ଗଞ୍ଜାମ ଜିଲ୍ଲାସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁରସ୍ଥ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସରରେ ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ ରବିବାର ପୂର୍ବାହ୍ନରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଭାତଫେରି ସ୍ୱରୂପ ଏକ ବିରାଟ ଶୋଭାଯାତ୍ରା ବାହାରି ଗଞ୍ଜାମ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚିଥିଲା । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟଅତିଥୀ ରୂପେ ଯୋଗଦେଇ ଏକ ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ସହ ସବୁ ବିଭାଗର ଅଫିସର, କର୍ମଚାରୀଙ୍କୁ ଏହି ଅବସରରେ ଏକ ମିଳିତ ଶପଥ ପାଠ କରାଇଥିଲେ । ଓ.ଏସ୍.ଏ.ପି. ଅଷ୍ଟମ ବାଟାଲିୟନ୍, ଓଡ୍ରାଫ ଟିମ୍ ସବ୍‌ ଇନିସ୍ପେକ୍ଟର ପ୍ରସନ୍ନ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ବିପର୍ଯ୍ୟୟ ସମୟରେ କିଭଳି ଜନଜୀବନ ସୁରକ୍ଷିତ କରାଯାଇ ପାରିବ ସେ ନେଇ ମକଡ୍ରିଲ୍ ସମ୍ପର୍କିତ କଳା କୌଶଳ ପ୍ରଦର୍ଶନ କରିଥିଲେ । ଛତ୍ରପୁର ଅଗ୍ନିଶମ ବିଭାଗ ଅଧିକାରୀ ଇନିସ୍ପେକ୍ଟର ଶିଶିର କାନ୍ତ ସିଂ ଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗ ସେବାଦଳ ଭୟାବହ ଅଗ୍ନିକାଣ୍ଡ ଓ ଅଗ୍ନି ନିରାପଦ ଦିଗରେ ଅନେକ ସତର୍କତ୍ତା ମୂଳକ ପ୍ରଣାଳୀ ଦେଖାଇଥିଲେ । ନିଆଁକୁ ଆୟତ୍ତ କରିବା, ଆତ୍ମରକ୍ଷା କରିବା ଦୁର୍ଘଟଣାରେ ସହାୟତା ପ୍ରଦାନ କରିବା, ଭଗ୍ନଗୃହରୁ ଅସହାୟ ଲୋକଙ୍କୁ ଉଦ୍ଧାର କିଭଳି କରିବା ସେ ସମ୍ପର୍କରେ ଦର୍ଶକଙ୍କୁ କୋୖଶଳ ପ୍ରଣାଳୀ ପ୍ରଦର୍ଶନ କରିଥିଲେ । ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ଅନୁଷ୍ଠିତ ପ୍ରବନ୍ଧ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଡେପୁଟୀ କଲେକ୍ଟର ମ୍ୟାଡେମ୍ ତଥା ବିପର୍ଯ୍ୟୟ ପ୍ରଶମନ ଅଧିକାରୀ ଆୟୁଷୀ ପତିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମଟିକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ସଂଯୋଜନା ଓ ପରିଚାଳନା କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଭିଭାବକ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ସ୍ୱଚ୍ଛାସେବୀ ଅନୁଷ୍ଠାନର ପ୍ରତିନିଧି, ସ୍ୱୟଂସହାୟିକା ଗୋଷ୍ଠୀ, ସ୍ୱୟଂସିଦ୍ଧାର ସଦସ୍ୟାଗଣ, କର୍ମଚାରୀ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.