ମୁରିବାହାଲ ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ ‘ଫାଇଭ୍‌-ଟି’ କାମ ଅତି ନିମ୍ନମାନର ଅଭିଯୋଗ : ଛାତ୍ରଛାତ୍ରୀ ଏବଂ ଅଧ୍ୟାପକଙ୍କ ତୀବ୍ର ପ୍ରତିବାଦ

  • ଉଭୟ ଅଧ୍ୟକ୍ଷଙ୍କ ଖଣ୍ଡନ ପେଟି ଠିକାଦାର କାମ କରୁଥିବା ଅଭିଯୋଗ, ବିଡ଼ିଓଙ୍କ କାର୍ଯ୍ୟ ତଦାରଖ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକରେ ଉଚ୍ଚଶିକ୍ଷାର ଆଲୋକବର୍ତିକା ସାଜିଥିବା ଏକମାତ୍ର ଡିଗ୍ରୀ କଲେଜ ଓ ବ୍ଲକର ପ୍ରଥମ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଚାଲିଥିବା ୧.୫କୋଟି ଟଙ୍କାର ୫-ଟି ରୁପାନ୍ତରିକରଣ କାର୍ଯ୍ୟ ଅତି ନିମ୍ନମାନର କରାଯାଉଥିବା କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅଭିଯୋଗ କରି ଦୃଢ଼ ପ୍ରତିବାଦ କରିଛନ୍ତି । ଅଭିଯୋଗ ପାଇ ମୁରିବାହାଲ ବିଡ଼ିଓ ପୂର୍ଣ୍ଣାନନ୍ଦ ପଟେଲ କଲେଜକୁ ପହଞ୍ଚି ୫-ଟି କାର୍ଯ୍ୟ ତଦାରଖ କରିବା ସହ ଏବେ କାମ ଆରମ୍ଭ ହୋଇଥିବାରୁ ଉପଯୁକ୍ତ ଏଷ୍ଟିମେଟ ଓ ଗାଇଡ ଲାଇନ ମୁତାବକ ଠିକ ଭାବେ କାର୍ଯ୍ୟ କରିବା ପାଇଁ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ମୁରିବାହାଲ ଡିଗ୍ରୀ କଲେଜ ପାଇଁ ଆସିଥିବା ୧କୋଟି ଟଙ୍କାର ୫-ଟି କାର୍ଯ୍ୟ ଅନୁଦାନକୁ କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ପକ୍ଷରୁ ଓ ଯୁକ୍ତ ଦୁଇ କଲେଜ ପାଇଁ ଆସିଥିବା ୫୦ଲକ୍ଷ ଟଙ୍କାକୁ ବ୍ଲକ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଛି । ଉଭୟ କାର୍ଯ୍ୟକୁ ଦାୟିତ୍ଵ ନେଇଥିବା ପ୍ରକୃତ ଠିକାଦାର ମାନେ ନ କରି ସେମାନଙ୍କ ଦ୍ୱାରା ନିଯୁକ୍ତ ପେଟି ଠିକାଦାର ମାନେ କାମ କରୁଥିବା ଅଭିଯୋଗ ହୋଇଛି । ଡିଗ୍ରୀ କଲେଜ ୫-ଟି କାମ କରୁଥିବା ପେଟି ଠିକାଦାର ପୁରୁଣା କୋଠାରେ ଅତି ନିମ୍ନମାନର ବାଲି, ସିମେଣ୍ଟ, ରଙ୍ଗ ଓ ଟାଇଲସ୍ ଆଦି ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରି ଯେମିତି ହେଉ କାମ ସାରି ଦେଉଥିବା ତଥା ଦୁଇଟି ଅତି ନିମ୍ନମାନର ନୂତନ ଶୌଚାଳୟ ନିର୍ମାଣ କରୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ଅଭିଯୋଗ କରି ଦୃଢ଼ ପ୍ରତିବାଦ କରିଛନ୍ତି । ଏଥିରେ ମୁରିବାହାଲ ୫-ଟି କାମ ସମ୍ପର୍କରେ ଛାତ୍ରଛାତ୍ରୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ କର୍ଣ୍ଣପାତ କରିନଥିବାରୁ ବାଧ୍ୟ ହୋଇ କାମ ବନ୍ଦ କରିବା ପାଇଁ ଧମକ ଦେଇଛନ୍ତି । ଦାୟିତ୍ୱରେ ଥିବା ପିଡବ୍ଲୁଡ଼ି କନିଷ୍ଠ ଯନ୍ତ୍ରୀ ବେଦବ୍ୟାସ ଭୋଇଙ୍କୁ ପଚାରିବାରୁ ଏବେ କିଛି ଦିନ ହେବ କାମ ଆରମ୍ଭ ହୋଇଛି । ଏଷ୍ଟିମେଟ ମୁତାବକ ସମ୍ପୂର୍ଣ୍ଣ କାମ କରାଯିବ ବୋଲି ପ୍ରକାଶ କରିଛନ୍ତି । ଡିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କୁ ପଚାରିବାରୁ ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ ନିମ୍ନମାନର କାମ ନୁହେଁ ଠିକ୍ ଭାବରେ ସମ୍ପାଦନ କରାଯାଉନ ଥିଲା । ବିଡ଼ିଓ, ଯନ୍ତ୍ରୀ ଓ ଠିକାଦାରଙ୍କ ଉପସ୍ଥିତିରେ କାମ ଠିକ୍ ରୂପେ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଆଗକୁ କାମ ଠିକ୍ ରୂପେ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ସେହିପରି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦ ଯୁକ୍ତ ଦୁଇରେ ଚାଲିଥିବା ୫-ଟି କାମ ଠିକ୍ ରୂପେ ଚାଲିଛି । ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରତିଦିନ କାମ ତଦାରଖ କରୁଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ଓ ଟିଟିଲାଗଡ ଉପ-ଜିଲ୍ଲାପାଳ ଉଭୟ କଲେଜରେ ଚାଲିଥିବା ଅତି ନିମ୍ନମାନର ୫-ଟି କାମକୁ ସ୍ଵତନ୍ତ୍ର ରୂପେ ତଦାରଖ କରିବା ପାଇଁ ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବିମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.