ପଶ୍ଚିମ ଓଡିଶାରେ ଓଡିଆ ଫିଲ୍ମକୁ ବିରୋଧ କଲା କୋଶଲ ରାଏଜ୍‌ ମୁକ୍ତି ମୋର୍ଚ୍ଚା

ବଲାଙ୍ଗିର, (କେପିଏନ୍‌ଏସ୍‌) : ତେଜିଲା ଓଲିଉଡ କଳି, ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । କଳାକାର ମନୋଜ ମିଶ୍ରଙ୍କ ବାସନ୍ଦକୁ ବିରୋଧ କରିଛି କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଆଲିସାନ୍ ସିନେମା ହଲରେ ଓଡ଼ିଆ ସିନେମା ରିଲିଜ୍ କରାଇ ନଦେବାକୁ ମୋର୍ଚ୍ଚା ନିଷ୍ପତି ଗ୍ରହଣ କରିଛି । ସାରା ପଶ୍ଚିମ ଓଡିଶାରେ ଓଡିଆ ଫିଲ୍ମକୁ ବୟକଟ୍‌ କରିବାକୁ ମୋର୍ଚ୍ଚା ଦାବି କରିଛି । ମାଇଣ୍ଡ ଗେମ୍ ଚଳଚିତ୍ର ସଫଳ ହେବା ପରେ ଏହାକୁ ସହି ନପାରି ପ୍ରଯୋଜକ ସଂଘ ମନୋଜ ମିଶ୍ରଙ୍କୁ ବ୍ୟାନ୍‌ କରିଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ମନୋଜ ମିଶ୍ର ସମ୍ବଲପୁରରେ ଅରିନ୍ଦମ ରାୟଙ୍କ ଅଭୀନିତ ରାମ୍ ସିନେମାକୁ ରିଲିଜ୍ କରିବାକୁ ଦେଇନଥିଲେ ବୋଲି ଅଭିଯୋଗ ରହିଛି । ଏହାପରେ ପ୍ରଯୋଜକ ସଂଘର ବୈଠକରେ ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ମନୋଜ ମିଶ୍ର ଅନ୍ୟ ଫିଲ୍ମକୁ ରିଲିଜ୍‌ ନକରାଇ ଦେବାକୁ କହିଥିବା ଅଭିଯୋଗ ରହିଛି । ଅଥଚ ମନୋଜ ମିଶ୍ର ତାଙ୍କ ପ୍ରତି ଏଭଳି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । ମନୋଜ ମିଶ୍ରଙ୍କ ବିରୋଧରେ ଅରିନ୍ଦମ ଯେଉଁ ଅଭିଯୋଗ ଆଣିଥିଲେ, ସେହି କଥାକୁ ଦୋହରାଇଛନ୍ତି ଅନୁଭବ । ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ବ୍ୟକ୍ତିଗତ ଝଗଡ଼ା ପାଇଁ ଓଲିଉଡ଼୍‌ ଭାଗ ଭାଗ କରନ୍ତୁ ନାହିଁ ବୋଲି ସେ ସୋସିଆଲ ମିଡିଆରେ ଅପିଲ କରିଛନ୍ତି ।

Leave A Reply

Your email address will not be published.