jayashree

ଚିକିଟି ଓ ପାତ୍ରପୁର ବ୍ଲକ୍‌ ଅଞ୍ଚଳକୁ ମରୁଡ଼ି ଘୋଷଣା ଦାବୀରେ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିକିଟି ଓ ପାତ୍ରପୁର ବ୍ଲକରେ ଆଂଶିକ ବର୍ଷା ଘେନି ଚଳିତ ବର୍ଷ ମରୁଡ଼ି ରୂପ ଧାରଣ କରିଛି । ରାଜ୍ୟ ସରକାର ତୁରନ୍ତ ଏହି ଅଞ୍ଚଳକୁ ମରୁଡ଼ି ଘୋଷଣା କରି କୃଷି ସହାୟତା ଓ ହଜାର ହଜାର ହେକ୍ଟର କୃଷି କ୍ଷେତରେ ଧାନଫସଲ ଉଜୁଡ଼ିଯାଇଥିବା ହେତୁ ଚାଷୀକୁଳଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ମହିଳା ମୋର୍ଚ୍ଚା ସଭାନେତ୍ରୀ ମୀନା ଦ୍ୟାନସାମନ୍ତରାୟ, ହରିଜନ ମୋର୍ଚ୍ଚା ସେଲ୍ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା କୃଷ୍ଣଚନ୍ଦ୍ର ନାୟକ, ସଞ୍ଜିତ କୁମାର ରାଉଳ, ଆଇନଜ୍ଞ ପ୍ରଦୀପ କୁମାର ପାଢୀ ପ୍ରମୁଖ ବହୁ ନେତ୍ତୃବର୍ଗ ସ୍ୱର ଉଠାଇଥିଲେ । ଏକ ହଜାର ଚାଷୀକୁଳ ଓ କୃଷକ-ନେତାଗଣ ଦୃଢ଼ତାର ସହ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ସ୍ୱର ଉଠାଇଛନ୍ତି । ଚିକିଟି ନିର୍ବାଚନ ମଣ୍ଡଳୀକୁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମରୁଡ଼ି ପ୍ରପୀଡ଼ିତ ଅଞ୍ଚଳ ଭାବେ ଘୋଷଣା କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଧାନ ଫସଲ ନଷ୍ଟ ହୋଇଯାଇଥିବା ସାଂଗକୁ ଏଠାରେ ଜଳସେଚନ ବ୍ୟବସ୍ଥା ସ୍ଥାୟୀ ପଦକ୍ଷେପ ଭଳି କାର୍ଯ୍ୟକାରୀ କରାଯାଇନାହିଁ । ନଦୀବନ୍ଧ ଯୋଜନା, ଜଳ ସେଚନର ସୁବିଧା ଓ ବନ୍ଦୋବସ୍ତ କରିବା ନିମନ୍ତେ ସରକାର ଆଦୌ ଧ୍ୟାନ ଦେଇନଥିବା ବିଜେପି ଅଭିଯୋଗ କରିଛି । ସେଭଳି କୌଣସି ସ୍ଥାୟୀ ପ୍ରତିକାର ଭଳି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ବାହୁଦା ନଦୀର ଆନିକଟ ନିର୍ମାଣ ଓ ଜଳସେଚନର ସୁବିଧା ସଂପ୍ରସାରାଣ କରିବା ଦାବୀ କରିଛନ୍ତି । ତେଣୁ ରବି ଫସଲ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ରହିଥିବା କୁହାଯାଇଛି । ଏନେଇ ଚାଷୀକୁଳ ହତାଶ ହୋଇପଡିଛନ୍ତି । ରବି ଫସଲ ଯଥା – ଡାଲି ଜାତୀୟ, ତୈଳବିଜ ଜାତୀୟ ଚାଷ ନିମନ୍ତେ ବିହନ ଓ ସାର ପର୍ଯ୍ୟାପ୍ତ ପରିମାଣରେ ମାଗଣାରେ ଯୋଗାଇଦେବାକୁ ଦାବୀ ହୋଇଛି । ସରକାର ଏ ଦିଗରେ ତୁରନ୍ତ ସମାଧାନର ରାସ୍ତା ବାହାର କରନ୍ତୁ ବୋଲି ସମବେତ ଏକ ହଜାର ଚାଷୀକୁଳ ଓ କୃଷକ-ନେତାଗଣ ଦୃଢ଼ତାର ସହ ସ୍ୱର ଉଠାଇଛନ୍ତି । ଚାଷୀକୁଳଙ୍କ ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଓ ଆଇନ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.