ନିର୍ମାଣାଧୀନ ଝାରବନ୍ଧ ହସ୍ପିଟାଲ କୋଠା ପରିଦର୍ଶନ କଲେ ଜିଲ୍ଲାପାଳ

  • ନିର୍ମାଣରେ ନିମ୍ନମାନର କାମ ଅଭିଯୋଗ କଲେ ଝାରବନ୍ଧ ଗ୍ରାମ୍ୟ କମିଟି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡିଶାର ଶେଷସୀମା ହେଉଛି ବରଗଡ ଜିଲ୍ଲାର ଝାରବନ୍ଧ ବ୍ଲକ । ଦଳିତ ଆଦିବାସୀ ବହୁଳ ଲୋକ ଏଠାରେ ବସବାସ କରନ୍ତି । ବର୍ତ୍ତମାନ ଝାରବନ୍ଧ ବ୍ଲକର ଜନସଂଖ୍ୟା ୯୨୪୮୯ ଥିବା ବେଳେ ୪୬୪୫୮ ପୁରୁଷ, ୪୬୦୩୧ ମହିଳା ଅଟନ୍ତି । ସରକାର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଝାରବନ୍ଧ ଠାରେ ସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ନୂତନ କୋଠାର ନିର୍ମାଣ ପାଇଁ ଆଦେଶ କରିଛନ୍ତି । ନିର୍ମାଣ କାମ ନିମ୍ନମାନର ହେଉଥିବା ବିଷୟକୁ ନେଇ ଝାରବନ୍ଧ ଗ୍ରାମ୍ୟ କମିଟି ବରଗଡ ଜିଲ୍ଲପାଳ ମୋନିଷା ବାନାର୍ଜିଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ମୋନିଷା ବାନାର୍ଜୀ ନିର୍ମାଣାଧୀନ ସ୍ୱାସ୍ଥ୍ୟ ବିଭାଗ କୋଠାର ପରିଦର୍ଶନରେ ଆସିଥିଲେ । ରାସ୍ତାରୁ ଉଚ୍ଚ ନ କରି ନିର୍ମାଣ କରିବା, ନିମ୍ନ ମାନର ଛଡ, ବ୍ୟବହାର ଅନୁପଯୋଗୀ ସିମେଣ୍ଟ, ନିର୍ମାଣ କାମରେ ଉଚିତ ପାଣି ନ ଦେବା ଭଳି ବିଷୟରେ ଅଭିଯୋଗର ତଦନ୍ତ କରିଥିଲେ । ତଦନ୍ତ ସମୟରେ ଜିଲ୍ଲପାଳ ନିଜେ ସିମେଣ୍ଟକୁ ହାତରେ ଆଣି ଦେଖିଥିଲେ ସିମେଣ୍ଟ ବସ୍ତାରେ ପଥରର ଆକୃତି ନେଇଥିବା ସିମେଣ୍ଟ ପାଇଥିଲେ । ନିର୍ମାଣାଧୀନ କାମରେ ବ୍ୟବହାର ହେଉଥିବା ସାମଗ୍ରୀକୁ ଦେଖି ଜିଲ୍ଲାପାଳ ଏହାକୁ ଜବତ କରିବା ପାଇଁ ଝାରବନ୍ଧ ତହସିଲଦାର ସୁବାଦାର ପ୍ରଧାନ ଏବଂ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କୁ ଆଦେଶ ଦେଇଥିଲେ । ଉଚିତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସବୁ ଉପାଦାନର ମାନ ନିର୍ଧାରଣ ହେବ ଏବଂ ନିର୍ମାଣ କାମ ଆଗକୁ ଯିବ ତଦ ସହିତ ରାସ୍ତାରୁ ଉଚ୍ଚତର କରି ନିର୍ମାଣ ହେବ ମୁଁ ବିଭଗୀୟ ଅଧିକାରୀଙ୍କ ସହିତ କଥା ହୋଇଛି ବୋଲି ଜିଲ୍ଲାପାଳ ମୋନିଷା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ଗ୍ରାମ୍ୟ କମିଟିର ଜଗଦୀଶ ସାହୁ, ଜୟକୁମାର ନିଗମ, ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେରା, ସୁରେନ୍ଦ୍ର କୁମାର ସାହୁ, ପରମାନନ୍ଦ ବେହେରା, ଉଷତଲାଲ ବନଛୋର, ଉଦ୍ଧବ ପ୍ରଧାନ, ରୁଷଭ କର ପ୍ରମୁଖ ଉପସ୍ଥିତ ଥିଲେ । ସମାଜସେବୀ ଜୟ କୁମାର ନିଗମ ଝାରବନ୍ଧ ଡାକ୍ତରଖାନାର ଜମିକୁ ଜବର ଦଖଲ ଉଚ୍ଛେଦ କରିବା ସହିତ ନୂତନ କୋଠକୁ ସଠିକ ଭାବେ ନିର୍ମାଣ ପାଇଁ ଜିଲ୍ଲପାଳଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲପାଳଙ୍କ ଆଦେଶ କ୍ରମେ ଝାରବନ୍ଧ ତହସିଲଦାର ସୁବାଦାର ପ୍ରଧାନ, ଝାରବନ୍ଧ ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ଝାରବନ୍ଧ ପୋଲିସର ଉପସ୍ଥିତିରେ ୧୨୫ ବସ୍ତା ସିମେଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.