ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜରେ ଜାତିପ୍ରଥା ଆରମ୍ଭ ହୋଇଥିଲା, ନିଜ ଭିତରେ ଏକତା ରଖିବା ପାଇଁ, ଅଂଚଳର ବିକାଶ କରିବା ପାଇଁ । ଏହି କଥାକୁ ଆମେ ଭୁଲିବା ଉଚିତ ନୁହେଁ । ଯଦି ଆମ ଭିତରେ ଏକତା ଥିବ କୌଣସି ଶକ୍ତି ଆମକୁ ଅବହେଳା କରି ପାରିବେ ନାହିଁ । ତେଣୁ କୁଲୁତା ସମାଜ ଭିତରେ ଥିବା ଏକତାକୁ ଆପଣମାନେ ବଳବତ୍ତର ରଖନ୍ତୁ, ନଚେତ ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରରେ ଯେପରି ସରକାର ଚାଲିଛି ଏହି ସରକାରମାନେ ଆପଣମାନଙ୍କୁ କ୍ରମାଗତ ଭାବରେ ଅବହେଳା କରି ଚାଲିଥିବେ ବୋଲି ବଲାଙ୍ଗିର ସଦର ବ୍ଲକ ସ୍ଥିତ ହର୍ଡାଟାଲ ଠାରେ କୁଲୁତା ଜାତିର ଶାରଦୀୟ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସ୍ଥାନୀୟ ରାମଚଣ୍ଡୀ ମନ୍ଦିର ପରିସର ଭିତରେ ଜାତିର ସଭାପତି ଇଂ. ବେଲାରସିଂ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଧାୟକ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଥିଲେ ଯେ ଆପଣମାନେ ଓବିସି ବର୍ଗରେ ଅନ୍ତର୍ଭୁକ୍ତ । ସମଗ୍ର ଜନସଂଖ୍ୟାରୁ ଯଦି ଆମେ ଜନଗଣନା କରିବା ତେବେ ଆପଣମାନେ ସମାଜର ୫୬ ପ୍ରତିଶତ ଅଛନ୍ତି କିନ୍ତୁ କେନ୍ଦ୍ର ହେଉ କି ରାଜ୍ୟ ସରକାର ହେଉ ଆପଣମାନଙ୍କୁ କୌଣସି ପ୍ରକାର ସୁବିଧା ସୁଯୋଗ ଦେଉନାହାନ୍ତି । ଆପଣଙ୍କ ପାଇଁ ଥିବା କୋଟାକୁ ଉଭୟ ସରକାର ସମ୍ପୁର୍ଣ୍ଣ ଭାବରେ ଉଠାଇ ଦେଇଛନ୍ତି । ସେମାନେ ବାହାନା କରୁଛନ୍ତି ଯେ ସେମାନଙ୍କ ପାଖରେ ଓବିସିଙ୍କ ସଂଖ୍ୟାକୁ ନେଇ ପ୍ରକୃତ ତଥ୍ୟ ନାହିଁ । ତେଣୁ ଆମମାନଙ୍କୁ ଲଢେଇ କରିବାକୁ ହେବ । ଆମ ଭିତରେ ସାମାଜିକ, ଅର୍ଥନୈତିକ ସ୍ତରରେ ଅନେକ ଅନଗ୍ରସର ଲୋକ ଅଛନ୍ତି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବାକୁ ହେଲେ ସରକାରୀ ସ୍ତରରେ ଥିବା ସୁବିଧା ସୁଯୋଗ ପୁଣି ଫେରାଇ ଆଣିବାକୁ ହେବ ତେଣୁ ଆପଣମାନେ ନିଜ ଭିତରେ ଏକତା ରଖନ୍ତୁ ଏବଂ ଯେତେ ଶୀଘ୍ର ହେବ ଜାତିଭିତ୍ତିକ ଜନଗଣନା କରିବାକୁ ଦାବି କରନ୍ତୁ, ଏହି ଦାବିକୁ ଆଗାମୀ ବିଧାନସଭାରେ ନିଶ୍ଚିତ ଭାବରେ ଉପସ୍ଥାପନ କରିବେ ବୋଲି କହିଥିଲେ । ସେ ଏହି