ଛତ୍ରପୁରର ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ଦାସୁଡୁ : ସତ୍ୟମ ଗୋଷ୍ଠୀଙ୍କ ସୀମାଞ୍ଚଳ ପରିଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସେବା ସଂସ୍ଥାନ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତଗାଦି) ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସରେ ବ୍ରତପାଳନ ପୂର୍ବକ ଗତ ଶନିବାର ୯୯୯ ପାହାଚ ଚଢ଼ି ଶ୍ରୀସିଂହଗିରି ପାଦଦେଶରେ ପଦାର୍ପଣ କରି ସିମାଞ୍ଚଳ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଉକ୍ତ ସେବାଗୋଷ୍ଠୀ ପକ୍ଷରୁ ପ୍ରାୟତଃ ଦୁଇଶହରୁ ଅଧିକ ନୃସିଂହ ଦାସୁଡୁ ସେବାଦଳ ବାହାରି ନୃସିଂହ ଠାକୁରଙ୍କ ଦର୍ଶନ କରିଥିଲେ । ଶନିବାର ପ୍ରାତଃରେ ଆଡ଼ିୱାରମ୍ ପୁଷ୍କରିଣୀରେ ସ୍ନାନ ସାରି ପ୍ରଥମେ ଭୈରବୀ ସ୍ୱାମୀଙ୍କ ଦର୍ଶନ ଓ ପଞ୍ଚାମୃତ କଳସ, ଧୂପ, ଦୀପ ଲାଗି ପୂଜାର୍ଚ୍ଚନା କରିଥିଲେ । ଏହି ପବିତ୍ର ପୋଖରୀରେ କୋହଲା ବେତ ପୂଜାକରି କୋହଲା ମଶାଲ ଜାଳି ଗିନି, ଝାଞ୍ଜ, ମର୍ଦଳ ବଜାଇ ତଥା ହରିନାମ ସଂକୀର୍ତ୍ତନ ଗାଇବା ସାଂଗକୁ ସେବାଦଳ ନୃତ୍ୟ କରି ଶ୍ରୀଶ୍ରୀ ନୃସିଂହ ଠାକୁରଙ୍କ ଦର୍ଶନ କରିଛନ୍ତି । ରବିବାର ଉକ୍ତ ଭକ୍ତ ଗୋଷ୍ଠୀ ଛତ୍ରପୁର ପହଞ୍ଚିଛନ୍ତି । ନୃସିଂହ ଠାକୁରଙ୍କ ତୀର୍ଥ ସାରି ଫେରିବା ପରେ ତାଙ୍କୁ ବନ୍ଦାପନ୍ନା କରି ଛତ୍ରପୁର ରେଳଷ୍ଟେସନ ଠାରେ ସ୍ୱାଗତ କରିଥିଲେ । ଉକ୍ତ ଭକ୍ତ ଗୋଷ୍ଠୀ ଜନ ସମାଜର କଲ୍ୟାଣର୍ଥେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଠାକୁରଙ୍କ ପୂଜା, ଆରାଧନା କରିଥାନ୍ତି । ପୂଜା ସମ୍ଭାରର ଆୟୋଜନ କରି ସଂକୀର୍ତ୍ତନର ଶୋଭାଯାତ୍ରା ମାଧ୍ୟମରେ ସମାଜରେ ଭକ୍ତି-ଭାବାପନ୍ନତା ସୃଷ୍ଟି କରିଆସିଥାନ୍ତି ।

Leave A Reply

Your email address will not be published.