ଗଞ୍ଜାମ ଜିଲ୍ଲାସ୍ତରୀୟ ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଜଉଗଡ ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳିତ ହୋଇଯାଇଛି । ମଙ୍ଗଳବାର ଦିନ ଅନୁଷ୍ଠିତ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ସ୍ୱଳ୍ପ ସଞ୍ଚୟ ପକ୍ଷ ପାଳନ ଅବସରରେ ଆର୍ଥିକ ସ୍ୱାକ୍ଷରତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଯୋଗଦାନ କରି ଆମ ସଂସ୍କୃତି ସହିତ ସ୍ୱଳ୍ପ ସଞ୍ଚୟ ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିବା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପୂର୍ବେ ପ୍ରତି ଘରେ ଘରେ ମାଟିରେ ପ୍ରସ୍ତୁତ କୁମ୍ପି ବା ସରାଗାତରେ ଖୁଚୁରା ପଇସା ସଞ୍ଚୟ କରିବାର ପ୍ରଥା ପ୍ରଚଳିତ ଥିଲା । ପିଲାମାନଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ୱଳ୍ପ ସ୍ୱଳ୍ପ ପଇସା ସଞ୍ଚୟ କରି ରଖୁଥିଲେ, ଆବଶ୍ୟକ ହେଲେ ସେହି ସଞ୍ଚିତ ସରାଗାତରେ ଜମା ଅର୍ଥ ଅନେକ କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ବ୍ୟବହୃତ ହେଉଥିଲା । ଅର୍ଥାତ୍ ପ୍ରତ୍ୟେକ ମଣିଷଙ୍କ ଧମନୀରେ ସଞ୍ଚୟରକ୍ତ ପ୍ରବାହିତ, ଏହାକୁ ଜାଗ୍ରତ କରି ସ୍ବଳ୍ପ ସଞ୍ଚୟ କରି ରଖିବା ତେବେ ତାହା ଅପରପକ୍ଷେ ଦେଶର ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିପାରିବ । ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ପାଳିତ ଏହି କାର୍ଯ୍ୟକ୍ରମରେ ସ୍ୱଳ୍ପ ସଞ୍ଚୟ ବିଭାଗୀୟ ସହକାରୀ ନିର୍ଦ୍ଦେଶକ ଧୃବ କୁମାର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ସେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସଭାପତିତ୍ୱ କରିବା ସାଂଗକୁ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ୟୁନି୍ନ୍ ବ୍ୟାଙ୍କ ଶାଖା ତଥା ଏଲ୍.ଡି.ଏମ୍. କିଶୋର ଚନ୍ଦ୍ର ନାୟକ ଏବଂ ପୋଷ୍ଟାଲ ବିଭାଗୀୟ ସହକାରୀ ସୁପରିଟେଣ୍ଡେଣ୍ଟ ଏସ୍. ସଞ୍ଜୟ ଦୋରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ସ୍ବଳ୍ପ ସଞ୍ଚୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ନିଜର କଷ୍ଟାର୍ଜିତ ଅର୍ଥକୁ ବିଭିନ୍ନ ଠକ ସଂସ୍ଥା ଠାରୁ ଦୂରରେ ରହି ନିର୍ଭରଯୋଗ୍ୟ ସରକାରୀ ସଂସ୍ଥାରେ ଜମା କରି ଲାଭବାନ୍ ହେବା ସହିତ ଅର୍ଥ ସଞ୍ଚୟ କରି ନିଶ୍ଚିନ୍ତ ରହିବାକୁ ପ୍ରବର୍ତ୍ତାଇଥିଲେ । ନିର୍ଭରଯୋଗ୍ୟ ସଂସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ପୁଙ୍ଖାନୁପୁଙ୍ଖ ଅବଗତ ହୋଇ ଅର୍ଥ ବିନିଯୋଗ କରିବା ନେଇ ବକ୍ତାଗଣ ଜଣାଇବା ସହିତ ସରକାରୀ ସ୍ତରରେ ସଂପ୍ରତି ଚାଲୁ ରହିଥିବା ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଅବଗତ କରାଇଥିଲେ । ବର୍ତ୍ତମାନ ଯୁବପିଢୀଙ୍କୁ ସଞ୍ଚୟ ସ୍ୱାକ୍ଷରତା କରାଗଲେ ସେମାନେ ସଞ୍ଚୟ କ୍ଷେତ୍ରରେ ସ୍ୱାବଲମ୍ବୀ ହୋଇପାରିବେ । ସଞ୍ଚୟ ସୃଷ୍ଟି କରିବା ଦିଗରେ ପଦ ମାର୍ଗଦର୍ଶକ ସାଜିବେ ତେବେ ଦେଶ ସ୍ବଳ୍ପସଞ୍ଚୟ କ୍ଷେତ୍ରରେ ସ୍ବାବଲମ୍ବୀ ହୋଇପାରିବ ଓ ରାଷ୍ଟ୍ରର ଅର୍ଥନୈତିକ ବିକାଶଧାରା ଜାରୀ ରହିବ ବୋଲି ମତ ପ୍ରକାଶ ପାଇଛି । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.