ମର୍ମରେ ସଭାରେ ଉପସ୍ଥିତ ମହିଳାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସଂସଦରେ ଆସିଥିବା ମହିଳା ବିଲ୍କୁ ନେଇ କେନ୍ଦ୍ର ସରକାର ଲୋକଙ୍କୁ ଭୁଆଁ ବୁଲାଉଛି । କାରଣ ଏହା ୨୦୨୪ରେ ମହିଳା ସଂରକ୍ଷଣ ହେବା ତ ଦୂରର କଥା ଆହୁରି ୧୫ ବର୍ଷ ପର୍ଯ୍ୟନ୍ତ ବି ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ସେ କହିଥିଲେ । ନାରୀ ନିର୍ଯ୍ୟାତନାକୁ ନେଇ ମଧ୍ୟ ବିଧାୟକ ଶ୍ରୀ ମିଶ୍ର ଉଭୟ କେନ୍ଦ୍ର ଓ ରାଜ୍ୟକୁ ତିବ୍ର ସମାଲୋଚନା କରିବା ସହ ରାଜ୍ୟ ସରକାରଙ୍କ ପଶ୍ଚିମ ଓଡିଶା ପ୍ରତି ଥିବା ବୈମାତୃକ ମନୋଭାବ ବିରୁଦ୍ଧରେ ଲୋକେ ସ୍ୱର ଉତ୍ତୋଳନ କରନ୍ତୁ ବୋଲି ସେ କହିଥିଲେ । ଦିର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସରକାର ରାଜ୍ୟରେ ଥିଲେ ହେଁ ପଶ୍ଚିମ ଓଡିଶା ତଥା ବଲାଙ୍ଗିର ର ମୁଖ୍ୟ ଦାବୀ ହାଇକୋର୍ଟର ସ୍ଥାୟୀ ବେଞ୍ଚ , ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟାଳୟ, ରାଜ୍ୟରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଏ ଅଂଚଳରେ ସ୍ଥାପନ କରିବା ପାଇଁ ସରକାର ର କାଣିଚିଏ ମଧ୍ୟ ଇଚ୍ଛା ନାହିଁ । ଏହା ବିରୁଦ୍ଧରେ ପଶ୍ଚିମ ଓଡିଶା ତଥା ବଲାଙ୍ଗିର ବାସୀ ଏକ ନିର୍ଣ୍ଣାୟକ ଲଢେଇରେ ଅବତିର୍ଣ୍ଣ ହେବାକୁ ପ୍ରସ୍ତୁତ ହୁଅନ୍ତୁ ବୋଲି ଲୋକଙ୍କୁ ସେ ଆହ୍ୱାନ ଜଣାଇଥିଲେ । ଏହି ଶାରଦୀୟ ଉତ୍ସବ ପୂର୍ବରୁ ବିଧାୟକ ଶ୍ରୀ ମିଶ୍ର ଦେବୀ ରାମଚଣ୍ଡୀଙ୍କ ଆଶିର୍ବାଦ ଗ୍ରହଣ କରିବା ସହ ମନ୍ଦିରର ରୋଷଗୃହ ଏବଂ ଏକ ମଣ୍ଡପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ କୁଲୁତା ସମାଜର ବରିଷ୍ଠ ଶିକ୍ଷକ ଦ୍ୱାଦଶ ପ୍ରଧାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜ୍ୟୋସ୍ନାମୟୀ ପ୍ରଧାନ, ଉମେଶ ଗଡତ୍ୟା, ପ୍ରେମାନନ୍ଦ ପ୍ରଧାନ, ନିରଞ୍ଜନ ଗଡତ୍ୟା, ବିଦେଶୀ ପ୍ରଧାନ, ଉମେଶ ଚନ୍ଦ୍ର ପ୍ରଧାନ, ସରପଂଚ ଶ୍ରୀୟା ସାହୁ, ସଂଜୟ ଗଡତ୍ୟା, ଜୟସିଂ ପ୍ରଦାନ, ମଧୁସୁଦନ ନାଏକ, ଯତି ପ୍ରଧାନ, ଲୋଚନ ବିଶ୍ୱାଲ ପ୍ରମୁଖ ମଂଚାସିନ ଥିବା ବେଳେ ସଭାରେ ହଜାର ହଜାର ପୁରୁଷ ମହିଳା ଉପସ୍ଥିତ ଥିଲେ ।
Prev Post