jayashree

ସୁବର୍ଣ୍ଣପୁରଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ

  • ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ : ଜିଲ୍ଲାପାଳ
  • ସରକାରୀ ଯୋଜନାର ସୁଫଳ ସମ୍ପର୍କରେ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବା ଆବଶ୍ୟକ : ଅତିରିକ୍ତ ଜିଲ୍ଲାପାଳ

ଭୁବନେଶ୍ୱର/ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ଡିଆରଡିଏ ସମ୍ମିଳନୀ କକ୍ଷରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଞ୍ଚଳିକ ସାମ୍ବାଦିକମାନଙ୍କ ସହ ଆଲୋଚନା କରିବା ତଥା ଜନ ସଚେତନତା ସୃଷ୍ଟି କରିବାରେ ସାମ୍ବାଦିକଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ବାର୍ତ୍ତାଳାପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ।
ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗଦେଇ କହିଥିଲେ, ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି । ସେ ଆହୁରି କହିଥିଲେ, ପ୍ରଶାସନ ପାଇଁ ଗଣମାଧ୍ୟମ ପଥପ୍ରଦର୍ଶକ ଭୂମିକା ନିର୍ବାହ କରିଥାଏ । ଗଠନମୂଳକ ସମାଲୋଚନା ଏବଂ ତୃଣମୂଳ ସ୍ତରରେ ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସହ ଜଡ଼ିତ ପ୍ରସଙ୍ଗରେ ଖବର ପ୍ରସାରଣ ଜରିଆରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଆଜିର ଯୁଗରେ ଡିଜିଟାଲ ମିଡିଆ ଓ ସାମାଜିକ ଗଣମାଧ୍ୟମ ଦୃତ ଓ ପ୍ରଭାବୀ ସୂଚନା ପ୍ରସାରଣରେ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ । ସମ୍ମାନିତ ଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଗଣମାଧ୍ୟମକୁ ଏକ ସମ୍ପର୍କର ସେତୁ ଭାବେ ଅଭିହିତ କରିଥିଲେ । ସାଧାରଣ ଜନତା ଓ ସେମାନଙ୍କ ସମସ୍ୟା ସହ ଜଡ଼ିତ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦେଇ ଖବର ପରିବେଷଣ କରିବା ଲାଗି ସେ ଗ୍ରାମୀଣ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ । ସରକାରୀ ଯୋଜନା, ସେଗୁଡ଼ିକର ପ୍ରମୁଖ ବୈଶିଷ୍ଟ୍ୟ, ସଫଳତାର କାହାଣୀ ସମ୍ପର୍କରେ ଅଧିକ ଖବର ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଥିଲେ ଯଦ୍ଦ୍ୱାରା ହିତାଧିକାରୀଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ ମନରେଗା, ପିଏମ୍‌ ଆବାସ ଯୋଜନା, ପିଏମ୍‌ଇଜିପି ଓ ଡିଡିୟୁଜିକେୱାଇ ଆଦି ଯୋଜନା ଉପରେ ଆଲୋକପାତ କରିଥିଲେ । ସରକାରଙ୍କ ବିଭିନ୍ନ ପ୍ରମୁଖ ଯୋଜନା, ଏହାର ଲାଭ ଏବଂ କାର୍ଯ୍ୟକାରିତାରେ ରହିଥିବା ସମସ୍ୟା ବିଷୟରେ ଗଣମାଧ୍ୟମରେ ଖବର ପ୍ରସାରଣ କରିବାକୁ ସେ ସାମ୍ବାଦିକମାନଙ୍କୁ ପରାମର୍ଶ ଦେଇଥିଲେ । ଗ୍ରାମାଞ୍ଚଳରେ ହିତାଧିକାରୀଙ୍କ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଗଣମାଧ୍ୟମ ସଚେତନତା ସୃଷ୍ଟି କରିବା ଆବଶ୍ୟକ ବୋଲି ସେ କହିଥିଲେ । ବରିଷ୍ଠ ସାମ୍ବାଦିକ ସ୍ୱୟମ୍ଭୁନାଥ ଖଣ୍ଡଗିରି ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ‘‘ପିଆଇବିର ସାମ୍ବାଦିକ କଲ୍ୟାଣ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଉପରେ ବକ୍ତବ୍ୟ ରଖିଥିଲେ । ପିଆଇବିର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଦୀପ କୁମାର ଚୌଧୁରୀ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବାର୍ତ୍ତାଳାପ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ପିଆଇବି ଏବଂ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ବିଭାଗର କାର୍ଯ୍ୟଧାରା ସମ୍ପର୍କରେ ଶ୍ରୀ ଚୌଧୁରୀ ସୂଚନା ଦେଇଥିଲେ । ପିଆଇବିର ସୂଚନା ଅଧିକାରୀ ସ୍ୱାଧୀନ ଶକ୍ତିପ୍ରସାଦ କାର୍ଯ୍ୟକ୍ରମର ପ୍ରାରମ୍ଭିକ ଭାଗକୁ ପରିଚାଳନା କରିଥିଲେ ।
ପିଏମ୍ ଫସଲ ବୀମା ଯୋଜନା ଓ ମିଲେଟ୍ ମିଶନ୍ ଉପରେ ଜିଲ୍ଲା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଡକ୍ଟର ବିଭୂତି ଭୂଷଣ ମିଶ୍ର, ଜାତୀୟ ଶିକ୍ଷା ନୀତି ଉପରେ ସୁବର୍ଣ୍ଣପୁର ଡିଆଇଇଟି ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ସାହୁ, ମେରୀ ମାଟି ମେରା ଦେଶ ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ସୁବର୍ଣ୍ଣପୁର ନେହରୁ ଯୁବା କେନ୍ଦ୍ର ସଂଗଠନର ଯୁବ ସ୍ବେଚ୍ଛାସେବୀ ଆଲୋଚନା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାର ପ୍ରାୟ ଶହେ ଜଣ ଗଣମାଧ୍ୟମ ପ୍ରତିନିଧି ଯୋଗଦେଇ ମତ ବିନିମୟ କରିଥିଲେ ।

Leave A Reply

Your email address will not be published.