍ଥା ଓ ଭକ୍ତି ସମ୍ପର୍କରେ ଶ୍ରୋତାମାନଙ୍କୁ ପ୍ରବଚନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଯୋଗଦେଇଥିବା ବେଳେ ସମସ୍ତଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ନଳିନୀପ୍ରଭା ପଟ୍ଟନାୟକ, ଡ଼ଃ କେ କେ ପାତ୍ର, ଇଂ ସୁଶିଲ ମିଶ୍ର, ବାଳକୃଷ୍ଣ ପାଣିଗ୍ରାହୀ, ମନୋଜ ପଣ୍ଡା, ମନ୍ଦିର ପରିଚାଳନା କମିଟିର ସମସ୍ତ ଟ୍ରଷ୍ଟି ଉପସ୍ଥିତ ଥିଲେ । ଶେଷରେ ବ୍ରଜେନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଟ୍ରଷ୍ଟି ତଥା ଉଦ୍ୟେକ୍ତା ଆଲୋକ ରଂଜନ ମଲ୍ଲିକ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.