ପାଟଣାଗଡ଼ରେ ବୁଲୁଥିବା ବଣୁଆ ଦନ୍ତା ହାତୀ ନେଲା ବଳରାମଙ୍କ ଜୀବନ

ପାଟଣାଗଡ଼, (ଅଶୋକ କୁମାର ବାଗ) : କପା କିଆରିରେ କାମ କରୁଥିବା ବେଳେ ବଣୁଆ ଦନ୍ତା ହାତୀ ହାବୁଡ଼ରେ ପଡ଼ି ଜଣେ ବ୍ୟକ୍ତି ଜୀବନ ହରାଇଥିବା ଖବର ସାରା ପାଟଣାଗଡ଼ ଅଂଚଳକୁ ସ୍ତବ୍ଧ କରି ଦେଇଛି । ଆଜି ଭୋର୍‌ ସକାଳୁ ପାଟଣାଗଡ଼ ବଥର୍ଲା ଛକ ବ୍ରହ୍ମପୁରା ଭିତର ଦେଇ ବରପଦର ରାସ୍ତାରେ ଏକ ବଣୁଆ ଦନ୍ତା ହାତୀ ବୁଲୁଥିବା ଦେଖିବାକୁ ମିଳିଥିଲା । ପୁଣି ଏହାପରେ ଲରମ୍ଭା ରାସ୍ତାକୁ ମୁହାଁଇଥିଲା ବଣୁଆ ଦନ୍ତା ବୋଲି ସୂଚନା ମିଳିଥିଲା । ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ସକାଳୁ ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ଲୋକେ ଦନ୍ତା ହାତୀକୁ ସ୍ପଷ୍ଟ ଭାବେ ଦେଖିଥିବା କହିଥିଲେ । ତେବେ ଆଜି ଅପରାହ୍ନରେ ଫଟାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପୁଡ଼ାପଦରରେ କପା କିଆରିରେ କାମ କରୁଥିବା ବଳରାମ ହୋତା(୬୬)ଙ୍କୁ ଏହି ବଣୁଆ ଦନ୍ତା ହାତୀ ଦଳି ଚକଟି ମାରିଦେଇଥିବା ସୂଚନା ଆସୁଛି । ଦନ୍ତାହାତୀ ହାବୁଡ଼ରେ ପଡ଼ି ଜୀବନ ହରାଇଛନ୍ତି ବଳରାମ । ସାରା ଅଂଚଳରେ ବଣୁଆ ଦନ୍ତା ହାତୀକୁ ନେଇ ଆତଙ୍କ ଖେଳି ଯାଇଥିବା ବେଳେ ଦନ୍ତା ଆକ୍ରମଣରେ ବଳରାମଙ୍କ ମୃତ୍ୟୁ ସାରା ଅଂଚଳରେ ଆହୁରି ଭୟର ବାତାବରଣ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.