ପରକୀୟା ପ୍ରୀତି କାରଣରୁ ଯୁବକଙ୍କୁ ହତ୍ୟା : ସ୍ୱାମୀ, ସ୍ତ୍ରୀ ଗିରଫ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଜଗଦଳପୁର ସାମିଲ ମାଙ୍ଗୁପଡା ଗ୍ରାମରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ହୋଇଥିବା ନେଇ ଆଜି ଡେଲାଙ୍ଗ ପୁଲିସ ଏକ ସାମ୍ବାଦିକ ସମ୍ମିଳନୀ କରି ଖୁଲାସା କରିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀଙ୍କୁ ପୁଲିସ ଗିରଫ କରି ଜେଲ ପଠାଇଦେଇଛି । ସୂଚନା ଅନୁଯାଇ ଗତ ନଭେମ୍ବର ୧୨ ତାରିଖରେ ଜଗଦଳପୁର ସାମିଲ ମାଙ୍ଗୁପଡା ଗ୍ରାମର ଅଜୟ ଦାସ ଓରଫ ଚୁଇଁ ନିଖୋଜ ଥିବା ନେଇ ଚୁଇଁର ବାପା ସାଗର ଦାସ ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୋଗ ଆଧାରରେ ଥାନାରେ ଏକ ନିଖୋଜ ମାମଲା ରୁଜୁ ହୋଇଥିଲା । ତେବେ ନଭେମ୍ବର ୧୪ ତାରିଖ ଅପରାହ୍ନ ସମୟରେ ସେହି ଗ୍ରାମର ତ୍ରିନାଥ ଦାସ ମାଛ ଧରିବା ପାଇଁ କେନାଲକୁ ଯାଇଥିବା ବେଳେ ଘୋରଡ଼ିଆ-ବେନୁପଡ଼ା କେନାଲରେ ଉକ୍ତ ଅଜୟଙ୍କ ମୃତ ଶରୀର ପଡ଼ିଥିବା ଦେଖି ଗ୍ରାମରେ ଖବର ଦେଇଥିଲେ । ଖବର ପାଇ ଡେଲାଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ମାମଲା ରୁଜୁ କରିଥିଲା । ତେବେ ପୁଲିସ ମୃତ ଅଜୟଙ୍କ ମୋବାଇଲ କଲ୍ ହିଷ୍ଟ୍ରିକୁ ଆଧାର କରି ଅଭିଯୁକ୍ତ ନିକଟରେ ପହଂଚିବାରେ ସକ୍ଷମ ହୋଇଥିଲା । ମୋବାଇଲ ନମ୍ବର ଆଧାରରେ ସେହି ଗ୍ରାମର ଅକ୍ଷୟ ବେହେରାଙ୍କ ସ୍ତ୍ରୀ ଗୌରୀ ବେହେରାଙ୍କ ମୋବାଇଲ ନମ୍ବରରେ ଅଜୟ ଶେଷଥର କଥା ହୋଇଥିଲେ ଏହାକୁ ଆଧାର କରି ପୁଲିସ ଗୌରୀଙ୍କୁ ପଚରାଉଚରା କରିବା ପରେ ସବୁ ରହସ୍ୟର ପର୍ଦାଫାଶ ହୋଇଥିଲା । ଘଟଣା ଅନୁଯାଇ ପୁଲିସ ଜାଣିବାକୁ ପାଇଥିଲା ଯେ, ମୃତ ଅଜୟଙ୍କ ଗୌରୀ ସହିତ ଅନୈତିକ ସମ୍ପର୍କ ରହିଥିଲା । ଏହାକୁ ନେଇ ଗୌରୀ ଓ ତାଙ୍କ ସ୍ୱାମୀ ଅକ୍ଷୟଙ୍କ ମଧ୍ୟ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଅକ୍ଷୟ ମାନସିକ ଚାପରେ ରହିଥିବା ଅକ୍ଷୟ ପୁଲିସ ଆଗରେ ପ୍ରକାଶ କରିଥିଲା । ତେବେ ମୃତ ଅଜୟ ଗୌରୀ ସହିତ ପୂର୍ବର କିଛି ଆପତ୍ତିଜନକ ଫଟୋଚିତ୍ର ଦ୍ୱାରା ଗୌରୀକୁ ବ୍ଲାକମେଲ କରିବା ସହିତ ବାରମ୍ବାର ଅନୈତିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିବା ଗୌରୀ ପ୍ରକାଶ କରିଛି । ଏହାକୁ ନେଇ ଉଭୟ ଅକ୍ଷୟ ଓ ଗୌରୀ ମିଳିତ ଭାବେ ଅଜୟଙ୍କୁ ରାସ୍ତାରୁ ହଟାଇବାକୁ ମନସ୍ଥ କରିଥିଲେ । ଯୋଜନା ମୁତାବକ ଗୌରୀ ଅଜୟଙ୍କୁ ଘର ପାଖ ଜଙ୍ଗଲକୁ ଡାକିଥିବା ବେଳେ ପୂର୍ବରୁ ପ୍ରସ୍ତୁତ ରହିଥିବା ଅକ୍ଷୟ ଏକ ଲୁହାଛଡ଼ ସାହାଯ୍ୟରେ ଅଜୟଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲେ । ମୁଣ୍ଡକୁ ପ୍ରହାର ପରେ ଅଜୟ ତଳେ ପଡିଯିବାରୁ ଅକ୍ଷୟ ଏକ ବଡ଼ ମାଙ୍କଡା ପଥର ଆଣି ଅଜୟଙ୍କ ଛାତିରେ କଚାଡି ଦେବାରୁ ଘଟଣାସ୍ଥଳରେ ଅଜୟଙ୍କ ପ୍ରାଣବାୟୁ ଉଡିଯାଇଥିଲା । ହତ୍ୟାକାଣ୍ଡକୁ ଲୁଚାଇବାକୁ ଯାଇ ଉଭୟ ସ୍ୱାମୀ, ସ୍ତ୍ରୀ ଅଜୟଙ୍କ ମୃତ ଶରୀରକୁ ଘୋଷାଡି ନେଇ କେନାଲ ମଧ୍ୟରେ ପକାଇ ଦେଇ ଘୋଡାଇ ଦେଇଥିବା ଅଭିଯୁକ୍ତ ଅକ୍ଷୟ ଓ ତାଙ୍କ ସ୍ତ୍ରୀ ଗୌରୀ ପୁଲିସ ସମୁଖରେ ସତ ଉଗାଳିଥିଲେ । ଏହି ସୁପରିକଳ୍ପିତ ହତ୍ୟାକାଣ୍ଡ ଆଧାରରେ ଗତକାଲି ଅଭିଯୁକ୍ତ ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ଗୌରୀ ବେହେରାଙ୍କୁ ପୁଲିସ୍ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଲୁହାଛଡ଼, ମାଙ୍କଡ଼ାପଥର, ମୋବାଇଲ ଫୋନ ଆଦି ଜବତ କରିଛି । ଆଜି ଅଭିଯୁକ୍ତ ଦ୍ୱୟଙ୍କୁ ଡାକ୍ତରୀ ମାଇନା କରାଇ କୋର୍ଟ ଚାଲାଣ ହୋଇଥିବା ନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ପ୍ରସାଦ ପତି, ଡେଲାଙ୍ଗ ଥାନା ଆଇଆଇସି ଦେବାଶିଷ ମହାନ୍ତି, ଏସ୍‌ଆଇ କେଳୁଚରଣ ଜେନା ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରି ଜଣାଇଥିବା ବେଳେ ଆଗାମୀ ଦିନରେ ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପତି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.