csstore

ବନ୍ଦ ପଡ଼ିଥିବା ଚିନିକଳ ଆରମ୍ଭ ନହେଲେ, ଆଗାମୀ ଡିସେମ୍ବର ୧୫ ତାରିଖରେ ବଲାଙ୍ଗିର ବନ୍ଦ ଡାକରା ଦିଆଯିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ୍ଦ ପଡ଼ିଥିବା ବଲାଙ୍ଗିର ଜିଲ୍ଲାର ଚିନିକଳ ଯଦି ତୁରନ୍ତ ଆରମ୍ଭ ନହୁଏ, ତେବେ ଆଗାମୀ ଡିସେମ୍ବର ୧୫ ତାରିଖରେ ବଲାଙ୍ଗିର ବନ୍ଦ ଡାକରା ଦିଆଯିବ । ଏଭଳି ମତ ପ୍ରକାଶ ପାଇଛି ‘ବଲାଙ୍ଗିର ବିକାଶରେ ଅବହେଳା ପାଇଁ ଦାୟୀ କିଏ’ ଶୀର୍ଷକ ନେଇ ବଲାଙ୍ଗିର ସାମ୍ବାଦିକ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ । ପଶ୍ଚିମ ଓଡ଼ିଶା ସେବା ସଂଘ, ଭିଲେଜର୍ସ ଇଣ୍ଡିଆ ପାର୍ଟି, ଆଦିବାସୀ ଅଧିକାର ମହାସଂଘ, ଏସ୍‌ସି ଏସ୍‌ଟି ଓବିସି ମାଇନୋରିଟି ସଂଘ ଓ ଭୂମିହୀନ ସଂଘର ମିଳିତ ଆହ୍ୱାନ କ୍ରମେ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରାଯାଇଥିଲା । ବଲାଙ୍ଗିର ବିକାଶ ଦିଗରେ ଅବହେଳିତ କେଉଁ କେଉଁ କାରଣରୁ, ସେହି ବିଷୟକୁ ନେଇ ଏହି ସମ୍ମିଳନୀରେ ଆଲୋଚନା କରାଯାଇଛି । ବଲାଙ୍ଗିର ଜିଲ୍ଲାର ଚିନିକଳର ପୁନଃଉଦ୍ଧାର ପାଇଁ ଦୀର୍ଘ ୨ ବର୍ଷ ୩ ମାସ ହେଲା ଆନ୍ଦୋଳନ ଜାରି ରହିଥିଲେ ସୁଦ୍ଧା ସରକାର ଶୁଣୁ ନଥିବା ବେଳେ ଲୋକେ କାମ ନପାଇ ବାହାର ରାଜ୍ୟକୁ ବାଧ୍ୟ ହୋଇ ଦାଦନ ଶ୍ରମିକ ଭାବେ ପେଟ ପୋଷିବା ପାଇଁ ଯାଉଥିବା ଏହି ସମ୍ମିଳନୀରେ ଉଲ୍ଲେଖ କରାଯାଇଛି । ବଲାଙ୍ଗିର ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିମାନେ ସରକାରଙ୍କ ଠାରେ ଏହି ଅଂଚଳର ଉଚିତ ଦାବୀ ରଖୁନଥିବା ବି ଏଠାରେ ଆରୋପ କରାଯାଇଛି । ଓଡ଼ିଶାକୁ ଭାଗ କରାଯାଇ ଛୋଟ ରାଜ୍ୟ ଗଠନ କରାଗଲେ ବିକାଶ ତ୍ୱରାନ୍ୱିତ ହୋଇ ପାରିବ ବୋଲି ଏଠାରେ ମତ ପ୍ରକାଶ ପାଇଥିବା ବେଳେ ବନ୍ଦ ପଡ଼ିଥିବା ବଲାଙ୍ଗିର ଜିଲ୍ଲାର ଚିନିକଳ ଯଦି ତୁରନ୍ତ ଆରମ୍ଭ ନହୁଏ, ତେବେ ଡିସେମ୍ବର ୧୫ରେ ବନ୍ଦ ଡାକରା ଦିଆଯିବ ବୋଲି ପଶ୍ଚିମ ଓଡ଼ିଶା ସେବା ସଂଘ ସଭାପତି ରାଜେଶ ବଗର୍ତ୍ତି କହିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସଂଘ ପକ୍ଷରୁ ଶ୍ରୀ ବଗର୍ତ୍ତିଙ୍କ ସହ ଡଃ. ବିପିନ କୁଶଲିଆ, ପୂର୍ଣ୍ଣ ବିଶ୍ୱାଳ, ଦ୍ୱିଜ ଦଳପତି, ହରି ନନ୍ଦ ପ୍ରମୁଖ ମଂଚାସୀନ ଥିଲେ ।

jayashree
Leave A Reply

Your email address will not be published.