jayashree

ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

  • ୬୦ଟି ବିଦ୍ୟାଳୟର ୧୩୪ ପ୍ରକଳ୍ପ ପ୍ରଦର୍ଶିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମଗ୍ର ବ୍ଲକ ଅଞ୍ଚଳର ୬୦ଟି ବିଭିନ୍ନ ବିଦ୍ୟାଳୟର ୧୩୪ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି ପ୍ରଦର୍ଶନୀରେ ଚଳିତ ବର୍ଷ ସମାଜ ପାଇଁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଶୀର୍ଷକ ବିଷୟବସ୍ତୁ ଥିବା ଜଣାପଡିଛି । ଆୟୋଜକ ସଭାପତି ତଥା ବିଇଓ ଶାନ୍ତନୁ କୁମାର ପଢ଼ୀହାରିଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ବ୍ଲକ ସଦର ପଞ୍ଚାୟତ ସରପଞ୍ଚ ତଥା ବ୍ଲକ ସରପଞ୍ଚ ସଂଘ ସଭାପତି ବିଶ୍ୱବିହାରୀ ଯୋଶୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ । ଏଥିରେ ପର୍ଯ୍ୟବେକ୍ଷକ ରୂପେ ଶଗଡ଼ଘାଟ ହାଇସ୍କୁଲ ପ୍ରଧାନଶିକ୍ଷକ ଅମରେନ୍ଦ୍ର ହୋତା, ଦୁଇ ବିଚାରକ ରୂପେ ଚୁଲିଫୁଙ୍କା ହାଇସ୍କୁଲ ଶିକ୍ଷକ ଦୁର୍ଗାପ୍ରସାଦ ପାଣିଗ୍ରାହୀ ଓ ତୁରେକେଲା ହାଇସ୍କୁଲ ଶିକ୍ଷକ ରାଜେଶ କୁମାର ସିଂଦେଓ ଯୋଗ ଦେଇଥିଲେ । ସେହିପରି ଉଦଯାପନୀ ଉତ୍ସବରେ ବ୍ଲକ ଆକାଉଣ୍ଟସ ଅଫିସର ଘେନୁରାମ ତାଣ୍ଡି ମୁଖ୍ୟ ଅତିଥି, ଏବିଇଓ କୋଦଣ୍ଡଧର ଭୋଇ, ହୀରା ସିଂ ମାଝୀ, ବିଜ୍ଞାନ କୋର୍ଡିନେଟର ଦିଗନ୍ତ ମେହେର, ଆବାହକ ତଥା ମୁରିବାହାଲ ହାଇସ୍କୁଲ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ୫ଟି ବିଭିନ୍ନ ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିଲା । ସେଗୁଡିକ ମଧ୍ୟରେ ସ୍ଵାସ୍ଥ୍ୟ ବିଷୟରେ ଓଏଭିର ସିପ୍ରାରାଣୀ ସାହୁ, କୃଷିରେ କର୍ଲା ହାଇସ୍କୁଲର ହେପି ତାଣ୍ଡି, ଜୀବନୀରେ କୁର୍ଲୁବାହାଲ ହାଇସ୍କୁଲର ଦେବରାଜ ଦୀପ, କମ୍ପ୍ୟୁଟର ବିଷୟରେ ମୁରିବାହାଲ ହାଇସ୍କୁଲର ହିମାଂଶୁ ବାଗ ଓ ଯୋଗଯୋଗ ପରିବହନରେ ତେନ୍ତୁଳଖୁଣ୍ଟି ହାଇସ୍କୁଲର ରୋହନ ବେହେରାଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକ ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲାସ୍ତରକୁ ମନୋନୀତ ହୋଇଥିଲା । ଶିକ୍ଷକ ପ୍ରକାଶ ରାଉତ ଓ କେଶବାନନ୍ଦ ମଲ୍ଲିକଙ୍କ ସଂଯୋଜନାରେ ଛାତ୍ରୀମାନେ ଆବାହନି ସଙ୍ଗିତ ପରିବେଷଣ କରିଥିଲେ । ପ୍ରଦର୍ଶନୀ ସମ୍ପାଦକ ତଥା ଓଡିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ପୀତାମ୍ୱର ବେଶ୍ରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ସିଆରସିସି, ପ୍ରଧାନଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ ଶିକ୍ଷକ ଶିବଶଙ୍କର ସେଠ ଧନ୍ୟବାଦ ଦେଇଥିଲେ । ଏହି ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଦେଖିବାକୁ ଓ ବିଜ୍ଞାନ ସମ୍ପର୍କରେ ଅଧିକ ଜାଣିବାକୁ ବ୍ଲକ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅହେତୁକ ଆଗ୍ରହ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.