jayashree

ହୋଇପାରୁନି ବିଦ୍ୟୁତ୍ ବିଲ୍ ପୈଠ, ପାନୀୟ ଜଳଯୋଗାଣ ବନ୍ଦ ହେବାରୁ ଗ୍ରାମବାସୀ ହନ୍ତସନ୍ତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବିଦ୍ୟୁତ୍ ବିଲ୍ ପୈଠ ନକରିବାରୁ ଖପ୍ରାଖୋଲ ବ୍ଲକ୍ ଅନ୍ତର୍ଗତ ସଦର ଖପ୍ରାଖୋଲ ଆରଡବ୍ଲୁଏସ୍‌ଏସ୍‌ ପରିସରରେ ଥିବା ପାଣିଟାଙ୍କିକୁ ବିଦ୍ୟୁତ ସରବରାହ ବନ୍ଦ କରି ଦିଆଯାଇଛି । ଗ୍ରାମରେ ପାନୀୟ ଜଳଯୋଗାଣ ୩ ଦିନ ହେଲା ବନ୍ଦ ହୋଇ ଥିବାରୁ ଖପ୍ରାଖୋଲ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି । ମିଟର ରିଡିଂ ଅନୁସାରେ ବିଦ୍ୟୁତ୍ ଦେୟ ଜମା କରିବା ନିୟମ ରହିଛି । ବିଦ୍ୟୁତ୍ ବିଲ୍ ପୈଠ ଓ ରକ୍ଷଣାବେକ୍ଷଣ ପଞ୍ଚାୟତ କରୁଛି । କିନ୍ତୁ ବର୍ଷ ବର୍ଷ ଧରି ଦେୟ ଜମା ନହେବାରୁ ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସରବରାହ ବିଚ୍ଛିନ୍ନ କରିଥିବା ଜଣାପଡ଼ିଛି । ଖପ୍ରାଖୋଲ ବିଦ୍ୟୁତ୍ ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ସମ୍ବିତ କୁମାର ପରିଡା କହିଛନ୍ତି ଯେ ପାଣି ଟାଙ୍କିରେ ସ୍ମାର୍ଟ ମିଟର ଲଗାଯାଇଛି । ମିଟର ବାବଦ ଲକ୍ଷାଧିକ ଟଙ୍କା ବହୁ ବର୍ଷ ପୂର୍ବରୁ ବକେୟା ରହିଛି । ବାରମ୍ବାର ପଞ୍ଚାୟତକୁ ବିଲ୍ ଦେବା ସତ୍ତ୍ବେ ପୈଠ କରୁନାହାନ୍ତି । ତେଣୁ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଛି । ଏସମ୍ପର୍କରେ ଖପ୍ରାଖୋଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ କୁମାର ସାହୁ କହିଲେ ଯେ ବିଦ୍ୟୁତ୍ ଦେୟ ପୈଠ ପାଇଁ ସରକାରୀ ପାଣ୍ଠି ମିଳୁ ନାହିଁ । ତଥାପି ସରପଞ୍ଚଙ୍କ ଅନୁମୋଦନ କ୍ରମେ ୧ ଲକ୍ଷ୍ୟ ୭ ହଜାର ଟଙ୍କା ବକେୟା ଜମା କରାଯାଇଛି ଏବଂ ଆଜିକାଲି ଭିତରେ ଆହୁରି ୫୦ ହଜାର ବକେୟା ଜମା କରାଯିବ । ଏସମ୍ପର୍କରେ ଗାଁର ମହିଳାମାନେ ଖପ୍ରାଖୋଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆକାଶ ରଞ୍ଜନ ସାହୁଙ୍କୁ ଅନୁରୋଧ କରିଛନ୍ତି ଯଥାଶୀଘ୍ର ପାଣିର ସମସ୍ୟାକୁ ସମାଧାନ କରାଯାଉ ନହେଲେ ଗ୍ରାମବାସୀ ରାଜରାସ୍ତକୁ ଉହ୍ଲାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.