ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂଗଠନ ନେତାଜୀ ସଂଗ୍ରାମ ପରିଷଦର ତ୍ରୟମାସିକ ମୁଖପତ୍ର ସୁଭାଷ ଚିନ୍ତନର ଷଷ୍ଠ ସଂଖ୍ୟା ଶୁକ୍ରବାର ସଂଧ୍ୟାରେ ଉନ୍ମୋଚିତ ହୋଇଯାଇଛି । ସ୍ଥାନୀୟ ଦୈନିକ ବଜାର ରାମ ମନ୍ଦିରରେ ପତ୍ରିକାର ସଂପାଦକ ତଥା ସଂଗ୍ରାମ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବହୁ ବିଶିଷ୍ଟ ବ୍ୟକ୍ତି ଓ ସାହିତ୍ୟିକ ଯୋଗ ଦେଇଥିଲେ । ଏହି ପତ୍ରିକା ଉନ୍ମୋଚନ କାର୍ଯ୍ୟକ୍ରମରେ ବଲାଙ୍ଗିର ସହରର ବିଶିଷ୍ଟ ବ୍ୟକ୍ତି ରାଜୁ ଶର୍ମା, ଉଦିତ ପଣ୍ଡା, କୁନୁ ପଣ୍ଡା, ଦତ୍ତାନନ୍ଦ ପଣ୍ଡା, ମୋହନ ଗୋପାଳ ପଣ୍ଡା, ମୋହନରଂଜନ ପାଣ୍ଡିଆ, ବରିଷ୍ଠ ଆଇନଜୀବୀ ରତନ ମହାରଣା, ବ୍ରଜବନ୍ଧୁ ସାଏ, ପ୍ରଦୀପ ସାଏ, ଅଶ୍ୱିିନୀ ପଟେଲ, ଡ.ଲକ୍ଷ୍ମଣକୁମାର ମେହେର, ଜଗନ୍ନାଥ ମାହାଣା, ପଦ୍ମଚରଣ ଆଚାର୍ଯ୍ୟ, ରଜନୀକାନ୍ତ ସେଠ, କୃପାସିନ୍ଧୁ ମିଶ୍ର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ବୀରେନ୍ଦ୍ର ବନଛୋର, ଅଫତାଫ ହୁସେନ, ସନ୍ତୋଷ ମୋଦୀ, ଗୋବିନ୍ଦ ସାହୁ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରଥମେ ପତ୍ରିକାକୁ ପ୍ରଭୁ ଶ୍ରୀରାମଙ୍କ ପାଦପଦ୍ମରେ ସମର୍ପଣ କରି ପୂଜାର୍ଚ୍ଚନା ପରେ ପତ୍ରିକା ବିଷୟରେ ଆଲୋଚନା ହୋଇଥିଲା । ସଂଗ୍ରାମ ପରିଷଦ ପକ୍ଷରୁ ବିଭିନ୍ନ ସମୟରେ କରାଯାଉଥିବା କାର୍ଯ୍ୟକ୍ରମ ଉପରେ ପରିଷଦର ସଂପାଦକ ବୀରେନ୍ଦ୍ର ବନଛୋର ସୂଚନା ଦେଇଥିଲେ । ଶେଷରେ ଜଗନ୍ନାଥ ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ୍ୟ ଯେ, ନେତାଜୀ ସଂଗ୍ରାମ ପରିଷଦ ନେତାଜୀ ସୁଭାଷ ବୋଷଙ୍କ ଆଦର୍ଶକୁ ପାଥେୟ କରି ଦୀର୍ଘ ୨୮ବର୍ଷ ହେଲା ବଲାଙ୍ଗିର ଜିଲ୍ଲାର ସମସ୍ୟାକୁ ନେଇ ଆନ୍ଦୋଳନ ସହିତ କାର୍ଯ୍ୟକ୍ରମ କରିଆସୁଛି । ସାହିତ୍ୟ, ସଂସ୍କୃତି ଓ ସମସ୍ୟାକୁ ନେଇ ଲୋକଙ୍କ ମତକୁ ପ୍ରଧାନ୍ୟ ଦେଇ ସରକାରଙ୍କ ପାଖରେ ଦାବୀ ଉପସ୍ଥାପନ କରିଆସୁଛି । ମୁଖପତ୍ର ସୁଭାଷଚିନ୍ତନରେ ଏହି ଅଞ୍ଚଳର ଜନଜୀବନର ସମସ୍ୟା ତଥା ବିଶିଷ୍ଟ ବ୍ୟକ୍ତି, ପର୍ଯ୍ୟଟନସ୍ଥଳିଗୁଡିକର ଉପାଦେୟ ଲେଖାଗୁଡିକୁ ସ୍ଥାନୀତ କରିଆସୁଛି ।