- ଲୋକଙ୍କୁ ଭେଟିି ଶୁଣିଲେ ସମସ୍ୟା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ଶାସ୍ତ୍ରୀନଗର ଓ ଲାଲଟିକ୍ରାଠାରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜାପୀଠରେ ପହଂଚି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମା’ ଲକ୍ଷ୍ମୀଙ୍କ ଆରାଧନା କରିବା ସହ ଆଶିଷ ଲାଭ କରିଥିଲେ । ଏ ଅବସରରେ ସେ ଅଂଚଳର ସୁଖ ସମୃଦ୍ଧି, ଭାଇଚାରା କାମନା କରିବା ସହ ପୂଜା ମାଧ୍ୟମରେ ଲୋକେ ନିଜ ଭିତରେ ଏକତା ସୃଷ୍ଟି କରି ଏ ଅଂଚଳର ବିକାଶରେ ସହାୟକ ହୁଅନ୍ତୁ ବୋଲି କାମନା କରିଥିଲେ । ଉଭୟ ଶାସ୍ତ୍ରୀନଗର ଓ ଲାଲଟିକ୍ରାଠାରେ ସେଠାକାର ମା’ ଭଉଣୀ ଓ ଜନସାଧାରଣ ତାଙ୍କର ସମସ୍ୟା ସମ୍ପର୍କରେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅବଗତ କରିଥିଲେ । ବିଶେଷ କରି ଶାସ୍ତ୍ରୀନଗରର ମା’ ଭଉଣୀମାନେ ସେମାନେ ସମ୍ମୁଖିନ ହେଉଥିବା ପିଇବା ପାଣି ସମସ୍ୟା ଉପରେ ଶ୍ରୀ ମିଶ୍ରଙ୍କ ସହ ଆଲୋଚନା କରିଥିଲେ । ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଯୋଗାଇ ଦିଆଯାଉଥିବା ପିଇବା ପାଣି ପ୍ରତ୍ୟେକ ଦିନ ବଦଳରେ ଦୁଇ ଦିନ ତିନି ଦିନ ବ୍ୟବଧାନରେ ପିଇବା ପାଣି ଯୋଗାଣ ହେଉଥିବାରୁ ପଡାବାସୀ ସମସ୍ୟା ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାକୁ ନେଇ ବିଧାୟକଙ୍କ ପ୍ରତିନିଧି ପବିତ୍ର ବେହେରାକୁ ଡକାଇ ଜନସ୍ୱାସ୍ଥ୍ୟ ବିଭାଗର ଯନ୍ତ୍ରୀମାନଙ୍କ ସହ ଏହାର ସମାଧାନର ବାଟ କାଢିବା ପାଇଁ ଏକ ବୈଠକର ଆୟୋଜନ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ଏହା ସହ ବର୍ଷା ଦିନରେ ଜଳବନ୍ଦୀ ସମସ୍ୟା ଉତ୍କଟ ହେଉଥିବାରୁ ଡ୍ରେନଗୁଡିକର ପୁନଃ ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉ ବୋଲି ଲୋକେ ବିଧାୟକଙ୍କୁ ଜଣାଇଥିଲେ । ଠିକ୍ ସେହିପରି ଲାଲଟିକ୍ରାଠାରେ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ଏକ ସ୍ଥାୟୀ ମଣ୍ଡପ ନିର୍ମାଣ ଓ ସେଠାକାର କିଛି ଅଂଚଳର ରାସ୍ତା ସମସ୍ୟାକୁ ନେଇ ସ୍ଥାନୀୟ ମହିଳା ଓ ପୁରୁଷମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଜଣାଇଥିଲେ । ଏ ଅବସରରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ନଗର ସଭାପତି ବୁଲୁ ଦାନୀ, ଜିଲ୍ଲା ଉପ-ସଭାପତି ମନୀଷ ମିଶ୍ର, ଜୁଲୁ ପଟ୍ଟନାୟକ, ଅଙ୍କିତ ସାହୁ, ନାସୀର ଖାନ, ଲୋପନ ମିଶ୍ର, ଟଙ୍କଧର ଗଡତ୍ୟାଙ୍କ ସମେତ ଅଂଚଳର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।