ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ହେଉ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାର ଠାରେ ଅଭିଭାବକ ମଂଚ ବଲାଙ୍ଗିରର ଏକ ଜରୁରୀ ବୈଠକ ସଭାପତି ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂପାଦକ ଗୋବିନ୍ଦ ମିଶ୍ର ଗତ ବୈଠକର ବିବରଣୀ ପାଠ କରିଥିଲେ । ଆଲୋଚନା ଆରମ୍ଭ କରି ଉପ-ସଭାପତି ପ୍ରଶନ୍ନ ମିଶ୍ର, ରାଜ୍ୟ ଗଣଶିକ୍ଷା ବିଭାଗ କମ୍‌ ଛାତ୍ର ଥିବା ଦର୍ଶାଇ ଅନେକ ବିଦ୍ୟାଳୟକୁ ବନ୍ଦ କରି ଦେଇଥିବା ନିଷ୍ପତ୍ତିକୁ ଦୁର୍ଭାଗ୍ୟପୂର୍ଣ୍ଣ ଦର୍ଶାଇ ତୁରନ୍ତ ଏହାର ପ୍ରତ୍ୟାହାର ଦାବୀ କରିଥିଲେ । ବନ୍ଦ ହେଉଥିବା ସ୍କୁଲ ଗୁଡିକ ମଧ୍ୟରେ ଗୁଡଭେଲା ବ୍ଲକର ୨୪ଟି ପ୍ରାଥମିକ ବିଦ୍ୟାଳୟ ସମେତ ଜିଲ୍ଲାର ଅନେକ ବିଦ୍ୟାଳୟ ରହିଛି । ଦଳିତ, ଆଦିବାସୀ ଅଧ୍ୟୁଷିତ କେବିକେ ଜିଲ୍ଲା ବଲାଙ୍ଗିରର ଗରିବ ଛାତ୍ରଛାତ୍ରୀ ଏହା ଫଳରେ ପାଠ ପଢିବାରୁ ବଂଚିତ ହେବେ । କାର୍ୟ୍ୟକାରୀ କମିଟି ସଭ୍ୟ ଦିବାକର ହୋତା ଏବଂ ଛବିଲାଲ ବେହେରା ରାଜେନ୍ଦ୍ର କଲେଜକୁ ପୂର୍ଣ୍ଣ କାର୍ୟ୍ୟକ୍ଷମ କରିବା ପାଇଁ ସ୍ଥାୟୀ କୂଳପତି ନିଯୁକ୍ତି କରିବା ସହ ମଞ୍ଜୁରିପ୍ରାପ୍ତ ଅଧ୍ୟାପକ ପଦ ଗୁଡିକ ପୁରଣ କରିବା ପାଇଁ ଦାବି ଉପସ୍ଥାପନ କରିଥିଲେ । ବୈଠକରେ ପୃଥ୍ୱୀରାଜ ହାଇସ୍କୁଲ, ରମାଇ ହାଇସ୍କୁଲ ତଥା ଟିଟିଲାଗଡ ବାଳକ ହାଇସ୍କୁଲରେ ଚଳିତ ବର୍ଷ ଯୁକ୍ତ ୨ ଶ୍ରେଣୀ ଖେଳିବା ପାଇଁ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ ପାଇଁ ମତ ପ୍ରକାଶ ପାଇଥିଲା । ଆଲୋଚିତ ସମସ୍ତ ବିଷୟ ସର୍ବ ସମ୍ମତି କ୍ରମେ ଗୃହୀତ ହୋଇଥିଲା । ଶେଷରେ ହରେକୃଷ୍ଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.